7/05/2019

ବୋଉ

                                                                             ମାଧବାନନ୍ଦ ଭୋଇ
                    ସଂଧ୍ୟା ସାତଟା, ଶ୍ରାବଣ କୃଷ୍ଣ ପକ୍ଷ ରାତି ।ବାହାରେ ରିମ୍ ଝିମ୍  ବର୍ଷା ।ଝରକା ବାଟେ କୋହଲା ପବନ ପଶି ଆସୁଛି । ଦେହ ଟିକେ ଶୀତୁଆ ଲାଗୁଛି । ଆଉ କପେ ଚା ହେଲେ ଭଲ ହୁଅନ୍ତା ।ହେଲେ ସଲୀନା ରୁଟି କରୁଥିବ ।ଚାରିଟା ବେଳଠୁଁ ଦି’ କପ୍ ଚା ପଠାଇ ସାରିଲାଣି,ପୁଣି ଏଥର କହିଲେ ହୁଏତ ସଲିନା ଚିଡି ଉଠିବ କହିବ; ଏଥର ଚା କରିବା ପାଇଁ ଗୋଟେ ଚାକର ରଖ । ମୁଁ ତମର ଏତେ ଫରମାସି ରଖି ପାରିବିନି । ଓଃ ଆଜି ବି ସେମିତି ପେସେଂଟ୍ ନାହାନ୍ତି । ଓଃ କି ବୋରିଂ  । ଆରାମ ଚୌକିକୁ ଆଉଜି ବସି ଅଳସ ଭାଙ୍ଗିଲି । ଆଖି ଆଗରେ  ଏନ୍ଲରାଜ୍ କରାଯାଇଥିବା ବୋଉର କାଚ ଫ୍ରେମ୍ ବନ୍ଧା ଫଟୋ; ତଳେ ବୋଉ ବସେଇ କରି ଗୋଲ ଗୋଲ ଅକ୍ଷରରେ ଲେଖିଛି, “ଦୁଃଖୀ ଅରକ୍ଷିତ ସେବା କାରଣେ ବଳ, ଦିଅ ମୋର କର ଚରଣେ ” । ତାରି ନାଁ ବୋଉ,ଯା କଥା ମନେ ପଡିଲେ ସରଳିଆ ମମତା ଭରା ମୁଁହଟି ଆଖି ଆଗରେ ନାଚି ଉଠେ । ଦେଖାଯାଏ ସ୍ନେହ ଆଉ ତ୍ୟାଗର ଛବିଟିଏ । ଯିଏ ସଳିତା ପରି ନିଜେ ଜଳି ଅନ୍ୟର ଦୁଃଖରେ ଦୁଃଖି ଓ ଅନ୍ୟର ସୁଖରେ ସୁଖି ହୋଇ ସଭିଙ୍କୁ ଆପଣାର କରିନିଏ । ଯାହାର କଥା ମନେ ପଡିଲେ, ମନଟା କିଲ୍ ବିଲ୍ ହୋଇ ଉଠେ  । ବୋଉ ପାଇଁ ଯେତେ ଭାବନା ଆସିଲେ,ଚେତନା ଚୌହଦୀ ଭିତରେ; ତାର ମମତା ବୋଳା ପଣତ  ଲମ୍ବି ଲମ୍ବି ଗଲା ପରି ଭାବନା ସରେ ନାହିଁ  । ବୋଉର ଅନୁଭବ ଅବ୍ୟକ୍ତ  । ସେ ପରମ ପ୍ରେମମୟୀ ମାଆ । ଯାହାର ଅଂଚଳ, ମାଟିରୁ ଆକାଶର ପରିସୀମା ପର୍ଯ୍ୟନ୍ତ ଲମ୍ବିଥାଏ ସିନା  । ହେଲେ ସେ ସୀମାହୀନ  । ତେଲୁଣି ପୋକ ମରିଗଲା ପରେ, ମଲା ଦେହକୁ ତାର ଛୁଆମାନେ ଝୁଣି ଝୁଣି ଖାଉଥିବା ସମୟରେ, ସେମିତି ବୋଉ ଘର ଭିତରେ ବାରି ହୋଇ ପଡେ  । ପରିବାରରେ ସବୁରି ମଣିଷର କଥା ବୁଝୁ ବୁଝୁ, ନିଜ କଥା ସରିଯାଇ ଥାଏ  । ଏମିତିରେ ବି ନିଜ ଜୀବନଟା ବି ସରି ଯାଇଥାଏ । ଶେଷରେ ପୁଳାଏ ଲୁହ ଆଉ ମନ ଗହନରେ ଅସରନ୍ତି କଥା ଦେଇ ଚାଲିଯାଏ  ।ବୋଉ, ଯିଏ ମୋ ପ୍ରେମିକା ଠୁ ନିଜର ଲାଗେ  ।  ଆହୁରି ପହିଲି ପ୍ରେମ ଠୁ ନିଜର ଲାଗେ  । ପ୍ରେମିକାର ରାଗ ରୁଷା  ଆଉ କେବେ କେବେ ଚୁମାଦିଆ ଠାରୁ  ମିଳନର ବେପଥୁ ପର୍ଯ୍ୟନ୍ତ କଥା ଲେଖୁ ଲେଖୁ ଲମ୍ବା ଦସ୍ତାବିଜ୍ ପାଲଟି ଯାଏ  । ସବୁରି  ମନରେ ଗୋଟେ କଥା ଭାଷି ଆସେ, ପ୍ରେମ ଏକ ଏପରି ନିଆଁ, ଯିଏ ଜୁଇ ନିଆଁ ଠାରୁ ଆହୁରି ଭୟଙ୍କର । ମଶାଣି ପର୍ଯ୍ୟନ୍ତ ହୁତ୍ ହୁତ୍ ହୋଇ ଜଳୁଥାଏ ପ୍ରେମିକାର  ଅଲିଭା ଚେଂକ  । ହେଲେ ଗୋଟିଏ ମାଆର ଭଲ ପାଇବା ଆଉ ତ୍ୟାଗ ସମ୍ମୁଖରେ ପ୍ରେମିକାର ଦସ୍ତାବିଜ କାହିଁକି କେମିତି ଜଳି ପୋଡି ପାଉଁଶ ହୋଇଯାଏ  । ଆକାଶର ଉଲକା ପରି ପ୍ରେମିକାର ପ୍ରେମ ମନ ଆକାଶରେ  କ୍ଷଣିକ ପାଇଁ ଝଲସି ଯାଏ ସିନା, ହେଲେ ବୋଉର ପ୍ରେମ, ମୁଁ ତୋ ସାଥିରେ ସବୁବେଳେ ଅଛି ବୋଲି, ପାହାନ୍ତି ବେଳର କୁଆଁ ତାରା ପରି ସବୁ ବେଳେ ଚମକାଉ ଥାଏ  । ସେଥିପାଇଁ ତ,  ସ୍ଥାନ, କାଳ, ପାତ୍ର, ଭାଷା, ଧର୍ମ ଆଉ ଜାତି ନିର୍ବିଶେଷରେ, ଯେତେବେଳେ ମନରେ କିମ୍ବା ଦେହରେ ହେଉ କୌଣସି ଆଘାତ ଆସେ, ବୋଉଲୋ ମରିଗଲି ବୋଲି ମନ ଗହୀରରୁ ଚାଇଁ କରି ଲାଗିଯାଏ  ।
           ବୋଉ ଆଜି ଦୁଇ ବର୍ଷ ହେବ ପାଖରେ ନାହିଁ । ହେଲେ ସେ ମୋ ପାଖରେ ନାହିଁ ବୋଲି  ମୁଁ କେବେବି ଭାବିନାହିଁ  । ତାକୁ ମୋର ହୃଦୟ ଫରୁଆ ଭିତରେ ମୋତିଟେ ପରି ସାଇତି ରଖିଛି । ଯେତେ ବେଳେ ମୁଁ ରୋଗୀ ଦେଖେ ସେଇ ମାନଙ୍କ ଠାରେ ବୋଉର ମୁଁହ ପ୍ରତିଫଳିତ ହୁଏ ମୋ ହୃଦୟର  କେଉଁ  ଏକ ନିହୃତ କନ୍ଦରାରେ । ଗୁଣୁ ଗୁଣୁ ହୋଇ ଗୁଂଜରି ଯାଏ, ବୋଉ ବୋଲୁଥିବା ସଂଜ ସକାଳରେ ପ୍ରାର୍ଥନାର ଧାଡି “ଦୁଃଖି ଅରକ୍ଷିତ ସେବା କାରଣେ...........” । ଏଇ ମନ୍ତ୍ରଟିକୁ  ଅନ୍ତରରେ ଭିଜାଇବା ପାଇଁ, ସେ କେତେ ଯେ ସାଧନା କରିଚି ତା’ର ହିସାବ ନାହିଁ । ନିଜକୁ ସେଇ ମନ୍ତ୍ରରେ ସେ ତ ଦିକ୍ଷୀତ କରି ସାରିଥିଲା । ହେଲେ ମୁଁ ଆଜି କଲି କ’ଣ? ମେଡିକାଲ୍ରୁ ଫେରିଲା ପରେ ମୁଡ୍ ଭଲ ନଥିଲା । କ୍ଲିନିକ୍ ଖୋଲୁ ଖୋଲୁ ସାମନ୍ତ ସାହିର  ସୁଲି ଆସି ପହଂଚି ଗଲା । ଘରେ ତା’ର ସ୍ବାମୀ କୁ ପ୍ରବଳ ଜ୍ୱର ହୋଇଛି । ମ୍ୟାଲେରିଆ ହୋଇପାରେ । ହ୍ୟାସ୍! ରିକ୍ସା ଟାଣି ପଇସା କମାଉଛି । ଘରେ ମୁଗ କିଛି ଥିଲା, ସେଇଆକୁ ବିକି ଦଶ ଟଙ୍କା ଆଣିଛି  । କିନ୍ତୁ ଏହା ପାଇଁ ଅତି କମ୍ ରେ ପଚାଶ ଟଙ୍କା ଲାଗିବ  । ଆଗରୁ ଶହେ ଟଙ୍କା ବାକି ଅଛି । ସୁଲି କଥା ଶୁଣି ମୋ ଦେହରେ ନିଅାଁ ଚରିଗଲା ପରି ଲାଗିଲା । “ବାକି ରେ ଔଷଧ ଦିଅ  ସତେକି ୟା ବୋପା ମୋ ପାଖରେ ଥୋଇ ଦେଇଛି? ଭାଗ୍ ଏଠୁ ଔଷଧ ଫୌଷଧ  କିଛି ନାହିଁ”  । ସୁଲି ମୋ କଥା ଶୁଣି ମୁଁହ ଶୁଖାଇ କହିଲା ,“ପଇସା କେଉଁଠୁ ପାଇବି ବାବୁ  । ତିନି ଦିନ ହେଲା ସେ ରିକ୍ସା ଟାଣିବାକୁ  ଯାଉନାହିଁ । ଆଜି ବି ଘରେ ଚୁଲି ଜଳିନି । ମୋତେ ଦୟାକର ବାବୁ  ନ ହେଲେ ମୋ ସଂସାର ଭାସିଯିବ । ମୁଁ ତମର ଧାରୁଆ ହୋଇ ରହିବି ନାହିଁ । କିଛି ନ ହେଲେ ବି ତମର ବାସନ କୁସନ ମାଜି ଶରଗ୍ଦଗ୍ଦକ୍ଟ ଦେବି  । ହେଲେ ମୁଁ ସଫା ମନା କରିଦେଲି  । ସୁଲି ଗଲା ବେଳେ କାନ୍ଦି କାନ୍ଦି କହିଗଲା”ଠାକୁର୍ ମାଁ ଥିଲେ ମୁଁ ଫେରିଯାଇ ନ ଥାନ୍ତି । ହଉ ଭାଗ୍ୟରେ ଯାହା ଥିବ ହେବ ।”
             ସୁଲି ଚାଲିଗଲା । ହେଲେ ଶେଷ କଥା ପଦକ  ମୋତେ ଅନେକ କିଛି ମନେ ପକାଇ ଦେଉଥିଲା । ବାସ୍ତବରେ  ଜଣେ ଡାକ୍ତରର କର୍ତବ୍ୟ କ’ଣ ମୁଁ ଆଜି ଯାଏଁ ଜାଣି ପାରିନି । କେବଳ ଡାକ୍ତରୀକୁ ପେଶା ଭାବରେ ନେଇ ପଇସା ରୋଜଗାର କରିବା ଛଡା ଆଉ କ’ଣ ଜାଣିଛି? ଆଧୁନିକ ସଭ୍ୟତାରେ ଡାକ୍ତରୀ ଏକ ସେବା ନୁହେଁ । କଂଚା ପଇସା ରୋଜଗାର କରିବାର ଏକ ବଳିଷ୍ଠ ମାଧ୍ୟମ । ହେଲେ ବୋଉ ସେବାକୁ ନିଜ ଜୀବନର ବ୍ରତ
ବୋଲି ଗ୍ରହଣ କରି ନେଇଥିଲା । ଯେଉଁ ଦିନ  କ୍ଲିନିକ୍ ରେ  ରୋଗୀ ମାନଙ୍କ ଠୁ  ପଇସା ନେବା ପାଇଁ ଜିଗର କରେ  । ବୋଉ କେମିତି ଚିଡି ଉଠେ  । କ୍ଲିନିକ୍ରୁ ସମସ୍ତେ ଚାଲି ଗଲା ପରେ ମୋର ମଥା ଆଉଁସୁ ଆଉଁସୁ କହେ “ଜୀବନରେ ବଂଚିବା ପାଇଁ  କୋଠାଘର, ବ୍ୟାଙ୍କ ବାଲାନ୍ସ, ଗାଡି ଓ ସୌଖିନ ଜିନିଷ ଯେତେ ଦରକାର ନୁହେଁ, ବରଂ ବଂଚିବା ପାଇଁ  ସମାଜର ମଣିଷ ମାନଙ୍କ ମଧ୍ୟରେ ଅମାପ  ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବା  ସବୁ ଠୁଁ ବେଶୀ ଦରକାର । ମହୁ ମାଛି  କେମିତି  ମହୁ ସାଇତି ରଖିଛି ଏ ମଣିଷ ମାନଙ୍କ ପାଇଁ , ଗଛ ମାନେ କିପରି ଆମକୁ ଫୁଲ ଆଉ ଫଳ ଦେଉଛନ୍ତି । ସେମାନେ ତ ଦିନେ ହେଲେ ଆମକୁ କିଛି ମାଗି ନାହାନ୍ତି । ବରଂ ଆଜିର ମଣିଷ ମାନେ କେମିତି ବଦଳି ଯାଇଛନ୍ତି । ସ୍ବାର୍ଥପର ଦୁନିଅାଁରେ ମଣିଷ ମାନଙ୍କ ଠୁ ଭଲ ପାଇବାଟା କେମିତି ସ୍ବପ୍ନ ପରି ଲାଗେରେ । ନିଜର ଦୁଃଖ କଥା କହିଲେ ଅନ୍ୟ ଠୁ ସ୍ନେହ ଶ୍ରଦ୍ଧା ଆଶା କରିବା ତ ଦୂରର କଥା । ଯଦି ସଂପର୍କର ହାତ ବଢିଯାଏ ତେବେ କାହାର ହାତ ଲମ୍ବି ଆସୁନି କାହିଁକି?  