2/28/2022

ସାକ୍ଷାତକାର

ଜୀବନ ଯାକ କେଉଁଠୁ ନା କେଉଁଠୁ କିଛି ନା କିଛି ଶିଖିବାର ରହିଛି : ସର୍ବେଶ୍ୱର ଜେନା
                  (-ଉଦୟ ଭାନୁ ଫିଚର୍ସ - )                          

( ସୁବର୍ଣ୍ଣରେଖାର ପାଣି ପରି ବୋହିଯାଇଛି ସମୟ । ଆସିଛି ଦାଉ ଆସିଛି ଧକ୍କା । ହେଲେ କେଉଁଠି ବି ହାର ମାନି ନାହାନ୍ତି ସେ । ବହୁ ଘାତ ପ୍ରତିଘାତରେ ଗଢ଼ା ତାଙ୍କର ଜୀବନ । ସବୁ ପରିସ୍ଥିତିକୁ ସେ ସାମ୍ନା କରିଛନ୍ତି ନିଜସ୍ୱ ଆନ୍ଦାଜରେ । ପାନ, ମୀନ ଓ ଧାନ୍ୟର ମାଟି ବାଲେଶ୍ଵର ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭୀରାଇ ଗ୍ରାମର ଶ୍ରୀଯୁକ୍ତ ପୁରୁଷୋତ୍ତମ ଜେନା ଏବଂ ସ୍ୱର୍ଗତା ବାସନ୍ତୀ ଜେନାଙ୍କର କୃତବିଦ୍ୟ ସନ୍ତାନ ସେ । ସାମ୍ବାଦିକତା, ସାଂଗଠନିକତା ଏବଂ ସମାଜସେବାର ତ୍ରିବେଣୀ ସଙ୍ଗମ ମାସିକ ସମ୍ବାଦ ଭିତ୍ତିକ ସାହିତ୍ୟ ପତ୍ରିକା 'ସମୟର ଚକ୍ର'ର ପ୍ରତିଷ୍ଠାତା ଓ ସମ୍ପାଦକ ସର୍ବଜନପ୍ରିୟ ସର୍ବେଶ୍ୱର ଜେନା । ସୁଯୋଗ ଓ ଅବସର ପାଇଲେ ଲେଖାଲେଖିରେ ରୁଚି ରଖିବା ସହ ଜିଲ୍ଲା ତଥା ରାଜ୍ୟର ବହୁ ଅନାଲୋଚିତ ପ୍ରତିଭାଙ୍କୁ ସେ ମଂଚର ମହତ୍ତ୍ୱ ଏବଂ ସ୍ୱୀକୃତି ଓ ସମ୍ବର୍ଦ୍ଧନାର ବର୍ଣ୍ଣାଢ୍ୟ ଅବକାଶ ଦେଇଛନ୍ତି । ଉଚ୍ଚଶିକ୍ଷା ପରେ ପରେ ସରକାରୀ ବୃତ୍ତି ପଛରେ ନ ଗୋଡ଼ାଇ ରାଜ୍ୟର ରାଜଧାନୀରେ ରହି ସାମ୍ବାଦିକତାରେ ନିଜ କ୍ୟାରିୟର ଗଢୁ ଗଢୁ ପୁଣି ହୋଇଛନ୍ତି ମାଟି ଓ ଆକର୍ଷଣରେ ବନ୍ଦୀ । ଦୀର୍ଘ ବାର ବର୍ଷ ଧରି ବାଲେଶ୍ୱର ମାଟିରୁ ନିରବଛିନ୍ନ ଭାବେ ସ୍ୱ ପ୍ରତିଷ୍ଠିତ ସମ୍ବାଦ ଧର୍ମୀ ମାସିକ ସାହିତ୍ୟ ପତ୍ରିକା 'ସମୟର ଚକ୍ର'ର ପ୍ରକାଶନ ଓ ସମ୍ପାଦନା ମାଧ୍ୟମରେ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବାଲେଶ୍ୱର ମାଟିର ଉଚ୍ଚତାକୁ ନେଇଛନ୍ତି ଶୀର୍ଷକୁ ।
ବିକଳ୍ପ ଭାବନାର ମଣିଷ ସର୍ବେଶ୍ୱର ଜେନା । ସୋସାଇଟି ଇଜ ମାଇଁ ହୋମ- ବିଚାରରେ ବିଶ୍ୱାସ ରଖିଥିବା ଏହି ଚର୍ଚ୍ଚିତ ଯୁବ ବ୍ୟକ୍ତିତ୍ୱଙ୍କ ସହ କିଛି ଅନ୍ତରଙ୍ଗ ଆଳାପ )
(୧) ପ୍ର : ନିଜର କର୍ମମୟ ଜୀବନ ଭିତରେ ପାରିବାରିକ ସହଯୋଗ କିପରି ପାଆନ୍ତି ?
