2/28/2022

ସାହିତ୍ୟିକ ବି ଜଣେ ସମାଜ ସେବୀ

    ସ୍ବର୍ଣ୍ଣକାନ୍ତି ପତି
ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉଭୟେ ଉଭୟଙ୍କ ଉପରେ ନିର୍ଭରଶୀଳ ଓ ପରିପୂରକ , ଠିକ୍‌ ମୁଦ୍ରାର ଉଭୟ ପାର୍ଶ୍ୱ ପରି  ।ସାହିତ୍ୟ ହେଉଛି ଯୁଗାତୀତ  ଓ  ଯୁଗାନୁଶ୍ରୟୀ । ସାହିତ୍ୟରେ ସମାଜର ସାମ୍ପ୍ରତିକ ଚିତ୍ର , ସାମାଜିକ ସଂସ୍କୃତି , ଚଳଣି , ପରମ୍ପରା , ରାଜନୈତିକ  ଓ  ଧର୍ମୀୟ  ଚେତନାର  ପ୍ରତିଫଳନ ହୋଇଥାଏ  ।  ଆଉ  ଏହି  ସାହିତ୍ୟକୁ  ରଚନା କରେ  ଜଣେ ସାହିତ୍ୟିକ  ।  ସେ ହେଉଛି ସମାଜର ମଙ୍ଗୁଆଳ , କର୍ଣ୍ଣଧାର ଓ ନୂତନ ପଥ ପ୍ରଦର୍ଶକ । ତାକୁ ସମାଜ ସ୍ରଷ୍ଟା କହିଲେ ଅତ୍ୟୁକ୍ତି ହେବ ନାହିଁ ।

         ସାହିତ୍ୟିକ ସମାଜର ଚରମ ସତ୍ୟକୁ ତା'ର ଲେଖନୀରେ ପ୍ରକାଶ କରେ । ଯାହା ବଲମ କରି ପାରେ ନାହିଁ ତାହା ଜଣେ ସାହିତ୍ୟିକର କଲମ କରି ଦେଖାଇ ଦିଏ । ତା'ର କଲମ  ହେଉଛି  ଶାଣଦିଆ  ତରବାରୀ  ।  କୋଟି ହୃଦୟ କୁ ଛିନ୍ନ କରିପାରେ । ଲୁହର ଧାରାରେ  ଧରାକୁ ଭିଜେଇ ପାରେ । ପାପୁଲାଏ ବିଶ୍ୱାସରେ ବିଶ୍ୱର  ପରିକଳ୍ପନା  କରି ପାରେ । ଦେଶ ପ୍ରେମରେ  ଦେଶର ଦଶା  ଓ  ଦିଶାକୁ ବଦଳାଇ ପାରେ  ।  ସମାଜ ଜୀବନର ନବ ନିର୍ମାତା ସାଜିପାରେ । ତେଣୁ  ତାକୁ କୁହାଯାଏ ସମାଜର ଜାଗ୍ରତ ପ୍ରହରୀ । ସମାଜ ଯେତେବେଳେ  ବି  ବିପଥଗାମୀ ହୋଇଛି , ପତନଭିମୁଖୀ ହୋଇଛି ଓ ଭ୍ରଷ୍ଟାଚାର ଆଡ଼କୁ ଗତି କରିଛି  ସାହିତ୍ୟିକ ତା'ର ଶାଣିତ କରବାଳରେ  ଆକ୍ରମଣ କରିଛି  ।  ଠିକ୍‌ ବାଟକୁ ଆଣିବାକୁ ଚେଷ୍ଟା କରିଛି । ତେଣୁ ସେ ଜଣେ ଯଥାର୍ଥ ସମାଜ ସେବକ ।

