ବସନ୍ତ ମଞ୍ଜରୀ ଦାସ
ବିବର୍ତ୍ତନବାଦ ହିଁ ପୃଥିବୀର ଗୁଢ଼ ତତ୍ତ୍ବ । ଏହି ତତ୍ତ୍ବ ସହ ଆତ୍ମିକ ସମ୍ପର୍କ 'ଧର୍ମ' ପଦର । 'ଧୃ' ଧାତୁର ନିଷ୍ପନ୍ନ 'ଧର୍ମ' ଶବ୍ଦଟି ମନ ରୂପକ ହୟକୁ ନିୟନ୍ତ୍ରଣାଧିନ କରିବାରେ ଧୂରନ୍ଧର । କିନ୍ତୁ ସେହି ଧର୍ମ ତତ୍ତ୍ବ ଅବବୋଧ ହେବା ନିମିତ୍ତ ପ୍ରତ୍ଯେକଙ୍କ ମଧ୍ୟରେ ଚେତନଶୀଳତାର ଆବଶ୍ଯକତା ରହିଛି । ଚେତନୋଦ୍ଯୋତକ ପରଂବ୍ରହ୍ମ ଭିନ୍ନ ଭିନ୍ନ ରୂପରେ ଜଗତର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସତତ ଚେଷ୍ଟାପର । ଚତୁର୍ଯୁଗର ଅନ୍ତର୍ନିହିତ ତତ୍ତ୍ବକୁ ବିଶ୍ଳେଷଣ କଲେ 'ଧର୍ମ' ହିଁ ଜଗତର ରକ୍ଷକ, ଏହାର ସ୍ପଷ୍ଟ ପ୍ରମାଣ ସମ୍ମୁଖସ୍ଥ ହୋଇଯିବ । ସତ୍ଯ - ତ୍ରେତୟା -ଦ୍ବାପର ତଥା କଳିଯୁଗ ଚ଼ାରିଗୋଟି ପ୍ରାମାଣିକ ସ୍ମୃତିସ୍ତମ୍ଭ । ହିରଣ୍ଯାକ୍ଷଙ୍କର ପୁତ୍ର ପ୍ରହଲ୍ଲାଦ ଜୀବନର ନିଗୁଢ଼ ତତ୍ତ୍ବ ସମ୍ପର୍କରେ ଅଭିହିତ ହେବା ପରେ ଇଶ୍ବରଙ୍କର ନାମ ସଙ୍କୀର୍ତ୍ତନରେ ରତ ରହୁଥିଲେ ସଦାସର୍ବଦା । ତାମସିକ ଗୁଣଧାରୀ ତଥା ଅହଂଭାବରେ ରତ ହିରଣ୍ଯାକ୍ଷହରି ଶବ୍ଦ ଶୁଣିବା ମାତ୍ରେ ହିଁ ଅତିଷ୍ଠ ହୋଇ ଉଠୁଥିଲେ ପୁତ୍ର ପ୍ରତି । ଏଣୁ ପୁତ୍ରର ମୃତ୍ୟୁ ନିମିତ୍ତ ଅନେକ ଉପାୟ ଅବଲମ୍ବନ କରିଥିଲେ ସେ । କେବଳ ଧର୍ମର ସଂସ୍ଥିତି ହିଁ ପ୍ରହଲ୍ଲାଦଙ୍କୁ ପ୍ରାମାଣିକ ଆଶ୍ଚର୍ଯ୍ୟ ଚିତ୍ରଧର ଭାବେ ପୁରାଣ ପୃଷ୍ଠା ମଣ୍ଡନ କରାଇଥିଲା । ସେତେବେଳେ "ନ ଦେବୋ ବିଦ୍ଯତେ କାଷ୍ଠେ ନ ପାଷାଣେ ନ ମୃଣ୍ମୟେଭାବୋ ହି ବିଦ୍ଯତେ ଦେବଃ ତସ୍ମାତ୍ ଭାବୋ ହି କାରଣମ୍" ନ୍ଯାୟରେ ପ୍ରହଲ୍ଲାଦଙ୍କର ଏକାଗ୍ର ଭାବ ସ୍ତମ୍ଭ ମଧ୍ୟରୁ ଆବିର୍ଭାବ କରାଇଥିଲା ନରସିଂହ ରୂପଧାରୀ ବିଚିତ୍ର କରିତ୍କର୍ମାଙ୍କୁ ।
