7/05/2019

ସ୍ମୃତି ଫରୁଆରେ ଅତୀତ

ନିବେଦିତା ମହାପାତ୍ର 

ହୃଦୟର ଏକ ନିଭୃତ କୋଣରେ                               
ସ୍ମୃତିର ସୁନେଲି ଫରୁଆ ଭିତରେ
ସାଇତି ରଖିଛି ଭାରି ଯତନରେ
ଘଟି ଥିଲା ଯାହା କିଛି ଅତୀତରେ॥୧
ବିଗତ ଦିନର ମଧୁର ମୂର୍ଚ୍ଛନା
ଯୋଡି ତା' ସାଥିରେ ବିରହ ବେଦନା
ଛଳନା ରହିତ କେତେ ଯେ ଭାବନା
ମନ ମାନସୀକୁ କରେ ଆନମନା॥୨
ଚଳଚ୍ଚିତ୍ରର ରଙ୍ଗିନ ଛବି ଭଳି
ମାନସ ପଟରେ ଆସୁଛି ଉଛୁଳି
କାଳର ସ୍ପର୍ଶରେ ଯାଇଛି ବଦଳି
ରୂପବର୍ଣ୍ଣ ତା'ର ଗଲାଣି ମଉଳି॥୩
ସାଥି ମେଳେ କଟିଗଲା ପିଲାଦିନ
କେତେ ରାଗରୁଷା ମାନ ଅଭିମାନ
ନଥିଲା ସେଠି ହିଂସା ଦ୍ବେଷର ସ୍ଥାନ
ଆନନ୍ଦରେ କଟି ଯାଉଥିଲା ଦିନ॥୪
ବାଲ୍ୟସଖାଙ୍କ ସଂଗତେ କରି ଗୋଳ
ରଜ ସଜବାଜ ପୁଣି ଦୋଳି ଖେଳ
କୁମାର ଉତ୍ସବେ କୁମାରୀଙ୍କ ମେଳ
ଜହ୍ନିଫୁଲ ଗୀତରେ କଟିଲା ବେଳ॥୫
ପ୍ରବେଶ କଲା ଯେବେ ଆଦ୍ୟ ଯୌବନ
ଭରିଗଲା କେତେ ନୂଆ ଉନ୍ମାଦନ
ବିଷୟାସକ୍ତ ହୋଇଲା ଏଇ ମନ
ବଦଳାଇ ଦେଲା ଜିଇଁବାର ମାନ॥୬
ଯୋଜନାର ରୂପରେଖକୁ ସଜେଇ
ଆକାକ୍ଷାଂର ନୂଆ ସୌଧ ଗଢେଇ
ବାସ୍ତବ ଦୁନିଆ ଠାରୁ ମୁଁ ଦୂରେଇ
ରହିଲି ଅଲଗା ସଂସାର ବନେଇ॥୭
କର୍ତ୍ତବ୍ଯ ପଥରେ ହେଲି ଅଗ୍ରସର
ବଦଳି ଗଲା ଦିଶା ମୋ' ଜୀବନର
ଅଚିହ୍ନା ଅଜଣା ହେଲେ ଆପଣାର
ବନ୍ଧୁତାରେ କଲି ସଭିଙ୍କୁ ନିଜର॥୮
ମାୟା ମରିଚିକା ପଛରେ ଗୋଡେଇ
ଲୋଭ ବଶେ ନିଜ ଅସ୍ତିତ୍ବ ଭୁଲେଇ
ମିଛ ମୋହ ଅହଂକାରେ ଅନ୍ଧ ହୋଇ
ପାରି ହେଉଥିଲି ଜୀବନର ନଈ॥୯
ମୋହ ଭଙ୍ଗ ହେଲା ସତ୍ୟକୁ ବୁଝିଲି
କାମନା ବାସନା ମନୁ ପାସୋରିଲି
ମନୁଷ୍ୟ ଜନ୍ମରୁ ନିସ୍ତରିବି ବୋଲି
ବିଭୁ କୃପା ପାଇଁ ମନ ବଳେଇଲି॥୧୦

ମୁକୁନ୍ଦ ମିଶ୍ର ନଗର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।