ଗୋପବନ୍ଧୁ ଗୌଡ଼ (ଶିକ୍ଷକ)
ଏଡ୍ସ୍ ବିଂଶ ଶତାବ୍ଦୀର ସବୁଠାରୁ ଭୟଙ୍କର ଏକ ସଂକ୍ରାମକ ରୋଗ ।ଏହାର ସମ୍ପୂର୍ଣ୍ଣ ଇଂରାଜୀ ନାମଟି-ଆକ୍ୱାର୍ଡ ଇମୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ(Acquired immuno Deficiency syndrome) ।ସଂକ୍ଷେପରେ ଏହାକୁ ଏଡ୍ସ୍ (AIDS) କୁହାଯାଏ ।
ଏଡସ ଏକ ଭୁତାଣୁ ଜନିତ ରୋଗ ଅଟେ । ମୁଖ୍ୟତଃ ଏହା ଯୌନ ସମ୍ପର୍କ ଦ୍ୱାରା ବ୍ୟାପିଥାଏ ।ତା' ଛଡା ରୋଗୀର ରକ୍ତ ଅନ୍ୟ କାହା ଦେହରେ ଦିଆ ଗଲେ ରକ୍ତ ନେବା ଲୋକଟି ରୋଗାକ୍ରାନ୍ତ ହୋଇଥାଏ । ରୋଗୀ ବ୍ୟବହାର କରୁଥିବା ନିଡ୍ଲ୍ ଓ ସିରିଞ୍ଜ୍ରେ ଅନ୍ୟଜଣକୁ ଇଞ୍ଜେକ୍ସନ୍ ଦେଲେ ମଧ୍ୟ ଏହି ରୋଗ ବ୍ୟାପି ଥାଏ । ସେଲୁନ୍ ଗୁଡିକରେ ରୋଗୀ ବ୍ୟବହାର କରିଥିବା ବ୍ଲେଡ୍ ଅନ୍ୟଜଣେ ବ୍ୟବହାର କଲେ ମଧ୍ୟ ଏହି ରୋଗ ସଂକ୍ରମଣ ହେବା ସମ୍ଭାବନା ଥାଏ । ଗର୍ଭବତୀ ମହିଳାମାନେ ଏହିରୋଗରେ ଶିକାର ଥିଲେ ସେମାନଙ୍କ ଶିଶୁ ମାନଙ୍କୁ ମଧ୍ୟ ଏହି ରୋଗ ଆସିବା ସମ୍ଭାବନା ଥାଏ । ମାଆ ଦେହରୁ ଏହି ରୋଗର ଭୁତାଣୁ ଶିଶୁ ଦେହକୁ ଗର୍ଭାବସ୍ଥାରେ କିମ୍ବା ପ୍ରସବ ସମୟରେ ରକ୍ତ ପ୍ରବାହ ମଧ୍ୟଦେଇ ଯାଇଥାଏ ।
ଏହି ଭୁତାଣୁ ଶ୍ୱେତ ରକ୍ତକଣିକାରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିର କାର୍ଯ୍ୟକ୍ଷମତାକୁ ନଷ୍ଟ କରିଦିଏ । ଫଳରେ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି କମି ଯାଏ । ଏଡ୍ସ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କ ଠାରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଏ । ଅଧିକାଂଶ ଶିଶୁ ମାନେ ନିମୋନିଆ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ ତାହା ସହଜରେ ଭଲ ହୁଏ ନାହିଁ । ଜନ୍ମରୁ ଆକ୍ରାନ୍ତ ଅନେକ ଶିଶୁଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧି ବିଳମ୍ବିତ ହୋଇଥାଏ । କାରଣ ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କର ମସ୍ତିଷ୍କର ଅଭିବୃଦ୍ଧି ଠିକ୍ ରୂପେ ହୁଏ ନାହିଁ । ଅନ୍ୟ ଏକ ମୁଖ୍ୟ ଲକ୍ଷଣଟି ହେଲା ଅସ୍ବାଭାବିକ ଓଜନ ହ୍ରାସ । ଏଡ୍ସ୍ ରୋଗୀ ଅତି ସହଜରେ ଯେକୌଣସି ସଂକ୍ରମଣରେ ଆକ୍ରାନ୍ତ ହୁଏ ଓ ଶରୀରର ରୋଗପ୍ରତିରୋଧକ ଶକ୍ତି କ୍ଷୀଣ ହେବାରୁ ସେ ରୋଗମୁକ୍ତ ହୁଏ ନାହିଁ । ଅବାଳ - ବୃଦ୍ଧ - ବନିତା ସମସ୍ତେ ସାମାନ୍ୟ ଅସାବଧାନତା ପାଇଁ ଏହି ରୋଗରେ ପୀଡିତ ହୋଇ ଅକର୍ମଣ୍ୟ ଅବସ୍ଥାରେ ଜୀବନ ବିତାଇ ଶେଷରେ ମୃତ୍ୟୁବରଣ କରନ୍ତି ।
ଚିକିତ୍ସା:
ଏହି ରୋଗରୁ ସମ୍ପୂର୍ଣ ଆରୋଗ୍ୟ ହେବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ନାହିଁ । ତେବେ ରୋଗାକ୍ରାନ୍ତ ଶିଶୁ ମାନଙ୍କୁ ହ୍ୟୁମାନ ଗାମା-ଗ୍ଲୋବୁଲିନ ନାମକ ଆଇ.ଭି(I.V) ଦେଇ ତା'ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରାଯାଏ । ଭୁତାଣୁ ବିନାଶକାରୀ ଔଷଧ ମଧ୍ୟ ଦିଆଯାଏ ।ବଡ଼ ମାନଙ୍କ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଭୁତାଣୁ ଗୁଡିକୁ ନିୟନ୍ତ୍ରଣ କରିବା ସକାଶେ ଔଷଧ ଦିଆଯାଏ । ଏହି ରୋଗରେ ପୀଡିତ ବ୍ୟକ୍ତି ମାନଙ୍କ ସହ ମିଳିମିଶି ରହିବା, ସାଥିରେ ବୁଲିବା, ଏକାଠି ଖାଇବା ଏବଂ ସେମାନଙ୍କ ପୋଷାକପତ୍ର ବ୍ୟବହାର କରିବା ଦ୍ୱାରା କୌଣସି ପ୍ରକାରେ ରୋଗ ସଂକ୍ରମଣ ହୋଇ ନ ଥାଏ । ଏଣୁ ସେମାନଙ୍କ ସହ ମିଶି ଧୈର୍ଯ୍ୟ ଓ ସାହସ ଦେବା ଦ୍ୱାରା ତାଙ୍କ ଭିତରେ ମନୋବଳ ବଢିବା ସହ ଅଧିକ ଦିନ ବଞ୍ଚି ପାରନ୍ତି ।
ଏହି ରୋଗର ଭୟାବହତା ତଥା ରୋଗ ବ୍ୟାପିବା କାରଣ ସମ୍ପର୍କରେ ଜନସଚେତନତା କରାଇ ରୋଗକୁ ନିବାରଣ କରାଯାଇ ପାରେ । ଏହି ଉଦ୍ଦେଶ୍ଯରେ ପ୍ରତିବର୍ଷ ଡିସେମ୍ବେର-୦୧ ତାରିଖକୁ ବିଶ୍ୱ ଏଡ୍ସ୍ ଦିବସ ରୂପେ ପାଳନ କରାଯାଏ ।
ପ୍ରାଥମିକ ବିଦ୍ଯାଳୟ
ଟୌକିପେଣ୍ଠ - ଆନ୍ଧ୍ରପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।