7/05/2019

ମୋ' ରାଣ

ରାଜେଶ ପୂଜାରୀ


ଏମିତି କିଛି ସୁଘଟଣ
 ଘଟିବା ନିହାତି ଜରୁରୀ ଅବନ୍ତିକା
ଶିଉଳି ଲାଗି ପାଦ ଖସିଲେ ଯାଇ
ଦିଶେ ପରଦା ପଛର ମୁହଁ
ଫିଟି ଯାଏ ଗୁମର ବନ୍ଧନ,

ହଜେଇବା ହଜିବା
ପୁଣି ଠଉରେଇ ପାରିଲା ଯାଏଁ
ଖୋଜିବା ହିଁ ଜୀବନ
ଯୋଡିବା ଛିଡିବା ତ ନୈତିକ ବିଧାନ !

ଇପ୍ସିତ ଇଚ୍ଛା ମାନଙ୍କୁ
ଫାଶୀ ଖୁଣ୍ଟରେ ଝୁଲେଇବାକୁ
ବିଫଳ ହେଲେ ବୋଲି
ଛଳନାକାର ମାନେ ଭାଙ୍ଗିଗଲେ ବାଟ,

ସେମାନେ ତ ସଂପର୍କ ହାଟରେ
କିଣା ବିକା କରନ୍ତି ମିଛ ପରିଚୟ
ଜାଣିଛ ଯେବେ ତାଙ୍କ ମନରେ
ଆଉ କିଛି ଜାଗା ନାହିଁ ତୁମ ପାଇଁ                                            
ଲାଭ ଅବା କାହିଁ
ମଥା ପିଟିବ ଯାହା ଅଯଥାରେ ।
ଖଞ୍ଜି ଚାଲ ଫୁଲର ତୋରଣ
ସଜାଅ ବନ୍ଦାଣ ଥାଳ..
ଜାଳି ଦିଅ ସ୍ବାଗତ  ଦୀପିକା
ଉଡ଼ି ବୁଲନ୍ତୁ କୋଟି ମଧୁ ମକ୍ଷିକା
ଦେଖିବା କରିବ କେମିତି ବାରଣ
ଆସିବାକୁ ଫୁଲେଇ ଫଗୁଣ !

କର୍ତ୍ତବ୍ୟ ମାନେ
ରତ୍ନ ଗର୍ଭା ହେବେ ଯେବେ
ସରିଯିବ ନିମିଷକେ
 ସବୁ ଖୁଚୁରା ଯାତରା
ଭାଜି ଯିବ ଛାଇ ନିଦ
ପଦାଗତ ହେବ ଖୁସି ଅସରା ଅସରା ।

ଏଠାରେ କିଏ କାନ୍ଦିଲା ଖୁସିରେ
କିଏ  ଦୁଃଖରେ
ବଡ଼ ଅଜବ ଏ ଦୁନିଆ ସତରେ
 ଲୁହ ଝରେ ବିଶ୍ବାସ ପାଇଁ
ପୁଣି ବିଶ୍ବାସ ନକରି,

ତାଙ୍କ ପରି କାଇଁ ହୁଅ ଯେ..
ମୁଁ ପରା ଅଛି ତୁମ ସାଥିରେ
କେହି ଥାଉ ନ ଥାଉ
ସେମାନେ ତୁଚ୍ଛାରେ
ଗାଆନ୍ତୁ ତାଳି ବାଡ଼େଇ -
ହେଉରେ ହେଉ
ଖୁସା ସାଙ୍ଗକୁ ଚାଉଁରି ହେଉ।

ମୋ' ରାଣ କଥାଟେ ରଖିବ
ଆଉ କାନ୍ଦିବନି କେବେ
କାଳେ ଝାଉଁଳା ଦିଶିବ
କେହି ଜଣେ ପଦାତିକ
ଚାଲୁ ଚାଲୁ ପଥ ଭୁଲିଯିବ !

କୁଶମେଲ, ଝାରସୁଗୁଡ଼ା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।