ଏମିତି କାହିଁକି ହେଉଛି? ଦେଖଛୁୁନା “ଆମ  ମାନଙ୍କ ମଧ୍ୟରେ ଭାଷା ଭେଦ,ଜାତି ଭେଦ,ଧର୍ମ ଭେଦ,ପ୍ରାନ୍ତ ଭେଦ ଆଉ ରାଜନୀତିର  କଳୁଷତା କିପରି ଭଲପାଇବାକୁ  ନଷ୍ଟ କରି ଦେଲାଣି । ଯଦି ମନ୍ଦିର , ମସ୍ଜିଦ୍, ଗୀର୍ଜା , ଗୁରୁଦ୍ୱାର ଓ ଧର୍ମୀୟ ଅନୁଷ୍ଠାନ ମାନଙ୍କୁ ଭାଙ୍ଗି, ତାକୁ ଟୁକୁଡା ଟୁକୁଡା କରି; ପ୍ରତି ମଣିଷର ହୃଦୟ ଭିତରେ  ଥିବା ପ୍ରାଚୀର କୁ ଉଠାଇ ଦିଆଯାନ୍ତା । ଆଉ ଭଲ ପାଇବାର ମଂଜି ବୁଣି ଦିଆଯାନ୍ତା, ଦୁନିଆଁଟା ହସି ଉଠନ୍ତାରେ । ତେଣୁ ତୁ ମଣିଷ ମାନଙ୍କୁ ଭଲ ପାଇବା ଶିଖ୍ । ଯଦି ସେମାନଙ୍କ ହୃଦୟରେ ସ୍ଥାନ ଟିକେ ଯୋଗାଡି ପାରିଲୁ ତେବେ ସମସ୍ତେ ତୋର  ନିଜର ହୋଇଯିବେ” । ସେଇ ମଣିଷଟି ଆଜି ମୋ ପାଖରେ ନାହିଁ । ଯିଏ  ସମସ୍ତଙ୍କୁ ଭଲ ପାଇବାର ଡୋରରେ ଦିନେ ବାନ୍ଧି ରଖିଥିଲା । ସେ ତ ଥିଲା ସେଇ ରାଇଜର ରାଣୀ ।ଯେଉଁ ରାଇଜରେ କେବଳ ମଣିଷ ପଣିଆ ରାଜୁତି କରୁଥିଲା ।ଯେବେ ସେ ସବୁ ଦିନ ପାଇଁ ଚାଲି ଗଲା;ତାକୁ ଦେଖିବା ପାଇଁ ବଡ ଜନ ଗହଳି ହୋଇଥିଲା । ମୁଁ କଳନା କରି ପାରିନଥିଲି । କାଲି ପରି ଲାଗୁଥିଲା ବୋଉର ଶବ ଉପରେ ଫୁଲ ସବୁ କେମିତି ବିଛେଇ ହୋଇ ପଡିଥିଲା । ସମସ୍ତଙ୍କ ଆଖିର  ଲୁହ । ମୋର ମନେ ହେଉଥିଲା ସେମାନଙ୍କର ପ୍ରିୟ ମଣିଷଟି ସବୁଦିନ ପାଇଁ ଛାଡି ଚାଲିଗଲା । ସେ ଆଉ ଆସିବନି । 
                         ଆଜି ନିଜକୁ ଏକ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ମନେ କରୁଥିଲି । ବୋଉର ଫଟୋ କୁ ଚାହିଁଲି । ଯେଉଁ ମୁଁହରେ ଚେନାଏ ହସ ଲାଗି ରହୁଥିଲା, ସେ ମୁଁହଟି କେମିତି ଉଦାସ ଦେଖାଯାଉଥିଲା । ବୋଉ ମତେ ଚାହିଁ କହୁଛି“ ତୁ କ’ଣ କଲୁରେ ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ମଣିଷ ପଣିଆକୁ  ଭୁଲି ଗଲୁ । ନିଜେ ଥରେ ଚିନ୍ତା କଲୁ ମଣିଷର ଜୀବନ ବଡ ନା ଟଙ୍କା ବଡ”? ଗରିବ୍ ଲୋକଟା ହାତ ପତେଇ ମଣିଷର ଜୀବନଟା ଭିକ ମାଗୁଥିଲା । ବୋଉ ମୁଁହକୁ ଚାହିଁ ପାରିଲିନି । ଆଖି ମୋର ଛଳ ଛଳ ହୋଇ ଆସୁଥିଲା । ..... ଖଣ୍ଡେଇତା ଘାଇ ଭାଙ୍ଗିବାର ଦି’ ମାସ ପରେ ପୋକରା ରିଲିଫ ଚାଉଳ ଯାହା ମିଳିଥିଲା ସେତିକି ହିଁ ଥିଲା ଶେଷ ସମ୍ବଳ । ଗାଁ ଗାଁରେ ହଇଜା ଲାଗି ପୋକମାଛି ପରି ଲୋକ ମରୁଥାନ୍ତି, ଡାକ୍ତର ଖାନା ନାହିଁ । ବାପାଙ୍କୁ ହଇଜା ହୋଇଥାଏ । ବୋଉ ଠାକୁରଙ୍କୁ ଡାକିଲା “ଯାହା ହେଉ ; ମୋର ହେଉ । ତାଙ୍କର କିଛି ନ ହେଉ” କିନ୍ତୁ  ବାପାଙ୍କର ଦଶ ଦଶଟା ଝାଡା ହୋଇଗଲାଣି , ଲାଗ୍ ଲାଗ୍ ବାନ୍ତି ହେଉଛି । ଓଷଦ ପାଇଁ ପାଖରେ