ଉ : ପିଲାଟି ଦିନରୁ ମୁଁ ମାତୃହରା । ସେ ଅଭାବ ମୋର ଅପୂରଣୀୟ । ମାଆ ମୋର ସ୍ବର୍ଗୀୟ ପ୍ରେରଣା । ଭୀଷଣ କଷ୍ଟ ଭିତରେ ମୁଁ ମୋର ସ୍ବର୍ଗୀୟା ମାଆଙ୍କର ଅଦୃଶ୍ୟ ମମତାର ଛୁଆଁ ପାଏ ଯାହା ମୋର ବଞ୍ଚିବାର ବଳ । ଏହା ବାଦ୍ ପାରିବାରିକ ଜୀବନରେ ମୋର ବଡଭାଇ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବଂଶୀଧର ଜେନା ଆଜିଯାଏଁ ଆଗକୁ ଆଗେଇବାରେ ମୋର ଶକ୍ତି ଓ ସାହାସ ଓ ସାମର୍ଥ୍ୟ । କର୍ମମୟ ଜୀବନରେ ଏହି ସାମର୍ଥ୍ୟକୁ ବହୁ ଗୁଣରେ ବଢ଼ାଇ ଦେଇଛି ମୋର ପତ୍ନୀ ସତ୍ୟଭାମା ଜେନାଙ୍କର ଏକନିଷ୍ଠ ସହଯୋଗ । ପତ୍ରିକା ସମ୍ପାଦନା ସହ ପୁତ୍ର ସୁସଂଗମ ଏବଂ କନ୍ୟା ସୁହାନିର ଉପଯୁକ୍ତ ତତ୍ୱାବଧାନ ଦିଗରେ ସେ ମୋ ପାଇଁ ଗୋଟିଏ ମୁଦ୍ରାର ଆଉ ଗୋଟିଏ ପାର୍ଶ୍ଵ ଭଳି ।

(୨) ପ୍ର : ପତ୍ରିକା ସମ୍ପାଦନା , ସାମ୍ବାଦିକତା, ସମାଜ ସେବା ଓ ସାଂଗଠନିକ କାର୍ଯ୍ୟରେ କେମିତି ସମନ୍ୱୟ ଆଣି ପାରିଛନ୍ତି ?

ଉ : ଦେଖନ୍ତୁ, ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ସହ ମଣିଷର ପରିବାର, ଗୋଷ୍ଠୀ
ଏବଂ ଜାତିର ପ୍ରଭାବ ରହିଛି । ଆମେ ଚାହିଁଲେ ଉନ୍ନତ ସମାଜ ଗଢିପାରିବା, ଆମେ ଚାହିଁଲେ ସେ ସମାଜରେ ନାନା ମନ୍ଦ ବୀଜକୁ ବଢ଼ାଇ ସଂସାରଟାକୁ କଳୁଷିତ କରିଦେଇପାରିବା । ପତ୍ରିକା ସମ୍ପାଦନା ଭିତରେ ମୋର ଵିଚାରିକ ମୂଲ୍ୟବୋଧରେ ବିକାଶ ଆସିଛି । ସାମ୍ବାଦିକତା କ୍ଷେତ୍ରକୁ ଗଲେ ମୁଁ ସମ୍ବେଦନଶୀଳ ଭାବରେ ଗ୍ରାଉଣ୍ଡ ଲେବେଲ୍ ରେ ସମସ୍ୟାର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ପାରିଛି । ସଂଗଠନ ମୋତେ ଲୋକ ସମ୍ପର୍କ ଦେଇଛି । ପ୍ରତ୍ୟେକର ପ୍ରଭାବ ପ୍ରତ୍ୟେକଟି ଉପରେ ରହିଛି ନିଶ୍ଚୟ । ପତ୍ରିକା ସମ୍ପାଦନା ବେଳେ ମୋତେ ସବୁଯାକ ଦିଗ ଅଧିକ ରୁ ଅଧିକ ଦାୟିତ୍ୱଶୀଳ କରିପାରିଛି ।

(୩) ପ୍ର: ପତ୍ରିକା ପ୍ରକାଶନ ଭଳି ରିସ୍କ ମୁଣ୍ଡାଇବାକୁ କେମିତି ମନସ୍ଥ କଲେ ?