        ସାହିତ୍ୟ  ଆଉ ସମାଜ ଓ ସମାଜର  ସମ୍ପର୍କ ସୁଗଭୀର । ସମାଜର ପ୍ରତିଟି ଛବି  ସାହିତ୍ୟ  ଦର୍ପଣରେ  ଉଦ୍ଭାସିତ  ହୁଏ  ।  ସମାଜର ଟିକିନିଖି   ବିବରଣୀକୁ  ସାହିତ୍ୟିକ  ତା'ର  କଳାତ୍ମକ  ଢଙ୍ଗରେ  ସାହିତ୍ୟରେ  ପରିବେଷଣ କରିଥାଏ  ଓ  ବିଶ୍ଵମାନବର ଚିନ୍ତା ଓ ଚେତନା ଓ ରୀତିନୀତିକୁ ସାହିତ୍ୟିକ ପ୍ରକାଶ କରିଥାଏ  । ତେଣୁ  ସେ  ହେଉଛି  ଜଣେ  ଚିନ୍ତା  ନାୟକ   ।   ସମାଜ  ଓ  ସାହିତ୍ୟ  ମଧ୍ୟରେ ସଂଯୋଗର  ସେତୁ  ଓ  ସୂତ୍ରଧର   ହେଉଛି  ସାହିତ୍ୟିକ  ।  ସାହିତ୍ୟିକ  ହେଉଛି ସମାଜର  ଦିଗଦ୍ରଷ୍ଟା  ।  ତା'ର  ଲେଖନୀ   ମାଧ୍ୟମରେ ନବ  ନବ   ଯୁଗାନ୍ତକାରୀ ଚେତନାକୁ  ପ୍ରକାଶ  କରି  ସମାଜକୁ   ଦୁର୍ଗତିରୁ  ରକ୍ଷା  କରିଥାଏ  ।  ସାହିତ୍ୟିକ  ସମାଜର ପ୍ରକୃତ ରୂପ ଉଦ୍ଘାଟନ କରେ ଏବଂ ବ୍ୟକ୍ତିର ନକଲି ମୁଖା କୁ ଖୋଲିଦିଏ ଓ ତା'ର ଅନ୍ତଃ ରୂପକୁ ଉଦ୍ଘାଟନ କରେ ।

           ରେନେସା ସମୟରେ ଫ୍ରାନ୍ସର ଅତ୍ୟାଚାରୀ ଶାସକ "ଲୁଇଁ"ଙ୍କୁ ଗାଦିଚ୍ୟୁତ କରାଇଥିଲା । ରୁଷୋ , ଭୋଲଟାୟାର , ମଣ୍ଟେଶୁ ପ୍ରମୁଖ  ସାହିତ୍ୟିକ  ଗୁରୁତ୍ଵପୂର୍ଣ୍ଣ ଭୂମିକା  ଗ୍ରହଣ କରିଥଲେ  ।  ରୁଷୋ , ଭୋଲ୍ଟେୟାର , ମଣ୍ଟେସ୍କୁ ପ୍ରମୁଖ ଦାର୍ଶନିକ ସାହିତ୍ୟିକ  ଅତ୍ୟାଚାରୀ ଜାର  ଶାସକକୁ ଗାଦିଚ୍ୟୁତ କରିଥିଲା  ।  ଆମେରିକାରୁ କ୍ରୀତଦାସ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ।  ଯୁଗେଯୁଗେ ସାହିତ୍ୟିକ ତା'ର  ଦିଗଦର୍ଶନ  ସମାଜକୁ  ଦେଇ  ଆସିଛି । ସମାଜକୁ  ଅନ୍ଧବିଶ୍ୱାସ , କୁପ୍ରଥା , ଅରାଜକତା ଓ ଅତ୍ୟାଚାରୀ ଶାସକରୁ ମୁକ୍ତ କରିଛି  ।  ସାହିତ୍ୟିକ ସମାଜକୁ ମଧ୍ୟ ପ୍ରଭାବିତ  କରିଥାଏ  ।  ସାହିତ୍ୟିକର   ସମାଜ  ଉପରେ  ଯେପରି   ଆନ୍ତରିକତା ସମାଜର  ମଧ୍ୟ  ସାହିତ୍ୟିକ  ଉପରେ  ସେପରି  ନିର୍ଭରତା  ।  ସାହିତ୍ୟିକ   ଅପୂର୍ବ ଦକ୍ଷତା ଅର୍ଜନ କରୁଥାଏ  । ସେହି ଦକ୍ଷତା ଅନୁସାରେ ସେ ସମାଜ କଲ୍ୟାଣ ପାଇଁ ସାହିତ୍ୟ ରଚନା କରେ  ।  ସେହି  ସାହିତ୍ୟ  ହୁଏ  କ୍ରାନ୍ତିକାରୀ , ପ୍ରଭାବଶାଳୀ  ଓ ଯୁଗୋପଯୋଗୀ ।  ସାହିତ୍ୟିକ ସାଜେ ସମାଜର ଦିଗଦ୍ରଷ୍ଟା  ।

