ଡ଼କ୍ଟର ଲକ୍ଷ୍ମଣ ସାହୁ

ଏକ ପ୍ରକାର ବୈରାଗ୍ୟ ଓ ଗୈରିକ ଦର୍ଶନ ଯାହାଙ୍କ ଜୀବନ ଭୂମିର ଥିଲା ମହାନ୍ ଆଦର୍ଶ ସେ ହେଉଛନ୍ତି ସିଦ୍ଧସାଧକ ସନ୍ଥ ଅରକ୍ଷିତ ଦାସ । ସାଂସାରିକତା ଅପେକ୍ଷା ସନ୍ନ୍ୟାସ ଥିଲା ତାଙ୍କ ଜୀବନ ଚର୍ଯ୍ୟାର ରୀତିନୀତିରେ ଅଧିକ । ଅଧ୍ୟାତ୍ମ ସାଧନାର ନିର୍ମୋହ ପନ୍ଥା ମୂଳତଃ ସଂସାର ଜୀବନର ମୁଖ୍ୟ ସ୍ରୋତରୁ ତାଙ୍କୁ ଦୂରେଇ ନେଇ ଯାଇଥିଲା ଏକ ନିରାପଦ ଦୂରତା ମଧ୍ୟକୁ, ଯେଉଁଠି ସେ ମଗ୍ନ ଥିଲେ ଏକ ନୂତନ ସତ୍ୟର ସନ୍ଧାନ ପାଇବାରେ । ସାଂସାରିକ ସୁଖ-ଦୁଃଖ, ଓ କର୍ମ-ଜଞ୍ଜାଳ ତାଙ୍କୁ କେବେବି ଆକର୍ଷିତ କରିନଥିଲା ବୋଲି ସେ ସାଧାରଣ ଲୋକାଚାର ଓ ଚଳଣିରେ ଆବଦ୍ଧ ହୋଇନଥିଲେ । ବୌଦ୍ଧ ତଥାଗତ (ଗୌତମ) ଙ୍କ ଭଳି ସେ ଧର୍ମ ପ୍ରଚାରର ଦାୟିତ୍ୱ ଗ୍ରହଣ କରିଥିଲେ, ଧର୍ମ ସଂସ୍ଥାପନ ଥିଲା ତାଙ୍କ ସମୁଦାୟ ଜୀବନ ସାଧନାର ମୂଳବିନ୍ଦୁ । ସାମାଜିକ ଓ ଐତିହାସିକ ସଂକଟ ମଧ୍ୟରେ ସିଦ୍ଧସାଧକ ସନ୍ଥ ଅରକ୍ଷିତ ଦାସ ଖୋଜି ବୁଲୁଥିଲେ ନିଷ୍କୃତିର ନିକଟବର୍ତ୍ତୀ ସତ୍ୟ ଓ ଉପାୟ । ପାରିପାର୍ଶ୍ବିକ ପରିସ୍ଥିତିର ପ୍ରଭାବ ଏହି ବୌଦ୍ଧିକ ବିଚକ୍ଷଣ ଯୁଗ-ପୁରୁଷଙ୍କୁ ଏଭଳି ଏକ ସନ୍ଧିକ୍ଷଣରେ ନେଇ ଛିଡ଼ାକରାଇ ଦେଇଥିଲା , ଯେଉଁଠି ଅପେକ୍ଷା କରିଥିଲା ଇତିହାସର ସତ୍ୟ ଚିହ୍ନିତ ଦୋଛକିଟେ । ସତ୍ୟ ସନ୍ଧାନର ପ୍ରଚଣ୍ଡ ପିପାସା, ତାଙ୍କ ସମ୍ମୁଖରେ " ସନ୍ୟାସ "ର ମାର୍ଗଟିକୁ ତୋଳି ଧରିଥିଲା ଠିକ୍ ନିର୍ବାଣ ସନ୍ଧାନରେ, ସତ୍ୟ, ଶାନ୍ତି, ଦୟା, କ୍ଷମା, ଅହିଂସାର ଗାୟତ୍ରୀ ଉଚ୍ଚାରଣରେ ।
ରାଜପୁତ୍ର ବଳଭଦ୍ର ବିବାହ ବନ୍ଧନରୁ ମୁକୁଳିବା ପାଇଁ ବ୍ରହ୍ମଚାରୀ ରୂପେ ରାଜପ୍ରାସାଦର ସକଳ ଭୋଗବିଳାସକୁ ତୁଛ୍ୟ ମନେକରି 'ଅରକ୍ଷିତ'ର ପରିଚିତ ମଧ୍ୟରେ ଜୀବନ ବିତାଇବା, ସବୁ ଲୋକଙ୍କ ଠାରୁ ଅନ୍ନ ଗ୍ରହଣ କରି ବାସ୍ତବ ସମନ୍ୱୟ ଭାବନାର ପ୍ରଚାର ଓ ପ୍ରସାର କରିବା ଥିଲା ଅସାଧାରଣ । ଜନ୍ମ-ମରଣରୁ ପାର ହେବା ପାଇଁ ସନ୍ଥ ସାଧନା କରେ, ସେଭଳି ସମଦର୍ଶୀ, ବିଷୟ ବିରାଗୀ, ନିଷ୍କାମ ଭକ୍ତ ଓ ସର୍ବଜନାଦୃତ ବ୍ୟକ୍ତିତ୍ୱ ଥିଲେ ଓଁକାର ସିଦ୍ଧସାଧକ ସନ୍ଥ ଅରକ୍ଷିତ । ତୁଳସୀ ଦାସ ସନ୍ଥର ବନ୍ଦନା ଗାନରେ ଦର୍ଶାଇଛନ୍ତି-