ଉ : ଓଡିଶା ଭଳି ଗୋଟିଏ ରାଜ୍ୟରେ ପତ୍ରିକା ପ୍ରକାଶନ ପାଇଁ ସେଭଳି କିଛି ସରକାରୀ ସ୍ତରରେ ପ୍ରୋତ୍ସାହନ ନାହିଁ । କ୍ଷୁଦ୍ର ଏବଂ ମାଧ୍ୟମ ଶ୍ରେଣୀର ସମ୍ବାଦପତ୍ର ଏବଂ ପତ୍ର ପତ୍ରିକା ପାଇଁ ସରକାରୀ ବିଜ୍ଞାପନର ଏକାନ୍ତ ଅପରିହାର୍ଯ୍ୟତା ବାବଦରେ ଅତୀତରେ ମୁଁ ଅନେକ ଥର ସ୍ୱର ଉଠାଇଛି । ତଥାପି ବହୁ ସଂଘାତ ଭିତରେ ବି ଆମ ପତ୍ରିକା ପ୍ରତିମାସ ପ୍ରକାଶ ପାଇ ଚାଲିଛି ଏହାର ଶ୍ରେୟ କିଛି ମାତ୍ରାରେ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଏବଂ ବଦାନ୍ୟ ବନ୍ଧୁ ମାନଙ୍କର ଯତ୍ କିଞ୍ଚିଦ ଆକୁଣ୍ଠ ସହଯୋଗ । ତେବେ ସାଧାରଣରେ ଅନ୍ୟାନ୍ୟ ସାମାଜିକ ମାଧ୍ୟମ ଠାରୁ ପ୍ରିଣ୍ଟ ମିଡ଼ିଆର ଚାହିଦା ଅଧିକ ରହିଛି । ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ପ୍ରିଣ୍ଟ ମିଡ଼ିଆକୁ ସବୁବେଳେ ଏକ ନମ୍ବର ସ୍ଥାନରେ ରଖିହେବ।
(୪) ପ୍ର : ଆପଣଙ୍କ ଭାଷାରେ ଗୋଟିଏ ଭଲ ପତ୍ରିକା କାହାକୁ କୁହାଯିବ ?