        ସାହିତ୍ୟିକ ତା'ର ଦିବ୍ୟ ଦୃଷ୍ଟିରେ ସମଗ୍ର ସୃଷ୍ଟିକୁ ଦେଖିପାରେ । ସେ ଦେଖେ ତୈର୍ୟ୍ୟକ  ଦୃଷ୍ଟିରେ  ।  ସାଧାରଣ  ଆଖିକୁ  ଯାହା  ଦେଖାଯାଏ ନାହିଁ , ସାହିତ୍ୟିକ ସେ ସବୁ  ଧରି  ନିଏ  ।  ବିଷରେ ଅମୃତ ସନ୍ଧାନ , ନିରାନନ୍ଦରେ ଆନନ୍ଦ  ଓ  ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା କରେ  ।

          ସାହିତ୍ୟ ହେଉଛି ସମାଜର ବାସ୍ତବ ପ୍ରତିଛବି ।  ସାହିତ୍ୟ ହେଉଛି ବାସ୍ତବ ରୁପ  ।  ସାହିତ୍ୟିକ ସମାଜର ବାସ୍ତବ ଛବିରେ କଳ୍ପନାର  ଅଞ୍ଜନ  ଲଗେଇଦିଏ । ସାହିତ୍ୟିକ ହେଉଛି ଦ୍ଵିତୀୟ ବ୍ରହ୍ମା  , ତେଣୁ ସଂସ୍କୃତରେ କୁହାଯାଇଛି -- 'ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତି୮ ।' ସାହିତ୍ୟ  ସୃଷ୍ଟିକୁ  ସାହିତ୍ୟିକ  ସର୍ଜନା କରୁଥିବାରୁ ତାକୁ  ବ୍ରହ୍ମା  କୁହାଯାଏ  ।  ସାହିତ୍ୟିକ ଜଣେ  ସାଧାରଣ ଜୀଵ  ଏହି ସମାଜରେ  ।  ସମାଜରେ  ବଞ୍ଚେ  , ସମାଜରେ  ବଢେ  ।  ସମାଜର  ହାନିଲାଭ ମଧ୍ୟ ଦେଇ , ସମାଜର ଜଟିଳ ଜଞ୍ଜାଳ ଜ୍ୱାଳା ଦେଇ  ଗତି କରେ । ତେବେ ଅନ୍ୟ ଅପେକ୍ଷା  ବିଶେଷ ଭାବରେ  ସାମାଜିକ ହେଉ  କି  ନିଜର ଅସନ୍ତୋଷକୁ  ପ୍ରକାଶ କରିପାରେ । କାରଣ ସେ ସଚେତନ ଓ ନିର୍ଭୀକ । ଜାତିର ଦୁର୍ଗତିରେ ସେ ବିପ୍ଲବୀ ସାଜେ । ସେ ଜାତୀୟବାଦୀ ହୋଇପଡ଼େ ।

        ସାହିତ୍ୟିକ କଳ୍ପନା ବିଳାସୀ ଥାଏ । ତା'  ଭିତରେ  ସୌନ୍ଦର୍ୟ୍ୟ ବିଳାସ ଭରି ରହିଥାଏ । କୋଇଲିର କୁହୁତାନ , ଫଗୁଣର ମଳୟ , ନାରୀର ପ୍ରେମ ଓ ପ୍ରଣୟ , ଯୁବତୀର ସୌନ୍ଦର୍ୟ୍ୟେ ସାହିତ୍ୟିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ । ଏତତ ସହିତ ବାସ୍ତବ ଜୀବନର ହା'ହା'କାର , ନୂତନ ଚେତନା , ସମାଜର ଶୋଷଣ  ପୀଡନ ଓ ମଣିଷର ଅସହାୟତାକୁ  ମନସ୍ତାତ୍ଵିକ ଢଙ୍ଗରେ  ପ୍ରକାଶ କରିପାରେ ।  ସାହିତ୍ୟିକ ଅତ୍ୟାଚାରୀ   ଶାସନ  ବିରୁଦ୍ଧରେ   ବିଦ୍ରୋହ   କରିଛି  ।  ସମାଜରେ  ସାହିତ୍ୟକ ଜୀବନକୁ ଉନ୍ନତ , ପରିମାର୍ଜିତ ଓ ପବିତ୍ର କରିଥାଏ  ।  ମନ ସଂଯତ କରିଥାଏ  ।ଭଗବତମୁଖୀ କରାଇ ଜୀବନରେ ଶାନ୍ତି  ଆଣିବାର ପ୍ରୟାସ କରିଥାଏ । ପ୍ରାଚୀନ ଭାରତୀୟ   ସାହିତ୍ୟରେ   ସ୍ରଷ୍ଟା  ବ୍ୟାସ , ବାଲ୍ମୀକି , କାଳିଦାସ , ତୁଳସୀ  ଦାସ , ସାରଳା  ଦାସ , ଜଗନ୍ନାଥ  ଦାସ, ବଳରାମ ଦାସ , ରବୀନ୍ଦ୍ର  ନାଥ  ପ୍ରମୁଖ  ସ୍ରଷ୍ଟା ନୀତି , ଆଦର୍ଶ  ଓ  ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେଇଛନ୍ତି  ।  ଠିକ  ସେହିପରି ପାଶ୍ଚାତ୍ୟ ସାହିତ୍ୟରେ ସେପରି ହୋମର , ସେକ୍ରେଟିସ , ସେକ୍ସପିଅର , ଟଲଷ୍ଟୟ , ରକି , ଗଟେ ପ୍ରମୁଖ ସାହିତ୍ୟିକ ମଧ୍ୟ ଆଧ୍ୟ୍ୟତ୍ମିକତା ଉପରେ ଗୁରୁତ୍ୱ ଦେଇଛନ୍ତି । 