"ବନ୍ଦଉ ସନ୍ତ ସମାନ ଚିତ, ହିତ ଅନହିତ ନହିଁ କୋଇ
ଅଞ୍ଜଲି ଗତ ସୁଭ ସୁମନ ଜିମି, ସମ ସଗନ୍ଧ କରେ ଦେଇ ।"
ଅର୍ଥାତ ସନ୍ଥ ସମସ୍ତଙ୍କ ପ୍ରତି ସମାନ ଚିତ୍ତ, କାହାର ହିତ-ଅହିତ କର ନୁହନ୍ତି । ଅଞ୍ଜଳିରେ ଥିବା ସମସ୍ତ ପୁଷ୍ପ ସର୍ବତ୍ର ବାସିବା ଭଳି ହେଉଛନ୍ତି ସନ୍ଥ । ପୁଣି "ସନ୍ଥ ସରଲଚିତ୍ତ ଜଗତ ହିତ ବାନି ସୁଭାଇ ସନେହୁ ।" ସନ୍ଥତ ସରଳମନଖ, ସଚରିତ୍ର ସମ୍ପନ୍ନ ଓ ଜଗତର ହିତାକାଂକ୍ଷୀ । ସେହି ମାର୍ଗର ପଥିକ ଥିଲେ ଓଁକାର ବ୍ରହ୍ମ ଏକାକ୍ଷର କ୍ଷେତ୍ର ଓଳାଶୁଣୀ ଧାମର ବ୍ରହ୍ମଦର୍ଶୀ ମହାପୁରୁଷ ଦିବ୍ୟଦ୍ରଷ୍ଟା ସିଦ୍ଧସାଧକ ସନ୍ଥ ଅରକ୍ଷିତ, ଯେ ହେଉଛନ୍ତି ସାଧକ ଜଗତର ବଡ଼ ବିସ୍ମୟ । ଗଞ୍ଜାମ ଜିଲ୍ଲାର ବଡ଼ଖେମଣ୍ତି ଗଙ୍ଗରାଜ ବଂଶୋଦଭବ ସମ୍ରାଟ ପଦ୍ମନାଭ ଦେବଙ୍କ ଏକମାତ୍ର ଅଳିଅଳ ଯୋଗଜନ୍ମା, ପୂଣ୍ୟକର୍ମା, ପ୍ରତ୍ଥିତ ଯଶ, ବରପୁତ୍ର ଭାବେ ବାହୁଡା ଏକାଦଶୀ ତିଥିରେ ଧରାବତରଣ କରିଥିଲେ । ସମାଟ୍ର ପିତାଙ୍କ ଅମାନୁଷିକ କାର୍ଯ୍ୟକଳାପ, ପ୍ରଜାମାରଣ ନୀତିରେ ଅତିଷ୍ଠ ହୋଇ ତାଙ୍କର ଦରଦୀ ପ୍ରାଣ ରାଜକୀୟ ଭୋଗବିଳାସ ଠାରୁ ଦୂରେଇ ଯାଇ ଆଜନ୍ମ ବ୍ରହ୍ମଚାରୀ ହେବାର ଦୃଢ ସଂକଳ୍ପ ନେଇ ସଂସାର ତ୍ୟାଗ କରିଥିଲେ । ଠିକ୍ ଯେଭଳି ବାଲ୍ୟକାଳରୁ ଗୌତମଙ୍କର ବୈରାଗ୍ୟ ଲକ୍ଷ୍ୟ କରି ପିତା ଶୁଦ୍ଧୋଦନ ତାଙ୍କୁ ନାନାଦି ବିଳାସ ବ୍ୟସନ ଭିତରେ ରଖି ଓ ଅନିତ୍ୟ ସୁନ୍ଦରୀ ରାଜକନ୍ୟା ଯଶୋଧାରାଙ୍କ ସହ ବିବାହ କରାଇଥିଲେ ମଧ୍ୟ ସେଥିରେ ସେ ଆକୃଷ୍ଟ ନହୋଇ ରାଜପ୍ରାସାଦ ତ୍ୟାଗ କରି ସତ୍ୟ ସନ୍ଧାନରେ ଯାଇ ବୁଦ୍ଧତ୍ୱ ପ୍ରାପ୍ତି ପରେ ବୁଦ୍ଧଦେବ ଭାବେ ପରିଚିତ ହୋଇଥିଲେ, ଠିକ୍ ସେଭଳି ପିତୃଦତ୍ତ ନାମଧାରୀ ବଳଭଦ୍ର ଦେବ ରାଜଗୃହ, ପିତାଙ୍କ ମନୋନୀତା ସୁଶ୍ରୀ ରାଜକନ୍ୟା ସୁକୁମାରୀ ଓ ଗୃହ ସଂସାର ଛାଡ଼ି ବ୍ରହ୍ମବିତ୍ ବ୍ରହ୍ମଜ୍ଞ ପାଲଟି ଯାଇଥିଲେ । ଏହାର ନେପଥ୍ୟେ ମୂଳ କାରଣ ଥିଲା, ଏକଦା ରାଣୀ ଅନ୍ତଃପୁରରେ ସନ୍ୟାସୀଙ୍କ ଆତିଥ୍ୟ ଚର୍ଚ୍ଚା ନିମନ୍ତେ ରାଜକୁମାର ବଳଭଦ୍ର ଜନୈକା ବୃଦ୍ଧା ବ୍ରାହ୍ମଣୀର ବାଡ଼ିରୁ କଦଳୀ ପତ୍ର ଆଣିବା ପାଇଁ ଯାଇ ଶୁଣିଥିଲେ -"କିଏ ରେ ଅରକ୍ଷିତ ? ମୋ ବାଡ଼ିରେ ପଶିଛୁ ?" ସେହି ପଦିକ କଥାରେ ଜାତିସ୍ମର ବଳଭଦ୍ର ନିଜକୁ ବୁଝିପାରିଥିଲେ ଯେ ସନ୍ୟାସୀଙ୍କ ଆବିର୍ଭାବ ଘଟିଛି କେବଳ ପୂର୍ବଜନ୍ମ କଥା ସ୍ମରଣ କରାଇଦେବାକୁ । ସେହି ଠାରୁ ତାଙ୍କ ମନରେ ଭରି ଯାଇଥିଲା ବୈରାଗ୍ୟ ଓ ବୈରାଗ୍ୟର କଥା । 'ମହିମଣ୍ତଳ ଗୀତା'ରେ ନିଜ ସଂପର୍କରେ ଲେଖିଛନ୍ତି-