ଉ : ସାଧାରଣ ଲୋକଙ୍କର ସ୍ୱରକୁ ସାହିତ୍ୟ ହେଉ ବା ସମ୍ବାଦରେ ତାହା ଆଣିପାରୁଥିବ । କିଛି ଜରଦଗବ ଶ୍ରେଣୀର ଆତ୍ମଘୋଷିତ ତଥାକଥିତ ବରିଷ୍ଠ ସାହିତ୍ୟିକ ସାହିତ୍ୟର ବିଭାଗକୁ ମାଡି ବସିଲେ ନବ ପିଢି ସାମ୍ନାକୁ ଆସିବେ କେମିତି ? ପ୍ରକାରାନ୍ତରେ ସେଇ ମାନେ ହିଁ ଓଡ଼ିଆ ସାହିତ୍ୟର ବଂଶ ନିପାତ କରୁନାହାନ୍ତି କି ? ପାଠକ ଚାହେଁ ତା ସମସ୍ୟା ଏବଂ ତା ଜୀବନର କଥା କହିଥିଲା ଭଳି ସମ୍ବାଦ ଓ ସାହିତ୍ୟ । ସମ୍ବାଦ ପରିବେଷଣ ବେଳେ ବି ସେଇ ସମ ଦଶା । ଆମେ ଆନ୍ତର୍ଜାତିକ ସମସ୍ୟାକୁ ନେଇ ବୌଦ୍ଧିକ ବିଚାର ହାଟ ବସାଇଲା ବେଳେ ନିଜ ଗାଁର ପୋଲ ଭୁଶୁଡି ଯାଇଥିବା ସମସ୍ୟାଟିକୁ ଭୁଲି ଯାଇଥାଉ କିମ୍ବା ନିଜେ ରହୁଥିବା ସହରର ପରିସ୍ଥିତି ବାବଦରେ ଆମ ଠାରେ ଖବର ନ ଥାଏ । ପତ୍ରିକା ନିଜ ମାଟିର ସମସ୍ୟା, ସ୍ୱର ଓ ସାହିତ୍ୟକୁ ଥରେ ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ବନାଇ ପାରିଲା ଭଳି ହିମ୍ମତ ରଖିଥିବା ଆବଶ୍ୟକ ।

(୫) ପ୍ର : ନିଜ ଜୀବନର କିଛି ତିକ୍ତ ଏବଂ କିଛି ମଧୁର ଅନୁଭୂତି କୁହନ୍ତୁ ।
ଉ : ମୋ ଜୀବନରେ ବହୁ ତିକ୍ତ ଅନୁଭତି ଅଛି । କିନ୍ତୁ ପ୍ରତ୍ୟେକ ତିକ୍ତ ଅନୁଭୂତିର ଶେଷକଥା ମଧୁରତାରେ ପରିଣତ ହୋଇଛି । ଯେଉଁମାନଙ୍କ ସହ ସାମୟିକ ପାଇଁ ମୋର ମତ ପାର୍ଥକ୍ୟ ଦେଖାଦେଇଛି, କାର୍ଯ୍ୟର ଧାରା ଭିତରେ ତାହା ସୁନ୍ଦର ଭାବେ ଗୋଟିଏ ଆଭିମୁଖ୍ୟ ଗୋଟିଏ ଲକ୍ଷ୍ୟ ଗୋଟିଏ ବୁଝାମଣାରେ ଶେଷ ହୋଇଯାଏ । ସଂସାରରେ କେହି ସ୍ଥାୟୀ ଶତ୍ରୁ ବା ସ୍ଥାୟୀ ମିତ୍ର ନୁହନ୍ତି । ସମସ୍ୟା ଆମର ପଥ , କିନ୍ତୁ ଈଶ୍ୱରଙ୍କ ବଳ ହିଁ ସର୍ବଶ୍ରେଷ୍ଠ ବଳ ଏବଂ ଈଶ୍ୱର ହିଁ ସର୍ବଶେଷ ସାଥି ।

(୬) ପ୍ର :ଆଜିର ଆଂଚଳିକ ସମସ୍ୟାର ସ୍ୱର କେତେ ମାତ୍ରାରେ ସ୍ଥାନୀୟ ରାଜନୀତି ଓ ପ୍ରଶାସନ କଳ ଦେଇ ଉପରକୁ ଯାଇ ପାରୁଛି ଏବଂ ସମାଧାନର ବାଟ ଫିଟାଇ ପାରୁଛି ?
