7/05/2019

ବର୍ଷା

ପ୍ରେମଶିଲା ରାଉତ


ଆହାଃ କି ସୁନ୍ଦର ଟୁପୁର ଟାପୁରୁ
ମନଲୋଭା ବର୍ଷା ଶବ୍ଦ
ଦେଖି ସତେ ମନେ ହସ ଖେଳିଯାଏ
 ଦୂର ହୋଇଯାଏ କ୍ରୋଧ      ।

ଝିପି ଝିପି ତା'ର ଟୋପାର ଛୁଆଁରେ
ମନୁ ହଜିଯାଏ ଦୁଃଖ
ଭୁଲି ହେଇଯାଏ ମୁହୂର୍ତ୍ତକ ପାଇଁ
 ଯନ୍ତ୍ରଣା ଦାୟକ ଭୋକ       ।

ମେଘମଲ୍ଲାର ସାଙ୍ଗେ ଆସେ ବିଜୁଳି
 ଆସଇ ବରଷା  ରାଣୀ
ତା' ସାଥେ ନେଇ ଆସିଥାଏ ସତେ
 ଖୁସିର ସବୁଜ ମଣି    ।

ଆଗମନେ ତା'ର ମୟୂର ନାଚଇ
ନାଚେ ଏ ବିଶ୍ଵ ଜଗତ
ଗଛ ଲତା ନର ପଶୁ ପକ୍ଷୀ ଯାଏଁ
 ତା' ସାନ୍ନିଧ୍ୟରେ ପୂରିତ       ।


ବିନ୍ଦୁ ବିନ୍ଦୁ ହୋଇ ଆକାଶରୁ ବର୍ଷା
ଖସି ପଡ଼ଇ ଭୂଇଁରେ
ସୁନ୍ଦର  ଦିଶେ ଏ ମନଲୋଭା ଦୃଶ୍ୟ
 ଦେଖି ଏ ମାଟି ହସେରେ    ।

ମହମହ ସେଇ ମାଟିର ବାସ୍ନାରେ
ଗାଁ ଦାଣ୍ଡ ଦୂଆର ବାସେ
ବର୍ଷା ଆଗମନେ କୃଷକ ଭାଇଟି
 ମନ ଖୋଳି କରି ହସେ       ।


ଛୋଟ ଛୁଆଙ୍କର ଗହଳି ଲାଗଇ
ଡଙ୍ଗାଭସା କାଦୁଅରେ
ଖେଳିଥା'ନ୍ତି ସତେ କେତେ ଯେ ଖେଳ
 ମନ ଖୋଲି ବରଷାରେ       ।

ନାଚି ଗାଇ ଖେଳି ଆନନ୍ଦ ନିଅନ୍ତି
ବରଷାର ଆଗମନେ
ସୁଖ ସରାଗରେ  ତ ଦିନ କାଟନ୍ତି
 ଆକାଂକ୍ଷାର ଉପବନେ     ।


ସବୁଜ ସୁନ୍ଦର ଦିଶଇ ସତରେ
ଲାଗେ ଭାରି ମନଲୋଭା
ଉପଭୋଗ କରି ପ୍ରାଣ ହୁଏ ଶାନ୍ତ
ପାଇ ତା' ଅମୃତ ଆଭା       ।


ବର୍ଷାର ପରଶେ ପ୍ରତିଟି ଜୀବନ
ହୁଅଇ ସୁଖର ମଣି
ସେଥିପାଇଁ ପରା ଧନ୍ୟ ଏକା ସିଏ
ସମସ୍ତେ ତା' ପାଖେ ଋଣି         ।

ଗ୍ରାମ - ବୃନ୍ଦାବାହାଲ

ବ୍ଲକ୍‌ - ଗୋଲମୁଣ୍ଡା
ଜିଲ୍ଲା - କଳାହାଣ୍ଡି 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।