ତ୍ରେତୟା ଯୁଗର ଧର୍ମ ଭାବନା ଭାରତୀୟ ପରମ୍ପରାର ଉତ୍ସ ସାଜିଥିବା ବେଳେ ରାମଚନ୍ଦ୍ର ଆଦର୍ଶ ପୁରୁଷ ରୂପେ ନାରୀ - ପୁରୁଷ ନିର୍ବିଶେଷରେ ପ୍ରିୟଭାଜନ ହୋଇଥିଲେ ସମସ୍ତଙ୍କର । ବିଶେଷତଃ ଉଦାହରଣର କେନ୍ଦ୍ରବିନ୍ଦୁ ସାଜିଥିଲେ ସେ ପ୍ରତ୍ଯେକ କ୍ଷେତ୍ରରେ । ଧର୍ମୀୟ ଅବମାନନାରେ ପ୍ରସ୍ତର ସାଜିଥିବା ନାରୀକୁ ଗତ ରୂପ ପ୍ରଦାନ କଲା ପରେ ପିତା-ମାତା-ଭ୍ରାତା ତଥା ପ୍ରଜାଗଣଙ୍କର ଆନନ୍ଦୋଲ୍ଲାସି ସାଜିଥିଲେ ସେ କେବଳ ଧର୍ମୀୟ ଚେତନାରେ ବ୍ରତୀ ହୋଇ । ଧର୍ମର ବିରୁଦ୍ଧାଚରଣକାରୀ ରାବଣର ନିଧନ ହିଁ ଧର୍ମର ଶୃଙ୍ଖଳିତ ନୀତି ଫର୍ଦ୍ଦର ବାସ୍ତବ ଚିତ୍ରଣ ।
ଦ୍ବାପର ଯୁଗରେ କଂସ ପାଇଁ ଆଶ୍ଚର୍ଯ୍ୟାବହ ଚିତ୍ରମାନ ଉପସ୍ଥାପନ କରିଛନ୍ତି କୃଷ୍ଣ ଶୈଶବ କାଳରୁ । କେତେବେଳେ ବକାସୁର ତ କେତେବେଳେ ଶକଟାସୁର ଆଉ କେତେବେଳେ ପୁତନା, ଭିନ୍ନ ଭିନ୍ନ ଧାରାରେ ସେମାନଙ୍କର ହନ୍ତକ ସାଜିଥିଲେ ଶିଶୁକୃଷ୍ଣ । ପରିଶେଷରେ ଦର୍ଶନ ମାତ୍ରେ ଦେହତ୍ୟାଗ କରିଥିଲା ପ୍ରବଳ ପ୍ରତାପୀ ମାମୁଁ କଂସ ।
ଚତୁର୍ପାଦରୁ ତ୍ରିପଦକ୍ଷୟୀ କଳିଯୁଗରେ 'ମୁଁ' ଗଣ କେବଳ ଧର୍ମ ଶରଣାପନ୍ନ ହେବା ଉଚିତ୍ । କାରଣ 'ମୁଁ' ଅକ୍ଷରର ବିନାଶରେ ଶୂନ୍ଯ କୁଣ୍ଡଳୀରେ ଘୂର୍ଣ୍ଣାୟମାନ ହେବାକୁ ପଡ଼ିବ ବହୁକାଳ । ସତ୍ଯର ହିରଣ୍ଯାକ୍ଷ, ତ୍ରେତୟାର ରାବଣ, ଦ୍ବାପରର କଂସ ପରେ କଳିର 'ମୁଁ' ଧର୍ମବିରୋଧୀ ନ ହୋଇ ବରଂ ଧର୍ମାଶ୍ରୟୀ ହେବା ଉଚିତ୍ । କାରଣ କ୍ଷୋଭରେ ସତ୍ତା ହରେଇ ଥିବା ସତ୍ଯ - ଶାନ୍ତି - ଦୟା - କ୍ଷମା ତଥା ଉଦାର ପଣିଆ ପୁନଃ ପ୍ରତ୍ଯାବର୍ତ୍ତନ କରିବେ କେବଳ ଧର୍ମ ଅଙ୍ଗ ସଙ୍ଗରେ । ରାମ ତଥା କୃଷ୍ଣଙ୍କ ପରି ଭାରତ ଭୂମିର ଆରାଧ୍ୟ ଦେବତା ଜଗନ୍ନାଥ ନିଜକୁ ପୁରୁଷ ରୂପରେ ବିବେଚିତ କରାଇବା ପାଇଁ ପୁରୁଷୋତ୍ତମ ନାମ ଗ୍ରହଣ କରିଛନ୍ତି ଯେତେବେଳେ ପ୍ରତ୍ଯେକ ପୁରୁଷଙ୍କୁ ସେତେବେଳେ ଜଗନ୍ନାଥ ତତ୍ତ୍ବ ପ୍ରତି ଆକର୍ଷିତ ହେବା ଉଚିତ୍ । ଏହା ହେଲେ ପ୍ରକୃତିର ଶ୍ରେଷ୍ଠ ଜୀବ ଭାବେ ବିବେଚିତ ହେଉଥିବା ମନୁଷ୍ୟଗଣ ପାରମ୍ପରିକ କ୍ଷେତ୍ରରୁ ବିଚ୍ଯୁତ ହେବା ଆଦୌ ଉଚିତ ନୁହେଁ ।
