ତପୋଦିବ୍ୟ ପୁତ୍ରେକା ଯେନ ସତ୍ତ୍ଵଂ
ଶୁଦ୍ଧୋଦ୍ୟ ସ୍ମାତ୍ ବ୍ରହ୍ମ_ସୌଖ୍ୟଂତ୍ଵନନ୍ତମ୍।
(ମନୁଷ୍ୟ ଜୀବନ ତପସ୍ୟା ପାଇଁ ଉଦ୍ଧିଷ୍ଟ।)
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମତରେ ଯଦି କେହି ଶ୍ରେଷ୍ଠ ହେବାକୁ ଇଚ୍ଛା କରେ ତେବେ ସେ ସମସ୍ତଙ୍କର ସେବକ ହେଉ । ସେମିତି ଡକ୍ଟର ହ୍ୟୁଗୋଙ୍କ ମତ - "ଜୀବନ ହେଉଛି ଗୋଟିଏ ଫୁଲ ତା' ଭିତରେ ପୁରି ରହିଛି ମହୁ , ଲେଖକୀୟତା ଏକ ଐଶ୍ୱରୀୟ ଅବଦାନ । ମା' ସରସ୍ବତୀ ଓ ସିଦ୍ଧ ସାରଳାଙ୍କ ଆଶିର୍ବାଦର ଫଳପ୍ରସୂ ହେଉଛି ଲେଖକୀୟତା । ମାନସପଟ୍ଟରେ ଶବ୍ଦ ମାନଙ୍କ ଉତ୍ପତ୍ତି , ଭାବ ସଂଞ୍ଚରଣ ଓ ତା'ର କ୍ରମିକ ବିକାଶ ତଥା ତା'ର ବିକିରଣର ସାରନିର୍ଯ୍ୟାସ ହେଉଛି ସାହିତ୍ୟ । ଏ ସାହିତ୍ୟ ସାମାଜିକ ବିବର୍ତ୍ତନର ମୂଳଉତ୍ସ । ଜନଜୀବନର ସୁଖଦୁଃଖ ପୂର୍ଣ୍ଣ ନିୟତ୍ତ ପ୍ରବାହର ବୟାନକୁ ନେଇ ଏହାର କଳେବର ଗଠିତ ।"
ସମାଜ ସହିତ ସାହିତ୍ୟ ଓତଃପ୍ରୋତ ଭାବରେ ଜଡ଼ିତ । ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । ସମାଜର ଚଳଣୀ , ସଂହତି , ସଂସ୍କାର , ସଂଯମତା , ସଂଯୋଜନା ଓ ବିକାଶ କ୍ଷେତ୍ରରେ ବ୍ୟତିକ୍ରମିକ ସମସ୍ୟା ଓ ତା'ର ସମାଧାନିକ ପନ୍ଥାକୁ ସ୍ଥିରୀକୃତ କରି , ସାମାଜିକ ପ୍ରତ୍ୟେକଟି ବ୍ୟବସ୍ଥା , ଅବ୍ୟବସ୍ଥା ପ୍ରତି ସାହିତ୍ୟିକ ତାଙ୍କର ସର୍ଜନାତ୍ମକ ଚିନ୍ତାଧାରା ଦ୍ଵାରା ଜନ ଜୀବନକୁ ସଚେତନ କରିବାର ପ୍ରଚେଷ୍ଟା ହିଁ ହେଉଛି , ଜଣେ ପ୍ରକୃଷ୍ଟ ସାହିତ୍ୟିକଙ୍କ ଦ୍ଵାରା ପ୍ରକୃତ ସମାଜ ସେବା । ଯାହା ଅନ୍ୟ ଅନେକ ସେବା କାର୍ଯ୍ୟ ମାନଙ୍କ ଠାରୁ ସଂପୂର୍ଣ୍ଣ ଦୁର୍ଲଭ , ତଥା ଅନନ୍ୟ ସାଧାରଣ । ସାହିତ୍ୟିକ ଜଣେ ବିସ୍ଫୋଟକ । ସେ ଜଣେ ମହାବିପ୍ଳବୀ । ସର୍ବୋପରି ସମାଜ ବକ୍ଷରେ ସେ ଜଣେ ସଶସ୍ତ୍ର ପ୍ରହରୀ । କେହି ତାଙ୍କୁ କହୁ ବା ନକହୁ , ସୂଚିତ କରି ନକରି ମଧ୍ୟ ସେ ତାଙ୍କର ଭାବ ସ୍ବଛନ୍ଦମୟ ସ୍ବାଧୀନ ଚିନ୍ତାଧାରାର ବଖାଣ ସମୟ ବିଶେଷରେ ତଥା ଆବଶ୍ୟକତା ଦୃଷ୍ଟିକୋଣରୁ ନିଶ୍ଚିତ କରିଥା'ନ୍ତି । ସେ ଦେଶର ଜଣେ ସଚେତନଶୀଳ ପ୍ରମୁଖ ନାଗରୀକ । କର୍ତ୍ତବ୍ୟ କ୍ଷେତ୍ରରେ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ , ଏ କ୍ଷେତ୍ରରେ ମଧ୍ୟ ସେ କୌଣସି ଲାଭ ବା ଦୁର୍ଲଭ ପୁରସ୍କାର କିମ୍ବା ଉଚ୍ଚ ପ୍ରଶଂସାର ଆଶା ବା ଅପେକ୍ଷା ରଖନ୍ତିନି । ବରଂ କ୍ଷତି ସହି ଅଶେଷ ନିନ୍ଦାବାଦକୁ ପାଥେୟ କରି , ଅବୋଧ୍ୟ ଅସଙ୍ଗତ ଲୋକଙ୍କଠୁ ବାକ୍ୟବାଣର ଆଟୋପ ମାଡ ସହି ସେ ପ୍ରାଣପଣେ ବାଟଚାଲନ୍ତି ଗୋଟେ ସୁସ୍ଥ ସମାଜର ଗଠନ ଭାରକୁ କାନ୍ଧେଇ ଧରି ; ଏକ ନୂତନ ସୂର୍ଯ୍ୟଙ୍କ ଉଦୟନର ଅପେକ୍ଷା ରଖନ୍ତି । ହଁ , ସେ ହିଁ ତ ସାହିତ୍ୟିକ । ତେବେ କୁହନ୍ତୁ ତ ଏତେ ସବୁ କାର୍ଯକାରୀ ଗୁଣଟି ଭିତରେ ସେ କ'ଣ ଜଣେ ସମାଜସେବା କରୁଥିବା ମଣିଷଟିଏ ନୁହଁନ୍ତି ?
ଯାହା ହିତ ସହ ଜଡ଼ିତ ତାହା ହିଁ ସାହିତ୍ୟ । ଭାଷା ବ୍ୟକ୍ତିକୁ ଉନ୍ମୁଖ କରାଏ , ମାତ୍ର ସାହିତ୍ୟ ସମାଜକୁ ପ୍ରକାଶ କରେ । ତା'ର ମୁଖା ଖୋଲେ । ସାହିତ୍ୟିକଙ୍କ ଦ୍ଵାରା ଜନ୍ମିତ ସାହିତ୍ୟ ସମାଜର ଦିଗ୍ଦର୍ଶକ , ନିୟାମକ ଓ ପ୍ରକାଶକ । ସେଥିପାଇଁ ତ କବି ଲେଖିଲେ -
"ଦୁନିଆର ପ୍ରତିଟି ଖବର-
ରୂପ ପାଏ ଲେଖନୀରେ ମୋର।"