ପଇସାଟିଏ ନାହିଁ । ବାରି ଲେମ୍ବୁ ଗଛରୁ କଷି ଲେମ୍ବୁ ଚାରିଟା ବାଟିକରି ପିଇବାକୁ ଦେଲେ ବି ଭଲହେଉ ନାହିଁ । ବୋଉ ବ୍ୟସ୍ତ ହୋଇ ଧାଇଁଲା ସଦେଇ ମାହାନ୍ତି ଘରକୁ; ଏଲୋପ୍ୟାଥିକ୍ର ଭଲ ଓଷଦ ଜାଣିଛି, ହେଲେ ମାଂସ ଲୋଭୀ ଓ ପଇସା ଖୋର ଟାଏ । ସେ କ’ଣ ଜାଣିଥିଲା ଓଷଦ ପାଇଁ ସଦେଇ ମାହାନ୍ତି ପାଖରେ ସବୁ କିଛି ହରାଇବାକୁ ପଡିବ ବୋଲି?ହେଲେ କ’ଣ ହେଲା ନାରୀ ଜୀବନର ଅମୂଲ୍ୟ ସମ୍ପଦକୁ ହରାଇ ବାପାଙ୍କ ଜୀବନ ନାମକ ପକ୍ଷୀଟି ଉଡିଯାଇଥିଲା ।  କିନ୍ତୁ ବୋଉ ଭାଙ୍ଗି ପଡି ନଥିଲା । ସପ୍ତମ ଯୋଗ୍ୟତା ହାସଲ କରି ମନେମନେ ଡାକ୍ତର ହେବାର ସ୍ବପ୍ନ ଦେଖିଲା, ପେଟପାଇଁ କିଛି ରୋଜଗାର କରିବାକୁ ପଡିବ । ହୋମିଓପ୍ୟାଥିକ୍ ବହିଟିକୁ ପଢି ପ୍ରଥମେ ପ୍ରଥମେ ସେଇ ଗରିବ ମଣଷଙ୍କର ସୁଖ ଦୁଃଖରେ  ଭାଗୀ ହୋଇ ଓଷଦ ଦେଉ ଦେଉ ଡାକ୍ତରାଣୀ ହୋଇଗଲା । ଯେଉଁ ବାପ ଛେଉଣ୍ଡ ପିଲାଟାକୁ ମଣିଷ କରିବା ପାଇଁ ସେ ତାର ଜୀବନର ଲୁହ ଲହୁ ଏକାଠି କରିଦେଲା  ।  ସେ ଜଣକ ମୁଁ ବର୍ତମାନ ସମୟର ଖ୍ୟାତିନାମା ତଥା କଥିତ ଡାକ୍ତର । କିନ୍ତୁ ମୁଁ କଣ ଜଣେ ଡାକ୍ତରର କର୍ତବ୍ୟ କରିପାରିଲି ? କୂଳ କିନାରା ଶୂନ୍ୟ ହୋଇ ଗରିବ ସ୍ତ୍ରୀ ଲୋକଟି କେତେ ଆଶା ନେଇ  ମୋ ପାଖକୁ ଆସିଥିଲା ଓଷଦ ଟିକକ ପାଇଁ  ମୁଁ ତାକୁ ଫେରାଇ ଦେଲି  । ସେ ବର୍ତମାନ କଣ କରୁଥିବ? ମୁଣ୍ଡରେ ହାତ ଦେଇ ଲୁହ ଝରାଉଥିବ । ନ ହେଲେ ବଢିଲା ଝିଅ ପାଇଁ ଶେଷ ସମ୍ବଳ ଭାବରେ ରଖିଥିବା ରୂପା କାଚ େକଇପଟ କିମ୍ବା ପିତଳ କଂସା ବାସନ କେଇପଟ  କାହା ପାଖରେ ବନ୍ଧା ପକାଇବା ପାଇଁ ବାର ଦୁଆର ହେଉ ଥିବ । ନାଁ ଆଉ ବସି ହେବନି; କିଛି ଗୋଟେ କରିବାକୁ ପଡିବ ।
            ସୁଲି ଘରେ ପହଂଚିବାକୁ ବେଶୀ ସମୟ ଲାଗିଲାନି,ଘରଟା ଆଗରୁ ଦେଖିଥିଲି । ବୋଉର ଯେତେ ବେଳେ ବୁଲିବା ପାଇଁ ଇଚ୍ଛା ହେଉଥିଲା ରିକ୍ସା ପାଇଁ ସୁକାକୁ ଡାକିବାକୁ ତିନି ଚାରିଥର ଯାଇଥିଲି । ସୁକା କୁଟା ନିଆଁ ଜଳାଇ ମୁଣ୍ଡାସାରୁ ଗୁଡିକ ପୋଡୁଥିଲା, ମୋତେ ଦେଖି ତାର ହଳଦିଆ ଦାନ୍ତ ଦେଖାଇ ନମସ୍କାର କଲା ମୁଁହକୁ ଚାହିଁଲି  । ନିଷ୍ପ୍ରଭ କୋଟର ଗତ ଆଖି ଦୁଇଟାରେ ଗରିବ ଜୀବନର ସାଇତା ଦୁଃଖକୁ ଚାପି ରଖିଥିଲା  । ଗାଲ ଦିଟା ଟାକୁଆ । ସତେକି ମୁଠାଏ ଚାଉଳ ଧରିବ, ଛାତିର କଂକାଳ ଗୁଡିକ ଦାରିଦ୍ର୍ୟର ମାନଚିତ୍ର ଅଙ୍କନ କରୁଥିଲା । ହଠାତ୍ ସୁକା ମୋର ଧ୍ୟାନ ଭଗ୍ନ କରି କହିଲା । 