ପରମ୍ପରା କହିଲେ ସଦ୍ଭାବନା ଶେଷ୍ଠ ମାଧ୍ଯମ । କାରଣ ପଲ୍ଲୀ କୋଳରେ 'ରଥଯାତ୍ରା' ପରି ପ୍ରତ୍ଯେକ ପାରମ୍ପରିକ ଯାତ୍ରା, ମହେତ୍ସବକୁ ଋଦ୍ଧିମନ୍ତ କରି ତୋଳିବା ନିତାନ୍ତ ଆବଶ୍ଯକ । କ୍ଷୟୀଷ୍ଣୁ ପରମ୍ପରାକୁ ବର୍ଦ୍ଧିଷ୍ଣୁ କରିବା ପାଇଁ ପଲ୍ଲୀ କୋଳ ହିଁ ଶ୍ରେଷ୍ଠ ମାଧ୍ଯମ । କାରଣ ପଲ୍ଲୀ କୋଳରେ ଚିତ୍ରିତ ହୁଏ ପାରମ୍ପରିକ ଚିତ୍ରରାଜି ; ଦଶହରା, ରଜ, କୁମାରପୂର୍ଣ୍ଣିମା ପରି ପାରମ୍ପରିକ ଉତ୍ସବ ଗୁଡ଼ିକରେ ସାମୂହିକ ସମବେତ ପୁରାତନୀ ଉତ୍ସବକୁ ଉଜ୍ଜୀବିତ କରାଇବାରେ ସହାୟକ ସାଜିବେ ନିଶ୍ଚୟ । ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଭାରତ ଭୂଇଁରେ ଦେବତାଗଣ ଜନ୍ମଗ୍ରହଣ କରିବାକୁ ଇଚ୍ଛା ପୋଷଣ କରିଥାଆନ୍ତି ପ୍ରତ୍ଯେକ କାଳରେ । କାରଣ ସ୍ବର୍ଗର ସୌନ୍ଦର୍ଯ୍ୟ ଠାରୁ ପୃଥିବୀର ସୌନ୍ଦର୍ଯ୍ୟ ଅନୁପମ । ବିଶେଷ କରି ଭାରତରେ ସର୍ବାଧିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ । ଏଣୁ କୁହାଯାଏ 'ଯାହା ନାହିଁ ଭାରତେ, ତାହା ନାହିଁ ମରତେ' ।
ଏଣୁ, ହେ ଯୁବକୁଳ ! ଭାରତୀୟ ମର୍ଯ୍ୟାଦାର ଅକ୍ଷୁର୍ଣ୍ଣତା ନିମିତ୍ତ ପଲ୍ଲୀ ପ୍ରକୃତିର ଯତ୍ନ ନେବା ସଙ୍ଗେ ସଙ୍ଗେ ସୌହାର୍ଦ୍ଦ୍ଯପୂର୍ଣ୍ଣ ଚିତ୍ତରେ ଭ୍ରାତୃତ୍ୱର ନିବିଡ଼ ବେଷ୍ଟନୀ ମଧ୍ୟରେ ନିଜକୁ ଆବଦ୍ଧ କରିବା ନିମିତ୍ତ ଶତଚେଷ୍ଟିତ ହେବା ଆବଶ୍ଯକ । ଏକତ୍ବ ଭାବନା ହିଁ ଧର୍ମ ସଂସ୍ଥିତିର ମୂଳମନ୍ତ୍ର ।
ସହ ସମ୍ପାଦିକା - ଉଦୟ ଭାନୁ
(ସାହିତ୍ୟ ଓ ସମାଜସେବା ସଙ୍ଗଠନ )
ଶାଗବାରିଆ, ଜଗତସିଂହପୁର
ଫୋ-୯୯୩୭୮୮୫୫୩୭
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।