7/05/2019

ଜୀବନର - କାନଭାସ୍‌

ଲିଓ ଦାସ 
ତୁମେ ଯାହାକୁ
ଦୁଃଖ ବୋଲି କହୁଛ....
ମୁଁ ତା'କୁ
ଢକ ଢକ କରି
ପି' ଦେଇଛି ଅନେକ ଦିନ ଆଗରୁ....
ଏବେ ଖାଲି ଯାହା
ମନ୍ଦା ମନ୍ଦା ଲୁଣିଆ ଲୁହ
ଆକ୍ତାମାକ୍ତା କରେ
ମୋ' ଖସରା ସୁଖକୁ......

ସହରର ଅନ୍ଧାରୁଆ
ଅଙ୍କାବଙ୍କା ଗଳିଟାରେ
ଅଧରାତିରେ
ସାଇକେଲର ଜଙ୍ଗ୍ ଲଗା ବେଲ୍ ପରି
ଆଜିକାଲି ବଡ଼ କର୍କଶ ଶୁଭେ
ମୋ ଛାତି ତଳ ସ୍ପନ୍ଦନ......
ସ୍ୱପ୍ନ ସବୁ ମୋ ପ୍ଲାଷ୍ଟିକ୍‌ର
ହାତୀ ଘୋଡା ପେଁ କାଳି
ଆଠଣୀ ଭାଉରେ ନିଇତି ବିକନ୍ତି
ଦ୍ବିପ୍ରହରର ମିନାବଜାରରେ....
ବୟସଟାକୁ ଜିଇଁବା କ'ଣ
ଏତେ ସହଜ କଥା.....??
ସେ ତ ଏଠି ନିଇତି
ଘଷି ହେଉଥାଏ
ଚନ୍ଦନ ପେଡିଟାରେ
ଚନ୍ଦନ କାଠଟେ ପରି.....
ଏଠି ସୁଖ କଣ....
ଦୁଃଖ କଣ.....??
ପାପ କଣ.....
ପୁଣ୍ୟ କଣ..??

ସେ ସବୁର ମୁଁ ହିସାବ ରଖେନା....
ଏ ସବୁକୁ କେବେଠୁ ମୁଁ
ଚିପୁଡି ଶୁଖେଇ ଦେଇଛି
ମୋ ହୃଦୟର ନହକା କାନ୍ଥରେ...
ବତୁରା ରଙ୍ଗଛଡା ଏ ଜୀବନଟାକୁ
କିଏ ବା ଆଉ ପଚାରେ...??
ସେ ତ ବାୟା ଭଉଁରୀଟେ....
ଯିଏ ନିଇତି ଭେଟେ ମୋତେ
ମୋ ପଖାଳ କଂସାରେ....
ତେଲ,ଲୁଣ,ଶାଗର ଥାଳିରେ...

କେବେ କେବେ
ଏଇ ଅଛି
ଏଇ ନାହିଁ କହି
ରାତିର ରଫ୍ ଖାତାରେ
ଅଳସୀ ଜହ୍ନର ଚିତ୍ର ଆଙ୍କେ
କେତେ ଲେଖେ
କେତେ ଗାରାଏ
କିଛି ବି ଜାଣେନା.....
ବାସ୍.....
ରାତି ପାହେ ଆଖି ଭିଜେ
ସ୍ୱପ୍ନ ମରେ ମନ ହଜେ

ହେଲେ
ଫେରେନା.....ଫେରନା....
ସେ ମୋ ଛଳଛଳ
ମୋହାବିଷ୍ଟ
ସୁଖର ସକାଳ.....
ଆଉ ମହମହ ମିଠା ମିଠା
ସେ ମଧୁଝରା ସ୍ମୃତି..........।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।