                “କ’ଣ ଏମିତି ଚାହିଁଚ ବାବୁ ଜରରେ ପାଂଚଦିନ ହେଲା ପଡିଲିଣି ଯେ ପାହୁଲାଟିଏ ବି ନାହିଁ । ପଥି ଟିକେ ଖାଇବା ଦୂରର କଥା ଭାତ ରାନ୍ଧିବାକୁ ଚାଉଳ ମୁଠାଏ ନାହିଁ ।  ପୁଅଟାର ବି ଝାଡା ହେଉଛି ।  କ’ଣ କରିବି? ଆପଣଙ୍କ ଉପରେ ଭରସା ଥିଲା । ବାକିଆ ଟଙ୍କା ଶୁଝିନି ବୋଲି ଆପଣ ଫେରାଇ ଦେଲେ । ଦି ଦିନ ହେଲା କିଛି ଖାଇନି,ଭୋକ ସଂଭାଳି ନ ପାରି ମୁଣ୍ଡା ସାରୁକୁ ଖାଇବି ବୋଲି ପୋଡୁଥିଲି । ଆଛା ଆପଣେ  କୁଆଡେ ଆଇଲେ । ସୁଲି କ’ଣ ବେସି ମାନିଆ କରି କହିଲା? ହୁଣ୍ଡିଟା ଆସୁ ଆଜି ।
 -“ନାଇଁରେ ସୁକା ସୁଲିକୁ ସିନା ରାଗି ମନା କରିଦେଲି । ହେଲେ ମୁଁ ଶାନ୍ତିରେ  ବସି ପାରିଲିନି । ପରିସ୍ଥିତି ଯାହା ଶୁଣିଥିଲି ତମେ ମାନେ କ’ଣ କରୁଥିବ ଭାବି ମୁଁ ଚାଲିଆସିଲି । ସୁଲି ମତେ କିଛି କହିନି ।”
-ତମେ ମଣିଷ ନୁହଁ ଦେବତା ବାବୁ । ସୁଲି ଫେରି ଆସିବା ପରେ ଝିଅ ବାହାଘର ପାଇଁ  ରଖିଥିବା କଂସା ବାସନ ଦି’ଟା  ବନ୍ଧା ରଖି ପଇସା ପାଇଁ ଯାଇଥିଲା । ହେଲେ ଏ ଯୁଗରେ ସୁନା ଛଡା ଆଉ କିଛି ଚଳୁନି । ଏଇ କ୍ଷଣି ସେ ଆଉ ଝିଅ ଧରମ ମାମୁଁ ଘରକୁ ଯାଇଛନ୍ତି । ବାଟରେ ଆସିଲା ବେଳେ ଦେଖିନି?
-ଆରେ ରାତି ଦଶଟା ହେଲାଣି, ତାକୁ କୁଆଡେ ପଠାଇଲୁ ? କ୍ଲବ ରେ ମଦୁଆ ଗୁଡାଙ୍କର ଜ୍ଞାନ ନାହିଁ । ସାଂଗରେ ବଢିଲା ଝିଅଟା ଅବସ୍ଥା କ’ଣ ହେବ ଜାଣୁ?
  -ମୁଁ  ଜାଣେ ବାବୁ  ଏ ଯୁଗରେ ଗରିବ ଜୀବନ ପାଇଁ ଇଜ୍ଜତଟା ବଡ କଥା ନୁହେଁ  । ଗରିବ ଜୀବନଟା ବଂଚିବା ପାଇଁ ପେଟକୁ ମୁଠେ ଦାନା ଦେହକୁ କନା ଖଣ୍ଡେ ହେଲେ ଯଥେଷ୍ଟ । ହେଲେ ଯେତେବେଳେ  ସେତକ ଅଭାବ ହୋଇ ରୋଗରେ ସଢି  ମରିବା ପାଇଁ ଗାତକୁ ଗୋଡ ବଢାଏ , ସେତେ ବେଳେ ଇଜ୍ଜତଟା ବଡ ହୋଇ ନଥାଏ ।
              -ବାକ୍ ଚାତୁରୀ ବନ୍ଦକର । ଆଗ ଦେଖା ପୁଅ କେଉଁଠି? ମୁଁ  ମୋର କାମ କରିବି ତୁ ଯା  । ମା’ ଝିଅ ଦିଟାଙ୍କୁ ଫେରାଇ ଆଣ ।
             ସୁକା ଗଲା , ତା’ପୁଅ ପାଇଁ ସାଲାଇନ୍ ବ୍ୟବସ୍ଥା କରିବାକୁ ପଡିବ । ପିଲାଟା ଗୁଡେ ଝାଡା ହୋଇଯାଇଛି । ସେଥିରେ ପୁଣି ତାର ବାନ୍ତି ହୋଇଛି । ଦେହଟା ଏକବାର କଳା କାଠ ପଡିଗଲାଣି । ଏକା ଥରକେ ମାଲ ନିଉଟ୍ରେସନ୍ ଆଉ ରିହାଇ ଡ୍ରେସନ୍ । ଓଃ ମାଇଁ ଗଡ୍; ସାଲାଇନ୍ ଲଗାଇ ସାରିବା ପରେ  ମୁଁ ମୋ ଜୀବନରେ  ବିତିଯାଇଥିବା – ବିଗତ ଦିନର ଦୃଶ୍ୟ ଗୁଡିକୁ ମନେ ପକାଇବା ପାଇଁ ଚେଷ୍ଟା କଲି  । ସତରେ ଗରିବ ଜୀବନଟା କି ଅଭିଶପ୍ତ ଜୀବନ? ସେ କେବଳ ସମାଜରେ  ଲାଂଛିତ ହୋଇନଥାଏ । ଜୀବନ ସାରା ଗଧ ପରି ଖଟି ଖଟି ମୁଠେ ପେଟ ଭରି  ଖାଇବାକୁ ପାଏନି । ଖଣ୍ଡେ  ଲୁଗା ସାତ ସାଆଁ କରି ବର୍ଷସାରା ପିନ୍ଧେ । ଦେହ ଖରାପ ହେଲେ କୌଣସି ଗଛର ପତ୍ର କିମ୍ବା ଫୁଲକୁ ଖାଏ ।  