ଉ : ସାମାଜିକ କର୍ମୀ କିମ୍ବା ଗଣମାଧ୍ୟମର ସାମ୍ବାଦିକ ମାନଙ୍କ ଦ୍ୱାରା ଉଠିଥିବା ସମସ୍ୟାର ସ୍ୱରଟି ନିଶ୍ଚିତ ଭାବରେ ଉପର ସ୍ତର ପର୍ଯ୍ୟନ୍ତ ଯାଇଥାଏ । ପ୍ରଶାସନନିକ ଅନୁମୋଦନ କିମ୍ବା ରାଜନୈତିକ ହସ୍ତକ୍ଷେପ ଓ ସହଯୋଗ ବିନା ସମସ୍ୟା ସମାଧାନ ହେବା ସମ୍ଭବ ନୁହେଁ । ତେବେ ସେଇ ଅନୁମୋଦନଟି ବିଭିନ୍ନ ସ୍ତର ଦେଇ ସାଧାରଣ ସ୍ତର ପର୍ଯ୍ୟନ୍ତ ପହଂଚିଲାବେଳକୁ ତାହା ଆଂଶିକ ଟୁକୁଡାରେ ପରିଣତ ହୋଇ ସାରିଥାଏ । ଦ୍ବିତୀୟତଃ , ସମାଜର ବହୁ ବିଚାରବାନ ବ୍ୟକ୍ତି ଏ ସବୁ ପରିସ୍ଥିତିକୁ ବାରମ୍ବାର ଦେଖୁଥିଲେ ମଧ୍ୟ ସେମାନେ ନିରବ ଦ୍ରଷ୍ଟା । କାରଣ ସେମାନେ ସଂଗଠିତ ନୁହନ୍ତି । ସଂଗଠିତ ଉପାୟରେ ସେମାନେ ନିଜ ବିଚାର , ବୁଦ୍ଧି ଓ ଅସନ୍ତୋଷକୁ ଠିକ ଢଙ୍ଗରେ ସାମ୍ନାକୁ ଆଣି ସମାଧାନର ବାଟ ଫିଟାଇ ପାରନ୍ତେ ।
(୭) ପ୍ର: ଆପଣଙ୍କର ପ୍ରେରଣା, ପ୍ରିୟ ମଣିଷ, ପ୍ରିୟ ବ୍ୟକ୍ତିତ୍ୱ, ସାଥି ସତୀର୍ଥ ଓ ସହଯୋଗୀ ମାନଙ୍କ ବାବଦରେ କିଛି କୁହନ୍ତୁ ।
ଉ : ମୋର ଚାରିପାଖରେ ମୋତେ ପ୍ରେରଣା ଯୋଗାଉ ଥିବା ବ୍ୟକ୍ତିତ୍ୱ ମାନଙ୍କୁ ମୁଁ ମୋର ଆଦର୍ଶ ବୋଲି ସବୁବେଳେ ସ୍ୱୀକାର କରି ଆସିଛି । ସେମାନେ ନ ଥିଲେ ମୁଁ ଆଗକୁ ଆଗେଇବା ପାଇଁ ବଳ କୁଆଡୁ ପାଇଥାନ୍ତି । ମୁଁ ସେମାନଙ୍କ ଠାରେ ସବୁବେଳେ କୃତଙ୍ଗ । ଜୀବନ ଯାକ କେଉଁଠୁ ନା କେଉଁଠୁ କିଛି ନା କିଛି ଶିଖିବାର ରହିଛି ।

(୮) ପ୍ର : ଆପଣ ମଧ୍ୟ ଅବସର ପାଇଲେ ଲେଖାଲେଖିରେ ରୁଚି ରଖନ୍ତି । ଆପଣଙ୍କ ଲେଖାର ମୁଖ୍ୟ ସ୍ୱରଟି କଣ ?