"ସତର ବରଷ ଯେଠାରୁ । ସୁବୁଦ୍ଧି ହେଲା ମୋ ହୃଦରୁ ।।
ଦୁଇ ବରଷ ଘରଠାରେ । ରହିଲି ତୁମ୍ଭ ଭାବନାରେ ।।
ତୁମ୍ଭର ଭାବେ ଚିତ୍ତଦେଲି । ରାତ୍ର ଦିବସ ନ ଜାଣିଲି ।।
ଭାବିଲି ଘରେ କାର୍ଯ୍ୟନାହିଁ । ଅରଣ୍ୟେ ପଶିବିଟି ମୁହିଁ ।।
ଏକା ହୋଇଣ ବନେ ଥିବି । ଗ୍ରାମକୁ କେବେ ନଆସିବି ।।
ଦୈତ-ସତ୍ତାର ମହାନ୍ ବ୍ୟକ୍ତି ପୁରୁଷ ଥିଲା ଅବଧାରିତ ଅରକ୍ଷିତଙ୍କ ନିୟତିରେ ଯେମିତି । ପ୍ରତିକୂଳ ପରିସ୍ଥିତିହିଁ ତାଙ୍କୁ ଏକପ୍ରକାର ସଂସାର ତ୍ୟାଗୀ ସନ୍ୟାସୀ ସଜାଇଥିଲା । ପ୍ରଜାମାନଙ୍କ ପ୍ରତି ପିତାଙ୍କ କ୍ରୁର ନିଷ୍ଠୁରତା ତାଙ୍କୁ ବ୍ୟଥିତ କରିଥିଲା । ପିତା ତାଙ୍କୁ ବିବାହ ଦେଇ ସଂସାରୀ କରିବାକୁ ଚେଷ୍ଟା କରିବା ସମୟରେ ସେ ପିତାଙ୍କୁ ପ୍ରଶ୍ନ କରିଥିଲେ-
"ଯେ'ମାତା ରୂପେ ଜନ୍ମକରି । ପୁତ୍ର ହୋଇଲି ମୁଁ ତାଙ୍କରି ।।
ପୁତ୍ର ମାତାକୁ ବିଭା ହେଲେ । ଧର୍ମଟି ରହିବ କି ଭଲେ ।।
କି'କଥା କହିଲହେ ତାତ । ସେହିଟି ମୋର ନିଜ ମାତ ।।
ଦେଖ ତା'ରୀତି ଅନାଚାର । ସେ' ମୋ'ମାତା ମୁଁ ତା'କୁମର ।।
ପୁତ୍ର ବଳଭଦ୍ରର ଏଭଳି ଉତ୍ତରରେ ନୀରବ ହୋଇପଡିଥିଲେ ସମ୍ରାଟ ପଦ୍ମନାଭ ଦେବ । ଈଶ୍ବରଙ୍କ ଇଛାନୁସାରେ ଦିନେ ରାତିରେ ବାଳୁତ ବଳଭଦ୍ର କୌପିନ ଘରୁ ବାହାରି ଗଲେ । ପିତାଙ୍କ ଉଦ୍ଦେଶ୍ୟରେ ଲେଖିଗଲେ-" ଅରକ୍ଷିତକୁ କେବେ ଖୋଜିବ ନାହିଁ, ସେ ଫେରିବ ନାହିଁ ।" ରାଜପ୍ରାସାଦ ଛାଡ଼ି ଘଞ୍ଚ ଅରଣ୍ୟ ମଧ୍ୟକୁ ଯିବାବେଳେ ପ୍ରଭୁ ପରମବ୍ରହ୍ମଙ୍କ ମାୟାରେ ହଠାତ ଘନ ଅନ୍ଧକାର
ମାଡିଆସିଲା । ଝିପି ଝିପି ବର୍ଷା ମୁଖର ରାତି, ଘଡଘଡିର ବିକଟାଳ ଶବ୍ଦ ମନରେ ଶଙ୍କା ଜାତ ହେଉଥିବା ସମୟରେ ବିଜୁଳି ଆଲୋକର ଝାପ୍ସା ଏକ କଳା ଭଲ୍ଲୁକ ଦୃଶ୍ୟମାନ ହେବାରୁ ଦୋଦୁଲ୍ୟମାନ ଭୟାତୁର ଚିତ୍ତରେ ଗୃହକୁ ପ୍ରତ୍ୟାବର୍ତ୍ତନର ଭାବନା ଉଙ୍କି ଆସୁଥିବା ବେଳେ ପୂର୍ବଦିଗରୁ ସିନ୍ଦୂରା ଫାଟିବା ସହିତ ନିଶୀ ଧୀରେ ଧୀରେ ଅପସରି ଗଲା । ଫଳତଃ ମନରେ ଉଙ୍କି ଆସୁଥିବା ସକଳ ଆଶଙ୍କା ଦୂର ହୋଇ ଦମ୍ଭ ଜାଗ୍ରତ ହେଲା । ଯୋଗ ସାଧନ ପାଇଁ କେରାଣ୍ତିମାଳ ପର୍ବତ ଶିଖର ଯୋଗୀ ଗୁମ୍ଫା ଠାରେ ଘୋର ନିକାଞ୍ଚନ ଜଙ୍ଗଲ ମଧ୍ୟରେ ଦିବ୍ୟଦ୍ରଷ୍ଟା ରାଜଶ୍ରୀ କିଶୋର ଅରକ୍ଷିତ ସିଦ୍ଧ ତଥା ପରେମୋଶ୍ୱରଙ୍କ ସାନିଧ୍ୟ ଲାଭପାଇଁ ଉପଯୁକ୍ତ ପ୍ରକୃଷ୍ଟ ରୂପେ ଆଦରି ନେଇଥିଲେ । ଶୁଣାଯାଏ ବୈଶାଖୀର ମରଣାନ୍ତକ ଝାଞ୍ଜି, ପ୍ରଚଣ୍ଡ ରୌଦ୍ରତାପ, ଜଳକଷ୍ଟ, ଅନାହାର, ଉପବାସରେ ସେ ଡହଳ ବିକଳ ହୋଇ ପଡୁଥିବା ବେଳେ ପରମବ୍ରହ୍ମଙ୍କୁ ସ୍ମରଣ କରିବାରୁ ନିଜର ଅଲୌକିକ ଶକ୍ତି ତଥା ପରମବ୍ରହ୍ମଙ୍କ ଆଜ୍ଞାରୁ ପର୍ବତ ଶିଖରରେ ଆଶ୍ଚର୍ଯ୍ୟଜନକ ଭାବେ ଏକ ଝରଣା ସୃଷ୍ଟି ହୋଇ ଯାଇଥିଲା । ଏହା ସତହେଉ ଅବା ମିଛ ହେଉ, ତାଙ୍କୁ ନେଇ ଅନେକ ଅଲୌକିକ କାହାଣୀ ରହିଛି, ଭକ୍ତି ଯୋଗରେ ପର୍ବତ ଶିଖରରେ ଝରଣା ସୃଷ୍ଟି, ବରୁଣ ବୃକ୍ଷରର ଫଳକୁ ସୁମିଷ୍ଟ କରିବା, ହରିଚନ୍ଦଙ୍କ ମୃତ୍ୟୁ ପତ୍ନୀଙ୍କୁ ଜୀବଦାନ ଦେବା, ତାନ୍ତ୍ରିକ ଫକୀର ଦାସର ପ୍ରେରିତ ସର୍ପକୁ ଗୁମ୍ଫାରୁ ତଡିବା ଓ ନିଜସମାଧି ପରେ ବି ଯୀଶୁଖ୍ରୀଷ୍ଟଙ୍କ ଭଳି ପରମ ଶିଷ୍ୟ ମଧୁଦାସଙ୍କୁ ଦର୍ଶନ ଦେଇ କମ୍ବଳ ପ୍ରଦାନ ଭଳି ଅନେକ ଅଲୌକିକ ଘଟଣା ସ୍ମୃତିଲିପି ହୋଇ ରହିଛି । ବରୁଣ ବୃକ୍ଷର ଫଳକୁ ଆଜ୍ଞା ବଳରେ ସୁସ୍ବାଦୁ କରି ନିଜର କ୍ଷୁଧା ନିବାରଣ କରିଥିଲେ । ଏଭଳି ଅଲୌକିକ, ମହାଶ୍ଚର୍ଯ୍ୟ ଜ୍ୱଳନ୍ତ ନିଦର୍ଶନ ତାଙ୍କ ସଂପର୍କରେ ମିଳେ । କିଛି ଦିନ ପରେ ସେ ସ୍ଥାନ ଛାଡି ଅନ୍ୟତ୍ର ଶବରପଲ୍ଲୀ ଆମ୍ବତୋଟାସ୍ଥିତ ବଟବୃକ୍ଷର ଶୀତଳଛାୟାରେ ବିଶ୍ରାମ ନେଉଥିବା ବେଳେ ସନ୍ଥ ଅରକ୍ଷିତଙ୍କୁ ସେମାନଙ୍କ ଅନୁରୋଧ ରକ୍ଷା କରି ସେମାନଙ୍କ ହସ୍ତରୁ ଭୋଜନ କରିବାକୁ ପଡିଥିଲା । ପରେ ପରେ ସିଦ୍ଧସାଧକ ସନ୍ଥ ଅରକ୍ଷିତ ଚିତ୍ରକୂଟ, ଡୁବୁଡୁବା, ହେମନ୍ତ ଝୋଲା, ମହୁରୀ, ରୋବାଳ, ଚାଙ୍ଗୁଡିଦେଇ, ମାଣ୍ତରାପଡା, ଖଣ୍ତଗିରି, ଧଉଳି, ଡ଼ପପଡା, ସପ୍ତଶର୍ଯ୍ୟା, କପିଳାସ, ମହାପର୍ବତ, ହଳଦିଆ ପର୍ବତ, ଉଦୟଗିରି, ବରୁଣେଇ, ଅଟଳା ପର୍ବତ, ଧନାଶ୍ରୀ, ଶାରଦା ମୁଣ୍ତିଆ, ଗୋଳବାୟୁ ମୁଣ୍ତିଆ, ମଣଭଦ୍ରା, ବାଙ୍ଗିଣିଆ ପର୍ବତ , ବଡମ୍ବା ପର୍ବତ, ନୀଳାଚଳ ଆଦି ନାନା ସ୍ଥାନ ଭ୍ରମଣ କରିଥିଲେ । ପରି ଶେଷରେ ମହାଶୂନ୍ୟ ବିହାରୀ ଅଲେଖ ନିରଞ୍ଜନ ବିରାଟ ପୁରୁଷ ପରମବ୍ରହ୍ମ ପରେମୋଶ୍ୱରଙ୍କ ନିର୍ଦ୍ଦେଶାଜ୍ଞାରେ ' ଓଁ କାର ' ଏକାକ୍ଷର କ୍ଷେତ୍ର ଓଳାଶୁଣୀ ପୂର୍ବତସ୍ଥ ଦେବଦୁଲ୍ଲର୍ଭ ଅନନ୍ତ ଗୁମ୍ଫାକୁ ନିଜର ଅନ୍ତିମ ସାଧନା, ମହାସିଦ୍ଧି, ମହାଲୀଳା ବିହାର ତଥା ମହାପ୍ରୟାଣ ପବିତ୍ର ଭୂମି ରୂପେ କାୟ ମନୋବାକ୍ୟରେ ଗ୍ରହଣ କରିଥିଲେ । ଭ୍ରମଣ ବେଳେ କେଉଁଠି ସେ ଗାଳି ଖାଇଛନ୍ତି, ବାଉରୀ ଠାରୁ ମାଡ଼ ଖାଇଛନ୍ତି, ଉଦର ଜ୍ଜାଳାରେ କଲବଲ ହୋଇଛନ୍ତି, ଅଚ୍ଛବ, ଶବର ଠାରୁ ଅନ୍ନ ଭୁଞ୍ଜିଛନ୍ତି । ଉପବାସରେ ହାତ ଟେକି ଜଗନ୍ନାଥ ପରଂବ୍ରହ୍ମଙ୍କୁ ସ୍ମରଣ କରି ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରେ ପ୍ରବେଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ ସହ ଭକ୍ତିପୂତ ଅର୍ଘ୍ୟ ନୈବେଦ୍ୟ ଅର୍ପଣ କରି ସେଠାରୁ ଫେରି ମହୀମଣ୍ତଳ ଘୁରି ଭାଦ୍ରବ ମାସ ଚତୁର୍ଦ୍ଦଶୀ ମଙ୍ଗଳବାର ମହାପୁଣ୍ୟ ତିଥିରେ ଓଳାଶୁଣୀ ପାଦଦେଶରେ ପହଞ୍ଚିଥିଲେ । ସେଠି ପବିତ୍ର ଓଳାଶୁଣୀ ପର୍ବତକୁ ସମ୍ବୋଧନ କରି କହିଥିଲେ-
"ଓଳାଶୁଣୀ ଗିରିବର, ଦୟା ତୁ କର ।
ତୋର ଉପରେ ରହିଅଛି, ଦିନ ବଞ୍ଚୁଛି
ମୋ ଦୋଷ ନ ଘେନିବୁ, ଦୟା ତୁ ରଖିଥିବୁ,
ନିର୍ଦ୍ଦୟ ନ କରିବୁ ।"
ରାଜକୁମାରରୁ ଅରକ୍ଷିତ ବନାମ ଅରକ୍ଷିତିଆ, ଅରକ୍ଷିତିଆରୁ ବ୍ରହ୍ମଜ୍ଞ । ଓଳାଶୁଣୀ ଯୋଗୀଗୁମ୍ଫାରେ ଧ୍ୟାନସ୍ଥ ହେବାପରେ ବ୍ରହ୍ମବିତ୍ ବ୍ରହ୍ମଜ୍ଞ ପାଲଟିଗଲେ । ସେ ହୋଇଗଲେ ବ୍ରହ୍ମ ସ୍ୱରୂପ । ତାଙ୍କ ପାଖରେ ନଥିଲା ଭେଦାଭେଦ, ଉଂଚ୍ଚନୀଚ, ରାଜା, ପ୍ରଜା, ଦଳିତ, ନିଷ୍ପେସିତ, ଜାତି ଅଜାତି । ସକଳ ମଣିଷ ଜାତିକୁ ଗୋଟିଏ ଜାତି ମନେ କରୁଥିଲେ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ସମସ୍ତେ ତାଙ୍କ ନିକଟରେ ସମାନ । ସେ ବ୍ରହ୍ମଭୂତ ଥିବାରୁ ପ୍ରସନ୍ମାତ୍ମା ଓ ସମଚିତ୍ତ ହୋଇ, ସମସ୍ତ ଭିତରେ ଏକ-ଈଶ୍ବରଙ୍କ ଅବସ୍ଥିତିକୁ ଦେଖୁଥିଲେ । ସକଳ-ଭୂତରେ ଏକ ଅବ୍ୟୟ-ଅନ୍ତର ସତ୍ତାକୁ ଦେଖି ବିଭକ୍ତ-ସତ୍ତା ଭିତରେ ଏକ ଅଖଣ୍ଡ ଅବିଭକ୍ତ ସତ୍ତାକୁ ହୃଦୟଙ୍ଗମ କରୁଥିଲେ । ଶ୍ରୀମଦ୍ଭଗବତ୍ ଗୀତାରେ କୁହାଯାଇଛି-