ସାହିତ୍ୟିକଙ୍କ ଦ୍ଵାରା ସୃଷ୍ଟ ସାହିତ୍ୟ ଅୟୁତ ଆଖିର କେବଳ ଗୁଡାଏ ରଙ୍ଗିନ୍ ସ୍ଵପ୍ନ ନୁହେଁ ଆଉ ନୁହେଁ ମଧ୍ୟ କଳ୍ପନାର ଇନ୍ଦ୍ର ଜାଲିକତା । ଦେହବାଦୀ ଉତୁଙ୍ଗ କ୍ଷୁଧା , ପଦ୍ମଭୂକ୍ ଅଣାୟତ ରସବିକାର କିମ୍ବା ନୁହେଁ ମଧ୍ୟ ରସଘନ ମୂହୂର୍ତ୍ତର ନିବିଡ ଆଶ୍ଳେଷ । ସାହିତ୍ୟ ସମାଜ ଜୀବନର ଏକ ଚାରଣ ସତ୍ୟ । ଏକ ଶାଣିତ କଟୁରୀ , ବିଧି ବିଧାନକୁ ନେଇ ସେ ଏକ ବିଧାୟକ ତଥା ସମାଜ ଜୀବନର ବିଧାତା । ପ୍ରକାରାନ୍ତରେ ଜାତୀୟ ଜୀବନକୁ ପ୍ରକାଶ କରିବାରେ ତା'ର କୌଶଳ , ପ୍ରଚେଷ୍ଟା ଓ ଆସକ୍ତଭାବ , ସର୍ବୋପରି ସାମର୍ଥ୍ୟତା ଓ ଶକ୍ତି ଶତତ ପ୍ରଶଂସନୀୟ । ସେଲାଗି ତ କବି ମଧୁସୁଦନ ଉଦ୍ଘୋଷଣା କଲେ -
"ଜାତି ନନ୍ଦୀଘୋଷ ଚାଲିବକି ଭାଇ ସ୍ଵାର୍ଥକୁ ସାରଥୀ କଲେ
ଟାଣେକିରେ ଗାଡ଼ି ଦାନାର ତୋବଡା ଘୋଡ଼ା ମୁହେଁ ବନ୍ଧା ଥିଲେ ?"
ସାହିତ୍ୟ ସମାଜର ଉପାଦାନ । ସାହିତ୍ୟକୁ ଛାଡି ସମାଜର ବିକାଶ ଅସମ୍ଭବ । ସମାଜ କଲ୍ୟାଣ ପାଇଁ ସାହିତ୍ୟର ଶୁଭ ଦୃଷ୍ଟି ଅନନ୍ୟ ଓ ଅସାଧାରଣ । ସେଇଥିପାଇଁ ତ ସମାଲୋଚକ ମତ ଦେଲେ ଯେ - Literature is the mirror of society. ସମାଜର ମୁକୁର ହେଉଛି ସାହିତ୍ୟ । ସାହିତ୍ୟ ଆନନ୍ଦର ଏକ ଉତ୍ସ । ତେଣୁ ସାହିତ୍ୟକୁ ବ୍ରହ୍ମାନନ୍ଦ ସହୋଦର ବୋଲି କୁହାଯାଏ । ସାହିତ୍ୟ ହେଉଛି ସାହିତ୍ୟିକର ସର୍ବୋକୃଷ୍ଟ ଏକ କଳାତ୍ମକ ସମ୍ପଦ । ମାକ୍ - ମିସ୍ ତେଣୁ କହିଲେ -"The purpose of litretur is to help man to know himself , to fortify his belifein himself & support his striving after the truth. to discovered the good in people and to rootout what is ignoble , to kindly shame , worth,courage there heart of held then acquire a strength decided to lofty purpose and sanctify there lives with the holy spirit of beauty."