ଉ : ସହିତ୍ୟିକ ହେବାର ଲକ୍ଷ୍ୟ ନେଇ ମୁଁ ଲେଖାଲେଖି କରେନାହି । ସୁ ସାହିତ୍ୟିକଙ୍କୁ ମୁଁ ସବୁବେଳେ ସମ୍ମାନ ଦିଏ । ଜୀବନ ସଂଗ୍ରାମରେ ଥକି ପଡିବା ବା ହାରିଯିବାର ଆଶଙ୍କା ଦେଖିଲେ ନିଜକୁ ପ୍ରେରଣା ଏବଂ ମନୋବଳ ଓ ସାନ୍ତ୍ୱନା ଦେବାପାଇଁ କିଛି ଲେଖିପକାଏ । ଛାତ୍ର ଜୀବନରେ ମୁଁ କିଛି ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ ନାଟକ ଲେଖିଥିଲି । ଜୀବନର ଅବ୍ୟକ୍ତ ବେଦନାକୁ ନେଇ ମୁଁ କିଛି କିଛି ଲେଖେ । ଭକ୍ତିଗୀତ , କବିତା ଓ ଗଳ୍ପ ବି ଲେଖେ । ତେବେ ସେ ଗୁଡିକୁ ପ୍ରସାର କରିବା ପାଇଁ ନିଜେ ଜଣେ ପତ୍ରିକାକାର ହୋଇ ବି କେବେ ଚେଷ୍ଟା କରିନାହିଁ । ତେବେ ସମୟର ଚକ୍ର ପତ୍ରିକା ପାଇଁ ମୁଁ ସମ୍ପାଦକୀୟ ସ୍ତମ୍ଭ ଏବଂ ନିଉଜ ଷ୍ଟୋରୀ ଲେଖିଲାବେଳେ ମୋର ଆଭିମୁଖ୍ୟ ସ୍ୱର ସମ୍ପୂର୍ଣ୍ଣ ଅଲଗା । ଚଲତି କା ନାମ ଗାଡି ହୈ । ସମୟର ଚକ ଯୁଆଡେ ଗଡ଼ି ଗଡ଼ି ଚାଲେ କଲମର ସ୍ରୋତ ସେଇ ଆଡେ ଛାଏଁ ମୁହାଁଇ ଯାଏ ।

(୯) ପ୍ର : ନୂତନ ପିଢ଼ି ପାଇଁ କିଛି ବାର୍ତ୍ତା ରଖନ୍ତୁ ।
ଉ : ଆମେ ଟେକ୍ନୋଲୋଜିକୁ ନେଇ ବିକଶିତ । କିନ୍ତୁ ବୈଚାରିକ ଭାବେ ହୀନମନ୍ୟତା ଭିତରେ ଆଜି ବି ବଂଚିଛୁ । ବିଗତଦିନର ମେଧାବୀ ଛାତ୍ର ଥିଲେ ବି ପଦସ୍ତ ଅଫିସରଟିଏ ଲାଞ୍ଚୁଆ ଏବଂ ଦୁର୍ନୀତିଗ୍ରସ୍ତ । ଆମେ ନିଜକୁ ଯେତେ ବୌଦ୍ଧିକ ବୋଲି ଦାବି କଲେ ବି ନୀତିଗତ ଭାବେ ଆମେ ଏତେ ରୁଗଣ ଯେ ନିର୍ଭୀକ ଭାବେ ଆମେ ସତ୍ୟକୁ ସାମ୍ନା କରି ପାରୁନାହୁଁ । ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଆଖି ସାମ୍ନାରେ ଘଟି ଯାଉଥିବା ଅନ୍ୟାୟ ବିରୁଦ୍ଧରେ ଆମେ ମୁହଁ ଖୋଲିବାକୁ ଭୟଭୀତ । ଆମେ ବିତ୍ତଶାଳୀ କିନ୍ତୁ କେଵଳ ନିଜର ସୁଖର ସାମଗ୍ରୀ ସାଉଁଟିବାରେ ବ୍ୟସ୍ତ । ନୂଆ ପିଢି ଭିତରେ ସାଧୁତାର ଜାଗରଣ ଆବଶ୍ୟକ । କିଏ କେଉଁ ବୃତ୍ତି ବା ବ୍ୟବସ୍ଥାରେ ଅଛି ସେଇଟା ବଡ ନୁହେ । କିନ୍ତୁ ପରିଶ୍ରମ ଓ ସାଧୁତାର ସହ ବଂଚିବା ପାଇଁ ଆମ ଭିତରେ ପ୍ରଥମେ ବିଶ୍ୱାସ ଓ ଶକ୍ତି ଆବଶ୍ୟକ । ନୂଆ ପିଢି କର୍ମତତ୍ପର କର୍ମ ତତ୍ପର ହୁଅନ୍ତୁ , ଅନ୍ୟର ଦୁଃଖରେ ଅଳ୍ପ ଟିକେ ସାମିଲ ହୋଇ ଶିଖନ୍ତୁ । ସେଥିରେ ଈଶ୍ୱରୀୟ ଆନନ୍ଦ ରହିଛି । କୋଉ ଉଚ୍ଚ ପଦ ,ପଦବୀ, ଯଶ ଓ ସମ୍ମାନ ମଣିଷକୁ ଏ ଆନନ୍ଦ ଦେଇ ପାରିବ ନାହିଁ ।
---///----
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।