"ସର୍ବଭୂତେଷୁ ଯେନୈକଂ ଭାବମବ୍ୟୟମା କ୍ଷତେ
ଅବିଭକ୍ତଂ ବିଭକ୍ତେଷୁ ତତ୍ ଜ୍ଞାନଂ ବିଦ୍ଧି ସାତ୍ତ୍ୱକମ୍ ।"
ସିଦ୍ଧସାଧକ ମହାପୁରୁଷ ସନ୍ଥ ବ୍ରହ୍ମଜ୍ଞ ଅରକ୍ଷିତ ଏହି ଆଦର୍ଶର ପ୍ରତିଭୂ । କବୀର ଦୃଷ୍ଟିରେ, 'ଜାକେ ଆତମ ଦୃଷ୍ଟି ହୈ, ସାଂଚାଜନ ସୋଇ ।' ଅର୍ଥାତ ଆତ୍ମଦୃଷ୍ଟି ଥିଲେ ଜଣେ ଠିକଣା ମଣିଷ ହୁଏ, ସନ୍ଥ ହୁଏ । ଯାହାର ଆତ୍ମ ସାକ୍ଷାତକାର ନିବିଡ଼, ସିଏ ପ୍ରଥମେ ନିଜ ସହ ଅର୍ଥାତ ନିଜର ଆତ୍ମ ପୁରୁଷ ସହିତ ମିତ୍ର ହୋଇଯାଏ ଓ ସକଳ ଜୀବକୁ, ଜଗତକୁ ମିତ୍ର ଦୃଷ୍ଟିରେ ଦେଖିବା ଭଳି ସନ୍ଥ ଅରକ୍ଷିତଙ୍କ ନିକଟରେ ଦେଖିବାକୁ ମିଳେ ।
ସନ୍ଥ ଅରକ୍ଷିତ ଥିଲେ ଅକ୍ଷର ବ୍ରହ୍ମଦର୍ଶୀ । ତାଙ୍କ ଦୃଷ୍ଟିରେ -"ଅକ୍ଷର ବ୍ରହ୍ମ ବୋଲି ଜାଣ, ହେ ମନ ଭାବ ତାଙ୍କ ଗୁଣ । ଅକ୍ଷର ବ୍ରହ୍ମ ସର୍ବଦେବ, ହେ ମନ ତାଙ୍କୁ ନିତ୍ୟେ ଭାବ । ଅକ୍ଷର ବ୍ରହ୍ମ ରୂପ ଧରି, ଶୂନ୍ୟରେ ଦେଖ ଅଛି ପୂରି । ଅକ୍ଷର ଜୀବ ରୂପ ହୋଇ, ସଂସାରେ ଘୋଟିଅଛି ସେହି ।"
ହରିବଂଶ, ଭାଗବତ, ରାମାୟଣ, ମହାଭାରତ ଆଦି ଯେତେ ଗ୍ରନ୍ଥ, ସେସବୁ କେବଳ ଅକ୍ଷର ବ୍ରହ୍ମରୁ ସୃଷ୍ଟି । ତେଣୁ ଅକ୍ଷର ବ୍ରହ୍ମଦର୍ଶୀ ସନ୍ଥ ଅରକ୍ଷିତ 'ମହୀମଣ୍ତଳ ଗୀତା'ରେ ଲେଖିଛନ୍ତି-
"ଓଁକାରୁ ସର୍ବଜାତ ହେଲା । ଓଁକାରୁ ବ୍ରହ୍ମାଣ୍ତ ଘୋଟିଲା ।।
ଓଁକାରୁ ପାଞ୍ଚ ମନ ହେଲା । ନାନା ପାଞ୍ଚଟି ସେ ପାଞ୍ଚିଲା ।।
ଓଁକାରୁ ପଚିଶ ପ୍ରକୃତି । ଓଁକାରୁ ଷଢ଼ରିପୁ ସ୍ଥିତି ।।
ଓଁକାରୁ ଚଉଷଠି ରୋଗ । ହିଂସା କାମ ଯେ ମୋହ ରାଗ ।।
ଓଁକାରୁ କୁବୁଦ୍ଧି ସୁବୁଦ୍ଧି । ଧର୍ମ ଅଧର୍ମ ଯେ ପ୍ରସିଦ୍ଧ ।।"
ଓଁକାର ହେଉଛି ଶୂନ୍ୟ ସୃଷ୍ଟିର କାରଣ, ଓଁକାର ପୂର୍ଣ୍ଣ ପ୍ରତୀକ, ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରା । ବେଦର ଓଁକାର ଭୂ-ର୍ଭୂବ-ସ୍ୱଃ-ଧ୍ୱନି ଅର୍ଥାତ ଶବ୍ଦବ୍ରହ୍ମ ଜୀବର ଗତି ମୁକ୍ତିର ମାର୍ଗ । କାରଣ ଓଁକାର ବେଦ-ଭୂ-ର୍ଭୂବଃ-ସ୍ୱ-ଧ୍ୱନି ଶବ୍ଦ ବ୍ରହ୍ମ ଅଟେ । ସେ ନିର୍ଗୁଣ ବ୍ରହ୍ମର ଉପାସକ ଥିଲେ । ପ୍ରତ୍ୟେକ ବସ୍ତୁରେ, ଅଣୁ ପରମାଣୁରେ ବ୍ରହ୍ମ ବିଦ୍ୟମାନ ବୋଲି କହୁଥିଲେ । ପ୍ରତିମା/ ବିଗ୍ରହ ପୂଜା ରୁଦ୍ରାକ୍ଷର ବିରୋଧ କରି ସାଂସାରିକ ମାୟା/ମୋହ ଗ୍ରସ୍ତ ମୂଢ଼ ମଣିଷକୁ ଦର୍ଶାଇଛନ୍ତି-
