ସ୍ବର୍ଣ୍ଣକାନ୍ତି ପତି
ସାହିତ୍ୟିକ ସମାଜର ଚରମ ସତ୍ୟକୁ ତା'ର ଲେଖନୀରେ ପ୍ରକାଶ କରେ । ଯାହା ବଲମ କରି ପାରେ ନାହିଁ ତାହା ଜଣେ ସାହିତ୍ୟିକର କଲମ କରି ଦେଖାଇ ଦିଏ । ତା'ର କଲମ ହେଉଛି ଶାଣଦିଆ ତରବାରୀ । କୋଟି ହୃଦୟ କୁ ଛିନ୍ନ କରିପାରେ । ଲୁହର ଧାରାରେ ଧରାକୁ ଭିଜେଇ ପାରେ । ପାପୁଲାଏ ବିଶ୍ୱାସରେ ବିଶ୍ୱର ପରିକଳ୍ପନା କରି ପାରେ । ଦେଶ ପ୍ରେମରେ ଦେଶର ଦଶା ଓ ଦିଶାକୁ ବଦଳାଇ ପାରେ । ସମାଜ ଜୀବନର ନବ ନିର୍ମାତା ସାଜିପାରେ । ତେଣୁ ତାକୁ କୁହାଯାଏ ସମାଜର ଜାଗ୍ରତ ପ୍ରହରୀ । ସମାଜ ଯେତେବେଳେ ବି ବିପଥଗାମୀ ହୋଇଛି , ପତନଭିମୁଖୀ ହୋଇଛି ଓ ଭ୍ରଷ୍ଟାଚାର ଆଡ଼କୁ ଗତି କରିଛି ସାହିତ୍ୟିକ ତା'ର ଶାଣିତ କରବାଳରେ ଆକ୍ରମଣ କରିଛି । ଠିକ୍ ବାଟକୁ ଆଣିବାକୁ ଚେଷ୍ଟା କରିଛି । ତେଣୁ ସେ ଜଣେ ଯଥାର୍ଥ ସମାଜ ସେବକ ।
ସାହିତ୍ୟ ଆଉ ସମାଜ ଓ ସମାଜର ସମ୍ପର୍କ ସୁଗଭୀର । ସମାଜର ପ୍ରତିଟି ଛବି ସାହିତ୍ୟ ଦର୍ପଣରେ ଉଦ୍ଭାସିତ ହୁଏ । ସମାଜର ଟିକିନିଖି ବିବରଣୀକୁ ସାହିତ୍ୟିକ ତା'ର କଳାତ୍ମକ ଢଙ୍ଗରେ ସାହିତ୍ୟରେ ପରିବେଷଣ କରିଥାଏ ଓ ବିଶ୍ଵମାନବର ଚିନ୍ତା ଓ ଚେତନା ଓ ରୀତିନୀତିକୁ ସାହିତ୍ୟିକ ପ୍ରକାଶ କରିଥାଏ । ତେଣୁ ସେ ହେଉଛି ଜଣେ ଚିନ୍ତା ନାୟକ । ସମାଜ ଓ ସାହିତ୍ୟ ମଧ୍ୟରେ ସଂଯୋଗର ସେତୁ ଓ ସୂତ୍ରଧର ହେଉଛି ସାହିତ୍ୟିକ । ସାହିତ୍ୟିକ ହେଉଛି ସମାଜର ଦିଗଦ୍ରଷ୍ଟା । ତା'ର ଲେଖନୀ ମାଧ୍ୟମରେ ନବ ନବ ଯୁଗାନ୍ତକାରୀ ଚେତନାକୁ ପ୍ରକାଶ କରି ସମାଜକୁ ଦୁର୍ଗତିରୁ ରକ୍ଷା କରିଥାଏ । ସାହିତ୍ୟିକ ସମାଜର ପ୍ରକୃତ ରୂପ ଉଦ୍ଘାଟନ କରେ ଏବଂ ବ୍ୟକ୍ତିର ନକଲି ମୁଖା କୁ ଖୋଲିଦିଏ ଓ ତା'ର ଅନ୍ତଃ ରୂପକୁ ଉଦ୍ଘାଟନ କରେ ।
ରେନେସା ସମୟରେ ଫ୍ରାନ୍ସର ଅତ୍ୟାଚାରୀ ଶାସକ "ଲୁଇଁ"ଙ୍କୁ ଗାଦିଚ୍ୟୁତ କରାଇଥିଲା । ରୁଷୋ , ଭୋଲଟାୟାର , ମଣ୍ଟେଶୁ ପ୍ରମୁଖ ସାହିତ୍ୟିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥଲେ । ରୁଷୋ , ଭୋଲ୍ଟେୟାର , ମଣ୍ଟେସ୍କୁ ପ୍ରମୁଖ ଦାର୍ଶନିକ ସାହିତ୍ୟିକ ଅତ୍ୟାଚାରୀ ଜାର ଶାସକକୁ ଗାଦିଚ୍ୟୁତ କରିଥିଲା । ଆମେରିକାରୁ କ୍ରୀତଦାସ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା । ଯୁଗେଯୁଗେ ସାହିତ୍ୟିକ ତା'ର ଦିଗଦର୍ଶନ ସମାଜକୁ ଦେଇ ଆସିଛି । ସମାଜକୁ ଅନ୍ଧବିଶ୍ୱାସ , କୁପ୍ରଥା , ଅରାଜକତା ଓ ଅତ୍ୟାଚାରୀ ଶାସକରୁ ମୁକ୍ତ କରିଛି । ସାହିତ୍ୟିକ ସମାଜକୁ ମଧ୍ୟ ପ୍ରଭାବିତ କରିଥାଏ । ସାହିତ୍ୟିକର ସମାଜ ଉପରେ ଯେପରି ଆନ୍ତରିକତା ସମାଜର ମଧ୍ୟ ସାହିତ୍ୟିକ ଉପରେ ସେପରି ନିର୍ଭରତା । ସାହିତ୍ୟିକ ଅପୂର୍ବ ଦକ୍ଷତା ଅର୍ଜନ କରୁଥାଏ । ସେହି ଦକ୍ଷତା ଅନୁସାରେ ସେ ସମାଜ କଲ୍ୟାଣ ପାଇଁ ସାହିତ୍ୟ ରଚନା କରେ । ସେହି ସାହିତ୍ୟ ହୁଏ କ୍ରାନ୍ତିକାରୀ , ପ୍ରଭାବଶାଳୀ ଓ ଯୁଗୋପଯୋଗୀ । ସାହିତ୍ୟିକ ସାଜେ ସମାଜର ଦିଗଦ୍ରଷ୍ଟା ।
ସାହିତ୍ୟିକ ତା'ର ଦିବ୍ୟ ଦୃଷ୍ଟିରେ ସମଗ୍ର ସୃଷ୍ଟିକୁ ଦେଖିପାରେ । ସେ ଦେଖେ ତୈର୍ୟ୍ୟକ ଦୃଷ୍ଟିରେ । ସାଧାରଣ ଆଖିକୁ ଯାହା ଦେଖାଯାଏ ନାହିଁ , ସାହିତ୍ୟିକ ସେ ସବୁ ଧରି ନିଏ । ବିଷରେ ଅମୃତ ସନ୍ଧାନ , ନିରାନନ୍ଦରେ ଆନନ୍ଦ ଓ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା କରେ ।
ସାହିତ୍ୟ ହେଉଛି ସମାଜର ବାସ୍ତବ ପ୍ରତିଛବି । ସାହିତ୍ୟ ହେଉଛି ବାସ୍ତବ ରୁପ । ସାହିତ୍ୟିକ ସମାଜର ବାସ୍ତବ ଛବିରେ କଳ୍ପନାର ଅଞ୍ଜନ ଲଗେଇଦିଏ । ସାହିତ୍ୟିକ ହେଉଛି ଦ୍ଵିତୀୟ ବ୍ରହ୍ମା , ତେଣୁ ସଂସ୍କୃତରେ କୁହାଯାଇଛି -- 'ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତି୮ ।' ସାହିତ୍ୟ ସୃଷ୍ଟିକୁ ସାହିତ୍ୟିକ ସର୍ଜନା କରୁଥିବାରୁ ତାକୁ ବ୍ରହ୍ମା କୁହାଯାଏ । ସାହିତ୍ୟିକ ଜଣେ ସାଧାରଣ ଜୀଵ ଏହି ସମାଜରେ । ସମାଜରେ ବଞ୍ଚେ , ସମାଜରେ ବଢେ । ସମାଜର ହାନିଲାଭ ମଧ୍ୟ ଦେଇ , ସମାଜର ଜଟିଳ ଜଞ୍ଜାଳ ଜ୍ୱାଳା ଦେଇ ଗତି କରେ । ତେବେ ଅନ୍ୟ ଅପେକ୍ଷା ବିଶେଷ ଭାବରେ ସାମାଜିକ ହେଉ କି ନିଜର ଅସନ୍ତୋଷକୁ ପ୍ରକାଶ କରିପାରେ । କାରଣ ସେ ସଚେତନ ଓ ନିର୍ଭୀକ । ଜାତିର ଦୁର୍ଗତିରେ ସେ ବିପ୍ଲବୀ ସାଜେ । ସେ ଜାତୀୟବାଦୀ ହୋଇପଡ଼େ ।
ସାହିତ୍ୟିକ କଳ୍ପନା ବିଳାସୀ ଥାଏ । ତା' ଭିତରେ ସୌନ୍ଦର୍ୟ୍ୟ ବିଳାସ ଭରି ରହିଥାଏ । କୋଇଲିର କୁହୁତାନ , ଫଗୁଣର ମଳୟ , ନାରୀର ପ୍ରେମ ଓ ପ୍ରଣୟ , ଯୁବତୀର ସୌନ୍ଦର୍ୟ୍ୟେ ସାହିତ୍ୟିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଥାଏ । ଏତତ ସହିତ ବାସ୍ତବ ଜୀବନର ହା'ହା'କାର , ନୂତନ ଚେତନା , ସମାଜର ଶୋଷଣ ପୀଡନ ଓ ମଣିଷର ଅସହାୟତାକୁ ମନସ୍ତାତ୍ଵିକ ଢଙ୍ଗରେ ପ୍ରକାଶ କରିପାରେ । ସାହିତ୍ୟିକ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ବିଦ୍ରୋହ କରିଛି । ସମାଜରେ ସାହିତ୍ୟକ ଜୀବନକୁ ଉନ୍ନତ , ପରିମାର୍ଜିତ ଓ ପବିତ୍ର କରିଥାଏ । ମନ ସଂଯତ କରିଥାଏ ।