ସାହିତ୍ୟ ଏକ ସାଧନା । ସାହିତ୍ୟିକ ତାଙ୍କର ଦିବ୍ୟ ଦୃଷ୍ଟି ବଳରେ ସମଗ୍ର ସୃଷ୍ଟିକୁ ଦେଖି ପାରନ୍ତି । ସେ ଜଣେ ଏଭଳି ବିନ୍ଧାଣୀ ଯେ ତାଙ୍କ ସୃଷ୍ଟି ସର୍ବଦା ସମାଜରେ ଏକ ଅତୁଳନୀୟ ଭୂମିକା ନିର୍ବାହ କରିଥାଏ । ତେଣୁ ତ କଥିତ ଅଛି - ଅପାର କାବ୍ୟ ସଂସାରେ କବିରେବଃ ପ୍ରଜାପତିଃ । ସାହିତ୍ୟରେ କଳ୍ପନା ବିଳାସ ଥାଏ ସତ , ମାତ୍ର ତାହା ସମ୍ପୂର୍ଣ୍ଣ କଳ୍ପନାର ମାୟାଜାଲ ନୁହେଁ । କୋଇଲିର କୁହୁତାନ , ଫଗୁଣର ମଳୟ , ନାରୀର ପ୍ରେମ - ପ୍ରଣୟ , ଯୁବତୀର ସୌନ୍ଦର୍ଯ୍ୟ କେବଳ ସାହିତ୍ୟକୁ ରୁଦ୍ଧିମନ୍ତ କରି ନଥାଏ , ତହିଁରେ ବାସ୍ତବ ଜୀବନର ହା' ହା'କାର , ସମାଜର ଶୋଷଣ , ପୀଡ଼ନ , ନିର୍ଯ୍ୟାତନା ଓ ଆର୍ତ୍ତନାଦର ପ୍ରତିଟି ଚିନ୍ତନ ପ୍ରବାହର ଧରାବନ୍ଧା ଇସ୍ତାହାରରେ ସାହିତ୍ୟ ତା'ର ନିଜସ୍ବ କଳେବରକୁ ନିର୍ଘାତମୁଖୀ କରାଇ ସମାଜକୁ ବହୁ ଗୁଣରେ ଆଲୋଡିତ କରେ । ସମାଜରେ ସାହିତ୍ୟିକ ଜୀବନକୁ ଉନ୍ନତ ଓ ପବିତ୍ର କରିଥା'ନ୍ତି । ସମାଜର ଦୋଷ ଦୁର୍ବଳତାକୁ ମାର୍ଜିତ କରିଥା'ନ୍ତି ।
ପ୍ରାଚୀନ ଭାରତୀୟ ସାହିତ୍ୟରେ ସ୍ରଷ୍ଟା ବ୍ୟାସ , ବାଲ୍ମୀକି , କାଳିଦାସ , ସାରଳାଦାସ , ତୁଳସୀ ଦାସ ଏବଂ ବୈଷ୍ଣବୀୟ ସାହିତ୍ୟରେ ଜଗନ୍ନାଥ ଦାସ , ଅଚ୍ୟୁତାନନ୍ଦ ଦାସ , ଅନନ୍ତ , ଯଶୋବନ୍ତ ଆଦି ଓ ନୋବେଲ୍ ବିଜେତା ବଙ୍ଗୀୟକବି ରବିନ୍ଦ୍ର ନାଥାଦି ପ୍ରମୁଖ ସ୍ରଷ୍ଟା - ନୀତି , ଆଦର୍ଶ ଓ ଆଧ୍ୟାତ୍ମିକତା ଉପରେ ଯେଭଳି ଗୁରୁତ୍ୱ ଆରୋପ କରିଛନ୍ତି ତହା ଯେ ସମାଜର ସେବା ନିମନ୍ତେ କେବେ ବି ଉପଯୋଗୀ ନୁହଁ , ଏକଥା କେହି କହି ପାରିବେ କି ? ସେହିପରି ଋଷୋ , ଭୋଲ୍ ଟେୟାର୍ , ମଣ୍ଟସ୍କୁ ସାହିତ୍ୟିକ , ଦାର୍ଶନିକ ଓ ନବୀନ ଚେତନା ତଥା ସାହିତ୍ୟରେ ରେନେଁସାର ସୃଷ୍ଟିଧର । ସାହିତ୍ୟିକ ସତ୍ୟ-ଶିବ-ସୁନ୍ଦର ବାଣୀର ପ୍ରବର୍ତ୍ତକ । ସମ୍+ହିତ୍+ଯଃ ନ୍ୟାୟରେ ସାହିତ୍ୟିକ ସର୍ବଦା ସମାଜର ମଙ୍ଗଳକାମୀ ଅଟନ୍ତି । ଏହି କ୍ରମରେ ଆଦର୍ଶ ପ୍ରତିଷ୍ଠା ସାହିତ୍ୟର ମୂଳ ସେତୁ । ତେଣୁ ସାହିତ୍ୟିକଙ୍କ ଦ୍ୱାରା ଜନଚେତନା ସୃଷ୍ଟି ହୋଇଥାଏ ।