"କାଷ୍ଠ ପାଷାଣ ପିତୁଳାକୁ । ଦେବତା ବୋଲି ପୂଜୁତାକୁ ।।
ସେ'କି ଗତି ମୁକ୍ତିଦେବ । ଏହା ନଜାଣେ ମୂଢ଼ ଜୀବ ।।
ତେଣୁ ସନ୍ଥ ଅରକ୍ଷିତ କହୁଥିଲେ, ନିମିତ୍ତ ସଂସାରରେ ଲୋଭ, ମୋହ, ଇର୍ଷା, ପରଶ୍ରୀକାତରତାରେ ଘାଣ୍ଟି ନହୋଇ ଈଶ୍ବରଙ୍କୁ ଭକ୍ତି କର । ସଂସାର ଈଶ୍ୱରମୟ, ବ୍ରହ୍ମ ସ୍ୱରୂପ । ତାଙ୍କୁ ସ୍ମରଣ ରଖ । ସେହି ଅଦୃଶ୍ୟ ଶକ୍ତି ଏ'ମର ସଂସାରର ଏକମାତ୍ର ମୁକ୍ତି ଦାତା । ଅଜପା ରୂପକ ନାମ-ବ୍ରହ୍ମର ଶକ୍ତି ଅପରିସୀମ, ଅକଳ୍ପନୀୟ । ତା'ର ମହିମା ଅପାର, ଅବର୍ଣ୍ଣନୀୟ । ନାମ ବ୍ରହ୍ମ ଜପରେ ଧ୍ରୁବ, ପ୍ରହ୍ଲାଦ,
ହନୁମାନ, ବିଭୀଷଣ, ମାର୍କଣ୍ଡେୟ, ଉଦ୍ଧବ ଭଳି ଭକ୍ତ ଅମର ଲଭିଛନ୍ତି । ଶହେ ଆଠ ବ୍ରହ୍ମର ପ୍ରତୀକ, ଅର୍ଥାତ ବ୍ରହ୍ମ ଶବ୍ଦଟି ବ,ର,ହ,ମ ଚାରୋଟି ଅକ୍ଷରର ସଂଯୋଗ । ବ୍ୟଞ୍ଜନ ବର୍ଣ୍ଣ 'କ' ଠାରୁ 'ବ' ୨୩ଟି, 'କ' ଠାରୁ 'ର' ୨୭ଟି, 'କ' ଠାରୁ 'ହ' ୩୩ଟି ଓ 'କ' ଠାରୁ 'ମ' ୨୫ଟି ଅକ୍ଷର, ଏସବୁ ଅକ୍ଷର ସଂଖ୍ୟା ଯୁକ୍ତ କରେ ୧୦୮ ହୁଏ । ଏକାଗ୍ର ଚିତ୍ତରେ ବ୍ରହ୍ମଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କଲେ ସେହିଁ ଅଜର ଅମର ଲାଭ କରେ-"ନାମକୁ ହୃଦେ ଲୟ କର, ତେବେ ହୋଇବୁ ଅଜ୍ରାମର ।"
"ଆନନ୍ଦେ ବ୍ରହ୍ମଙ୍କୁ ସୁମରି । ବ୍ରହ୍ମରେ ଅର୍ପଣ ମୁଁ କରି ।।
ହେ ବ୍ରହ୍ମ ତୁହିଟି ଅଚିହ୍ନ । ହେ ବ୍ରହ୍ମ ତୁହିଟି ଅବର୍ଣ୍ଣ ।।
ହେ ବ୍ରହ୍ମ ତୋର ରୂପ ନାହିଁ । ହେ'ବ୍ରହ୍ମ ଅରୂପଯେ ତୁହି ।।
ହେ ବ୍ରହ୍ମ ଜୀବ ଅଜୀବରେ । ହେ ବ୍ରହ୍ମ ପୂରିଛି ନିକରେ ।।
ଛପନା କୋଟି ଜୀବେ ତୁହି । ହେ'ବ୍ରହ୍ମ ଲୀଳା କରୁରହି ।।"
ବ୍ରହ୍ମ ଦର୍ଶନରୁ ନିବୃତ୍ତ ରହି, ଈଶ୍ୱରଙ୍କ ସାକ୍ଷାତ ଲାଭ ଆଶାଶୀ ପାଗଳ ମଣିଷକୁ କେବଳ ସକଳ କର୍ମକୁ ଛାଡି ବ୍ରହ୍ମ ଭାବନାରେ ଦୃଢ଼ ରହିବାକୁ "ଏଣୁ ତୁ ସର୍ବ କର୍ମ ଛାଡ଼ / ଭକ୍ତି ଭାବ କର ଦୃଢ଼" ସନ୍ଥ ଅରକ୍ଷିତ ପରାମର୍ଶ ଦେଇଛନ୍ତି । ପରଂବ୍ରହ୍ମ ଅକ୍ଷର ଅର୍ଥାତ ମୁକ୍ତ ପୁରୁଷ ଜଳ, ସ୍ଥଳ, ଆକାଶ ସର୍ବତ୍ର ପରିବ୍ୟାପ୍ତ, ସକଳ ସ୍ଥାନରେ ସେ ମୁକ୍ତ ବିଚରଣ କରନ୍ତି, ସକଳ ଉପାଦାନର