         ଭାରତୀୟ ମୁକ୍ତି  ସଂଗ୍ରାମରେ ସାହିତ୍ୟିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।ରବୀନ୍ଦ୍ରନାଥ  ଠାକୁର , ବଙ୍କିମ  ଚନ୍ଦ୍ର  ଚଟାର୍ଜୀ , ପ୍ରେମଚାନ୍ଦ , ସଚ୍ଚି  ରାଉତରାୟ , ଗାନ୍ଧିଜୀ , ନେହେରୁ , କୁନ୍ତଳା  କୁମାରୀ  ସାବତ ,  ରମାକାନ୍ତ  ରଥ , ଗୋପବନ୍ଧୁ , ଫକୀର ମୋହନ , ବୀରକିଶୋର  ରାୟ , ଗୋଦାବରୀଶ  ମହାପାତ୍ର , ନୀଳକଣ୍ଠ ଦାଶ , ଅନନ୍ତ ପଟ୍ଟନାୟକ ପ୍ରମୁଖ ନବ ନବ ଚେତନାର ବାଣୀରେ ଦେଶ ମଧ୍ୟରେ ଜାତିପ୍ରେମ ବହ୍ନି ହୁତୁହୁତୁ ହୋଇ ଜଳିଥିଲା ।

          ସମାଜରେ  ସାହିତ୍ୟିକ  ସତ୍ୟ , ଶିବ  ଓ  ସୁନ୍ଦରର  ବାଣୀ  ପ୍ରଚାର  କରି ଆସୁଛି । ସମାଜ ଯୁଗେ ଯୁଗେ ଉପକୃତ ହୋଇଛି । ସାହିତ୍ୟିକ ସମାଜର ମଙ୍ଗଳ କାମନା କରେ  ।  ନିଜ ନୀତି ଓ ଆଦର୍ଶକୁ ବଜାୟ ରଖେ । କାରଣ ସମାଜ ତାକୁ ହିଁ ରୋଲ ମଡେଲ ଭାବେ । ସମାଜ କଲ୍ୟାଣ ସାହିତ୍ୟିକର ମୂଳ ଲକ୍ଷ୍ୟ । ଆଦର୍ଶ ସମାଜ ପ୍ରତିଷ୍ଠା ତା'ର ମୂଳ ଲକ୍ଷ୍ୟ  ।  କାରଣ ସାହିତ୍ୟ ସ୍ୱପ୍ନର  ଇନ୍ଦ୍ର ଜାଲ ନୁହେଁ  ବରଂ ସାହିତ୍ୟ ନିଷ୍ଠୁର ବାସ୍ତବତାକୁ ପ୍ରକାଶ କରେ  । ମଣିଷକୁ  ସଂଗ୍ରାମୀ କରିବା ଶିଖାଏ  ଓ  ସଚେତନ  ବାର୍ତ୍ତା  ଦିଏ  ଏବଂ  ଶାନ୍ତି  ଓ  ମୈତ୍ରୀର  ବାର୍ତ୍ତା ଶୁଣାଏ । ଜୀବନରେ ଆନନ୍ଦ ସଞ୍ଚାର କରେ । ତେଣୁ ଯଥାର୍ଥରେ  ସାହିତ୍ୟିକ ଜଣେ ସମାଜ ସେବକ ଏଥିରେ ଦ୍ଵିରୁକ୍ତି ନାହିଁ  ।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।