ଜଣେ ସୁସାହିତ୍ୟିକ ସୁସଂଜତ ଭାଷା ବିନ୍ୟାସ ମାଧ୍ୟମରେ ଭାବକୁ ସଂଞ୍ଚାରିତ କରି ମାର୍ଜିତ ଚିତ୍ରକଳ୍ପ ଓ ପ୍ରତୀକ ପ୍ରୟୋଗରେ ହୃଦୟର ସୌନ୍ଦର୍ଯ୍ୟା ଭାବକୁ ସମାଜର ପୃଷ୍ଠରେ ବିକିରିତ କରିଥା'ନ୍ତି । ଯାହା ଶିକ୍ଷାତ୍ମକତାର ପ୍ରଭାବ ବିସ୍ତାର ସହ ପ୍ରାଣରେ ପୁଲକ ସଂଞ୍ଚାର କରେ । ସେ ନେଇ ଭକ୍ତପ୍ରାଣ କବି ମଧୁସୂଦନ ରାଓ ଉନ୍ମୁଖ ପ୍ରାଣ ହୋଇ ଗାଇ ବସିଥିଲେ -
"ସୁଧାମୟ ସୃଷ୍ଟି
ମଧୁମୟ ସୃଷ୍ଟି
ଏ ସୃଷ୍ଟି ଅମୃତମୟହେ ।"
ଏତାଦୃଶ ସୌନ୍ଦର୍ଯ୍ୟ ଚେତନାକୁ ବାଦ୍ ଦେଲେ ସାହିତ୍ୟକଙ୍କର ସୃଜନଶୀଳ ସାହିତ୍ୟ ପ୍ରାଣବନ୍ତ , ରସବନ୍ତ , କଳାତ୍ମକ , କମନୀୟ , ରମଣୀୟ , ଉତ୍ସ୍ଵାସ ଭରା , ସାର୍ଥକ ଓ ଜୀବନ୍ତ ଭାବେ ସମାଜର ପ୍ରତ୍ୟେକଟି ସେବାରେ ସାହିତ୍ୟିକଙ୍କ ଦ୍ବାରା ନିଜକୁ ସାମିଲ କରି ପାରିଥାଏ ।
ଛାନ୍ଦ , ଚଉପଦୀ , ଅଳଙ୍କାର ମାଧ୍ୟମରେ ମଧ୍ୟ ରୂପକ , ବ୍ୟଞ୍ଜନା , ସାଂଙ୍କେତିକତାର ପ୍ରବାହ ଘଟାଇ ଜଣେ ସାହିତ୍ୟିକ ସାହିତ୍ୟରେ ଚତୁର୍ବର୍ଗ ଫଳ ପ୍ରଦାୟକ ସାଜିଥା'ନ୍ତି । ଏହି ପରିପ୍ରେକ୍ଷୀରେ ଦେଖି ବସିଲେ ସାହିତ୍ୟିକ ଓ ସାହିତ୍ୟର ବ୍ୟାପକତାକୁ ନିରୁପଣ କରିବା ଏକ ଦୁରୁହ ବ୍ୟାପାର । ତଥାପି ପରିଶେଷରେ ଏତିକି କହିବି ସାହିତ୍ୟ ଭିତରେ ଦେଶ , କାଳ ନିର୍ବିଶେଷରେ ସମାଜ ତଥା ମଣିଷର ପ୍ରକୃତ ସ୍ବରୁପ ବିଦ୍ୟମାନ । ଜୀବନକୁ ଗଢ଼ିବା ପାଇଁ ଓ ସଜାଡିବା ପାଇଁ ସାହିତ୍ୟରେ ସାହିତ୍ୟିକ ଯୁଗେ ଯୁଗେ ଦିଗ୍ଦର୍ଶକ । ସ୍ଥୂଳତଃ ସମାଜ ସେବା କ୍ଷେତ୍ରରେ ସାହିତ୍ୟିକଙ୍କର ସର୍ବଶ୍ରେଷ୍ଠ ଉପଯୋଗୀତା ରହିଥିବାରୁ ନିଶ୍ଚିତରେ ସେ ଜଣେ ଉନ୍ନତ ସମାଜସେବୀ ।
ଶିବଶକ୍ତି ଟେଣ୍ଟ୍ ହାଉସ୍ ଗଳି
ଖିଲାରୀ - ଅନୁଗୁଳ - ଓଡ଼ିଶା
ଫୋ- ୯୪୩୯୮୯୮୦୯୯
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।