ଭଗବତମୁଖୀ କରାଇ ଜୀବନରେ ଶାନ୍ତି ଆଣିବାର ପ୍ରୟାସ କରିଥାଏ । ପ୍ରାଚୀନ ଭାରତୀୟ ସାହିତ୍ୟରେ ସ୍ରଷ୍ଟା ବ୍ୟାସ , ବାଲ୍ମୀକି , କାଳିଦାସ , ତୁଳସୀ ଦାସ , ସାରଳା ଦାସ , ଜଗନ୍ନାଥ ଦାସ, ବଳରାମ ଦାସ , ରବୀନ୍ଦ୍ର ନାଥ ପ୍ରମୁଖ ସ୍ରଷ୍ଟା ନୀତି , ଆଦର୍ଶ ଓ ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେଇଛନ୍ତି । ଠିକ ସେହିପରି ପାଶ୍ଚାତ୍ୟ ସାହିତ୍ୟରେ ସେପରି ହୋମର , ସେକ୍ରେଟିସ , ସେକ୍ସପିଅର , ଟଲଷ୍ଟୟ , ରକି , ଗଟେ ପ୍ରମୁଖ ସାହିତ୍ୟିକ ମଧ୍ୟ ଆଧ୍ୟ୍ୟତ୍ମିକତା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଭାରତୀୟ ମୁକ୍ତି ସଂଗ୍ରାମରେ ସାହିତ୍ୟିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ରବୀନ୍ଦ୍ରନାଥ ଠାକୁର , ବଙ୍କିମ ଚନ୍ଦ୍ର ଚଟାର୍ଜୀ , ପ୍ରେମଚାନ୍ଦ , ସଚ୍ଚି ରାଉତରାୟ , ଗାନ୍ଧିଜୀ , ନେହେରୁ , କୁନ୍ତଳା କୁମାରୀ ସାବତ , ରମାକାନ୍ତ ରଥ , ଗୋପବନ୍ଧୁ , ଫକୀର ମୋହନ , ବୀରକିଶୋର ରାୟ , ଗୋଦାବରୀଶ ମହାପାତ୍ର , ନୀଳକଣ୍ଠ ଦାଶ , ଅନନ୍ତ ପଟ୍ଟନାୟକ ପ୍ରମୁଖ ନବ ନବ ଚେତନାର ବାଣୀରେ ଦେଶ ମଧ୍ୟରେ ଜାତିପ୍ରେମ ବହ୍ନି ହୁତୁହୁତୁ ହୋଇ ଜଳିଥିଲା ।
ସମାଜରେ ସାହିତ୍ୟିକ ସତ୍ୟ , ଶିବ ଓ ସୁନ୍ଦରର ବାଣୀ ପ୍ରଚାର କରି ଆସୁଛି । ସମାଜ ଯୁଗେ ଯୁଗେ ଉପକୃତ ହୋଇଛି । ସାହିତ୍ୟିକ ସମାଜର ମଙ୍ଗଳ କାମନା କରେ । ନିଜ ନୀତି ଓ ଆଦର୍ଶକୁ ବଜାୟ ରଖେ । କାରଣ ସମାଜ ତାକୁ ହିଁ ରୋଲ ମଡେଲ ଭାବେ । ସମାଜ କଲ୍ୟାଣ ସାହିତ୍ୟିକର ମୂଳ ଲକ୍ଷ୍ୟ । ଆଦର୍ଶ ସମାଜ ପ୍ରତିଷ୍ଠା ତା'ର ମୂଳ ଲକ୍ଷ୍ୟ । କାରଣ ସାହିତ୍ୟ ସ୍ୱପ୍ନର ଇନ୍ଦ୍ର ଜାଲ ନୁହେଁ ବରଂ ସାହିତ୍ୟ ନିଷ୍ଠୁର ବାସ୍ତବତାକୁ ପ୍ରକାଶ କରେ । ମଣିଷକୁ ସଂଗ୍ରାମୀ କରିବା ଶିଖାଏ ଓ ସଚେତନ ବାର୍ତ୍ତା ଦିଏ ଏବଂ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଶୁଣାଏ । ଜୀବନରେ ଆନନ୍ଦ ସଞ୍ଚାର କରେ । ତେଣୁ ଯଥାର୍ଥରେ ସାହିତ୍ୟିକ ଜଣେ ସମାଜ ସେବକ ଏଥିରେ ଦ୍ଵିରୁକ୍ତି ନାହିଁ ।
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।