7/05/2019

ଅଫେରା ଫଗୁଣ

ବିରଞ୍ଚି ନାରାୟଣ ମଲ୍ଲିକ 

 ମନ ଝୁରୁଅଛି   ଆଖି ମୋ' ଖୋଜୁଛି                                 
     ନିତି କାନ୍ଦେ ଦେଖି ଫଟ ତୁମର
    ସେଦିନର ସୁଖ   ସ୍ମୃତି ମୁଁ ସାଉଣ୍ଟେ
    ଥିଲ ସାତରଙ୍ଗ ଜୀବନେ ମୋର"
    ଇନ୍ଦ୍ରଧନୁ ଆଜି  ଲିଭି ତ ଯାଇଛି
    ରଙ୍ଗହୀନ ହେଲା ଭାଗ୍ୟଟି ମୋର
 ମୋ' ମନ ଆକାଶେ  କଳାହାଣ୍ଡି ମେଘ
     ଚଉଦିଗ ଦିଶେ ଘନ ଅନ୍ଧାର



ଆମେ ଦୁହେଁ ମିଶି ରଙ୍ଗ ବୋଳାବୋଳି
    ସେ କଥା କି ନାହିଁ ମନେ ତୁମର
ଫେରି ଆସ ପ୍ରିୟ   ରଙ୍ଗ ବୋଳି ଦିଅ
   ରଙ୍ଗେ ଭିଜି ଯାଉ ଦେହଟା ମୋର
  ଗୁମୁରି ଗୁମୁରି କାନ୍ଦୁଚି ସୁମରି
     ସମୟ ଲୁଟିଲା ସୁଖ ଆମର
 ସୀମାନ୍ତେ ଶହୀଦ ହେଲ ଯେଉଁ ଦିନୁ
     ରଙ୍ଗହୀନ ଏଇ ଜୀବନ ମୋର
  ଆସୁ ପଛେ ହୋଲି  ରଙ୍ଗର ସବାରି
     ତା' ସାଥେ କି ଆଉ ସମ୍ପର୍କ ମୋର
   ଅଫେରା ଫଗୁଣ  ଫେରିବନି ଆଉ
      ପଣତେ ପୋଛୁଛି ଲୁହର ଧାର
ଦେଖି ଦୁଃଖ ଲାଗେ  ହୋଲି ପରବକୁ
    ଫିକା ଦିଶେ ମୋତେ ରଙ୍ଗ ଅବିର
  ନାଲି ରଙ୍ଗେ ମୋର   ନାହିଁ ଅଧିକାର
      ଯେଦିନୁ ଲିଭିଲା ସିନ୍ଥି ସିନ୍ଦୁର
   

ପାଟେଳି - ନିଆଳି - କଟକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।