ସେ କ୍ରିୟା ସ୍ୱରପ, ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ମାନଙ୍କ ଜ୍ୟୋତି, ଭୂମଣ୍ତଳ-ବାରୀମଣ୍ତଳ-ନଭୋମଣ୍ତଳର ନିତ୍ୟ ଶକ୍ତିର ସୃଜନ-ଯଜ୍ଞର ଯାଜ୍ଞିକ, ସେହି ପରଂବ୍ରହ୍ମଙ୍କୁ ପ୍ରଣିତପ୍ରଣାମ କଲେ ଯର୍ଥାଥରେ ଭକ୍ତ, ବ୍ରହ୍ମକୃପାର ଭାଜନ ଓ ଅମରତ୍ବର ଅଧିକାରୀ ହେବ ।

ନିଜର ପୂର୍ବଜନ୍ମ ଓ ସାଧନା ସଂପର୍କରେ ସେ ଲେଖିଛନ୍ତି- ସତ୍ୟ ଯୁଗରେ ଏକାକ୍ଷର ମନ୍ତ୍ର, ତ୍ରେତୟାରେ ରାମତାରକ ମନ୍ତ୍ର, ଦ୍ୱାପରରେ ଗୋପାଳ ମନ୍ତ୍ର ଓ କଳିରେ ଓଁକାର ଏକାକ୍ଷର ମନ୍ତ୍ର ଜପକରି ସେ ସିଦ୍ଧପୁରୁଷ ହୋଇଛନ୍ତି । ହୃଦୟରେ କବିପଣ ଓ ଚେତନାରେ ସନ୍ଥପୁରୁଷ, 'ସନ୍ଥ-କବି'ର ପରିଚୟ ପାଇଛନ୍ତି । ପାର୍ଥିବ ଜଗତରେ ସନ୍ଥର ଭୂମିକା ନିର୍ବାହ କରି, ସୂକ୍ଷ୍ମ ଜଗତରେ କବିର ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କର ସନ୍ୟାସ ଓ କବିତ୍ଵର ସମୀକରଣରେ ସୃଷ୍ଟି ହୋଇଛି ଅନେକ ଗ୍ରନ୍ଥ । ମହାକବଚ, ମହୀମଣ୍ତଳ ଗୀତା, ଭକ୍ତି ଟୀକା, ଅବଧୂତ ସଂହିତା, ଶକାବ୍ଦ, ମହୀମଣ୍ତଳ, ଗୁପ୍ତଟୀକା, ବାଲ୍ୟବୋଧ, ମୋକ୍ଷ ଉପାଧି, ମହାଗୁପ୍ତ ପଦ୍ମକଳ୍ପ ଓ ଅନେକ ଭଜନ, ଜଣାଣ, ଚଉତିଶା ମଧ୍ୟଦେଇ ତାଙ୍କ ଜୀବନ-ଚର୍ଯ୍ୟା, ଜୀବନ-ଦୃଷ୍ଟି, ବ୍ରହ୍ମ-ବୋଧ, ଜଗତ-ସୃଷ୍ଟି ଓ ସର୍ବୋପରି ମାନବ-ଦୃଷ୍ଟିର ପରିଚୟ ଦେଇଛନ୍ତି । ଖ୍ରୀ.୧୭୭୨ର ଆଷାଢ଼ ମାସ ବାହୁଡା ଏକାଦଶୀ ତିଥିରେ ଜନ୍ମିତ ଏହି ଓଁକାର ବ୍ରହ୍ମଦର୍ଶୀ ସିଦ୍ଧସାଧକ ସନ୍ଥ ଅରକ୍ଷିତ ଖ୍ରୀ.୧୮୫୫ର ମାଘମାସ କୃଷ୍ଣ ଏକାଦଶୀ ତିଥିରେ ମହାଶୂନ୍ୟରୂପୀ ବ୍ରହ୍ମରେ ଏକାକାର ହୋଇଥିଲେ । ତାଙ୍କ ମହାପ୍ରୟାଣକୁ ଏହି ମାଘ ଏକାଦଶୀ ଦିବସରେ ବିଶ୍ୱ ବିଦିତ ଓଳାଶୁଣୀ ଗୁମ୍ଫା ଯାତ୍ରା ମହୋତ୍ସବ ସପ୍ତାହ ଧରି ପାଳିତ ହୋଇ ଆସୁଛି । ସନ୍ଥ କବି ଅଚ୍ୟୁତାନନ୍ଦଙ୍କ ଭାଷାରେ-
"ଓଳାଶୁଣୀ ପର୍ବତରେ ସାଧୁ ସଭା ହେବ
ଏକାକ୍ଷର ପରୀକ୍ଷା ସେ ଅର୍କ୍ଷିତ କରିବ ...!!!"
◆ ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ : ୯୪୩୭୭ ୪୦୨୮୦
Email : Laxmansahoo9040@gmail.com
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।