ବଜାରରେ ମୁଦ୍ରାସ୍ପୀତି ବଢିଲେ ଗରିବ ବେଶୀ ଶୋଷିତ ହୁଏ , ଯଦି ସମାଜରେ କିଏ ରକ୍ତହୀନତା , ପୃଷ୍ଟିହୀନତା ଓ ଜଳ ଶୁଷ୍କତାରେ  ଆକା୍ରନ୍ତ ହୁଅନ୍ତି । ସେଇମାନେ ହିଁ କେବଳ ହୁଅନ୍ତି । ଶିଶୁର ମୃତ୍ୟୁ ହାରକୁ ଗରିବ ହିଁ ବଢାଏ, ସରକାରୀ  କାଗଜ ପତ୍ରରେ ଗରିବ ସୀମାରେଖା ତାଲିକାରେ ନାମ ଥିଲେ ବି ଆସୁଥିବା ଜିନିଷରୁ ଏକ ଚତୁର୍ଥାଶଂ ପାଇବା ପରେ ଅବଶିଷ୍ଟାଂଶ ଗୁଡିକ ହଡପ  ହୋଇ ବଜାରରେ ଚଢା ଦରରେ ବିକି୍ର ହୁଏ । ରାଜନୈତିକ  ନେତା ମାନଙ୍କ ଚାମଚା ମାନେ ସରକାରଙ୍କ ଗରିବ ପାଇଁ ବାସଗୃହ ଗୁଡିକ ପାଇବା ସ୍ଥଳେ ଗରିବ ଲୋକ ଭଙ୍ଗା ଚାଳିଆରେ ଦିନ କଟାଏ । ତାର ଦୁଃଖ ଶୁଣିବା ପାଇଁ କେହି ନଥାନ୍ତି କେବଳ ଶେଷରେ  ଦୀର୍ଘଶ୍ୱାସ ଛାଡି ତାର ଜଡ ହେବା ଦେହଟା ମାଟିରେ ମିଶିଯାଏ । ରାଜନୀତିର ଚକ୍ରବୁ୍ୟହରେ ଚାମଚାମାନଙ୍କ ଚଂଚକତା ବୁଲଡ୍ରୋଜରରେ, ଗରିବୀ ଜୀବନର ଜୀଉଁଣା ଧୂଳିସାତ୍ ହୋଇଯାଏ ସିନା, ଗରିବୀ ସରେ ନାହିଁ । କିନ୍ତୁ  ଗରିବ ଉନ୍ନତି କରଣ ଯୋଜନା ନାମରେ, ସରକାରଙ୍କ ରାଜକୋଷରୁ ଅଜସ୍ର ଟଙ୍କା ବରବାଦ ହୁଏ  ।  ସରକାରୀ ଧଳା ହାତୀ ପୋଷା ହୁଅନ୍ତି । ପିସି କାରବାର ହୁଏ  । ଆର୍ଥôକ ବର୍ଷର ବଜେଟରେ ଏହି ଯୋଜନାକୁ ହାଇ ଲାଇଟେଡ୍ କରାଯାଏ  । କିନ୍ତୁ  କମ୍ବଳ ଯାକ ବାଳ ପରି ସବୁ କିଛି ଶୁନ୍ ହୋଇ ଯାଏ  ।
                 ସୁକାର ଅବସ୍ଥା ବି ସେୟା ସେ ଗରିବ ରିକ୍ସାବାଲାଟିଏ । ଦିନରେ ରିକ୍ସା ଟାଣିଲେ, ରାତିରେ ଚୁଲିରେ ହାଣ୍ଡି ବସେ । ୟେ ତାର ଘର ନୁହେଁ ଝୁଂପୁଡିଟିଏ, ଭଲଭାବରେ ଛପର ହୋଇନଥିବାରୁ ରାତିରେ ଜହୁତାରା ଓ ଦିନରେ ସୂର୍ଯ୍ୟ ଦେଖାଯାଉଛି । ବର୍ଷା ପାଣି ଗଳୁ ଥିବାରୁ ଠାଏ ଠାଏ ଚେପା ରସ ତାଟିଆ ଆଉ ରସଥାଳି ଥୁଆ ହୋଇଛି । ସନିଆ ଶୋଇଛି ଛିଣ୍ଡା ସପ ଉପରେ । ତା ଦେହ ଉପରେ ସୁକା ଗୋଟେ ଛିଣ୍ଡା ଦରବା ଘୋଡେଇ ଥିଲା । ଏସବୁ ମୋତେ ନୂଆ ଲାଗୁ ନ ଥିଲା କାରଣ ମୁଁ ଗୋଟିଏ ବାପ ଛେଉଣ୍ଡ ଗରିବ ପୁଅ,ଗରିବର ଜୀବନ କଣ ମୁଁ ଅେଙ୍ଗ ଲିଭେଇଛି । ଆଜିର ଡାକ୍ତରୀ ଜୀବନ । ଆଉ କାଲିର ଛାତ୍ର ଜୀବନକୁ ଅନାଇ ବସିଲେ ଆକାଶ ପାତାଳ ତଫାତ୍ ଲାଗେ । ପିଲା ବେଳେ ସ୍କୁଲକୁ  ଯିବା ପାଇଁ ପଖାଳ ମୁଠେ ନ ଥାଏ । ହୁକ ବୋତାମ ନ ଥିବା ଛିଣ୍ଡା ପେଣ୍ଟକୁ ଟେକି ଟେକି ସ୍କୁଲକୁ ଧାଉଁଥିଲି । ଖାତା ବହି ନ ଥିବାରୁ ହୋମ୍ ଟ୍ୟାକ୍ସ୍୍୍ କରି ନ ପାରି ସାରଙ୍କଠୁ ଛେଚା ଖାଉଥିଲି । ଖେଳଛୁଟିରେ ଦଶ ପଇସାର ମୁଢି ମୁଆଁ କି ଆଇସକ୍ରିମ୍ଟିଏ ଖାଇବା ପାଇଁ ମୋ ନିକଟରେ ପଇସା ନ ଥିଲା  । ବୋଉ ବି ମୁଲ ଲାଗିବା ପାଇଁ କାହା ଘରକୁ ଚାଲି ଯାଉଥିଲା  । ମୋତେ ବହୁତ ଦୁଃଖ ଲାଗୁଥିଲା, ପାଠ ବୁଝିବା ପାଇଁ ଅନ୍ୟ ବେଳେ ପିଲାମାନେ, ମୋ ନିକଟରେ ଲବି କଲାବେଳେ, ଖାଇବା ଛୁଟିରେ ମୁଁ ଏକ ଘରିକିଆ ହୋଇ ଯାଉଥିଲି  । ପିଲାମାନଙ୍କ ଘରର ଭୋଜି ଭାତକୁ ବି ଯାଇ ପାରୁ ନଥିଲି  । କାରଣ ଆମେ ଗରିବ ଥିଲୁ  ।  ଅନ୍ୟ ପିଲାମାନେ ଟିଫିନ୍ କରିବା ସମୟରେ, ସେମାନଙ୍କ ଆଖି ସହିତ ଯଦି କେବେ ମୋ ଆଖି ମିଶି ଯାଉଥିଲା, ଡାଆଣା ବୋଲି ଗାଳି ଶୁଣିବା ପାଇଁ ପଡୁଥିଲା । ହେଲେ ଅନ୍ୟ ଖାଦ୍ୟକୁ ଚାହିଁ, ଭୋକ ଉପାସରେ ପେଟ ଆଉଁସିବା, କେବଳ ଗୋଟେ ଗରିବ ଛୁଆ ହିଁ ଅନୁଭବ କରିପାରେ  ।
                 କାହାର ଡାକରାରେ ଲାଗି ଆସୁଥିବା ଛାଇ ନିଦଟା ଚାଉଁ କରି ଭାଙ୍ଗିଗଲା । ସୁକା,ସୁଲି ଓ ତାର ଝିଅ ସୁନା ଫେରି ଆସିଥିଲେ । ସୁଲି ମୁହଁକୁ ଚାହିଁଲି,ତାର ଆଖି ଛଳ ଛଳ ହୋଇ ଉଠୁଥିଲା । “ଆରେ ତମର ଡେରି ହେଲା କାହିଁକି? ସୁକା ମୋ କଥା ଶୁଣି କାନ୍ଦ କାନ୍ଦ ହୋଇ କହିଲା” ସେ କଥା କୁହନା ବାବୁ । ସେ ମଦୁଆ ଗୁଡାକ ଏତେ ବଦମାସ୍ । ମୁଁ ଯାହା ଦେଖିଲି,ମୋର ବୁ୍ଦ୍ଧି ହଜିଗଲା ।  ମାତାଲ ଟୋକା ସୁନାର ଗୋଡ ହାତକୁ  ଧରି ଟାଣୁ ଥିଲେ  ।xxxxxxx “ମୋର ସବୁକିଛି ସରିଯାଇଛି ବାବୁ ! ମୋର ସବୁକିଛି ସରିଗଲା, ଆପଣ ଆଉ କାଇଁ ଆସିଲେ ଯଦି ଆସିଲେ କାହିଁକି ସୁଲିକୁ ଫେରେଇ ଦେଇଥିଲେ,ହେ ଭଗବାନ୍ ମୋତେ ଜୀବନରୁ ନ ମାରି କାହିଁକି ଏମିତି କଥାସବୁ ଦେଖିବାକୁ ବଂଚେଇ ରଖିଛ” । 
                  ମୋ ମୁହଁରେ ଆଉ କିଛି ଭାଷା ନ ଥିଲା  । ମୁଁ ସଂପୁର୍ଣ୍ଣ ସ୍ଥାଣୁ ଯେମିତିକି ପଥରର ମୂର୍ତିଟିଏ ପାଲଟି ଯାଇଥିଲି ଧୀରେ ଧୀରେ ଗଭୀର ମନସ୍ତାପ ଦୀର୍ଘଶ୍ୱାସ ଭିତରେ ମୁଁ ପଛକୁ ପଛକୁ ଫରୁଥିଲି । ମନେପଡୁଥିଲା ସେଦିନ କାଳରାତ୍ରୀରେ ଘଟିଥିବା ବୋଉର କାହାଣୀ । ବୋଉର ମୁହଁ ଯେଉଁ ଦିନ କି ବାପାଙ୍କୁ ବଂଚେଇବାକୁ ମୋର ବୋଉ ନିଜର ସର୍ବସ୍ବ ହରେଇ ମଧ୍ୟ ବାପାଙ୍କୁ ବଂଚେଇ ପାରିନଥିଲା ।                
            କାର୍ଯ୍ୟ ନିର୍ବାହୀ ସଂପାଦକ-ଉଦୟ ଭାନୁ
                                            ସା-ଭୋଦଳ,ପୋ-ପାଟସୁନ୍ଦରପୁର,
କଟକ-୦୧୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।