7/05/2019

ତମେ ଯିବା ପରେ

ମନୋରମା ହାତୀ

ତମେ ଯିବା ପରେ ପରେ
ମୁଁ ଏବେ ପୂରାପୂରି
ବେଫିକର ବେପରୱା ଭାବେ
ଜୀବନ ଜୀଉଁଛି

ଆଉ ଘରର ଦରଜା
ଆଉଜା ହେଇ ରହୁନି
ତମ ଆଗମନର ଆଶାରେ
ଝରକା ଖୋଲୁନି
ଜହ୍ନକୁ ଦେଖି ଦେଖି
ତୁମ କଥା ଭାବିବା ପାଇଁ

ନା କୋଉ କବିତାର ଶବ୍ଦକୋଷ
ଓଲଟାଉଛି "ତମେ"ର
ପ୍ରତିଶବ୍ଦଟେ ପାଇବା ଆଶାରେ
ନା ଅଛି ତମ
ରାଗ ଅଭିମାନର ଗଣିତ
ଯାହାର ସମାଧାନ ପାଇଁ
ମୋତେ ତ୍ରିକୋଣମିତିର
ସୂତ୍ର ଠାରୁ ଆହୁରି ସହଜ ଉପାୟଟେ
ଖୋଜି ବାହାର କରିବାର ଆଶଙ୍କା
ଖାଇ ଯାଉଥିବ ଭିତରେ ଭିତରେ

ତମ ସହ ବିତିଥିବା ମୁହୂର୍ତ୍ତର
ସ୍ମୃତିକୁ ମନେ ପକେଇ
ଆଖିର ଇଲାକାରେ ତୁମ ଛବି ବ୍ୟତୀତ
ସ୍ୱପ୍ନ ଲାଗି ନିଷିଦ୍ଧାଞ୍ଚଳ ଘୋଷଣା କରିବାର
ଆଉ ବ୍ୟସ୍ତତା ବି ନାହିଁ

ତମ ବିନା ବେସ୍‌ ଭଲ ଅଛି
ଖୁସିରେ ଅଛି
ତଥାପି ତମ ଶୂନ୍ୟ ସ୍ଥାନଟା
କେବେ କେମିତି ପ୍ରତିଶୋଧ ନେବା ପରି
ପବନ ସମ ପହଁରି ଯାଉଛି
ମୋ ବର୍ତ୍ତମାନର ଛାତି ପରେ
ଆଉ ସେଇ ସମୟର ସ୍ପନ୍ଦନଟା
ଯେମିତି ଅଟକି ଯାଇ କହେ

"ମୁଁ ଖାଲି ସମୟ ବିତଉଛି.....
ହେଲେ ଜୀଇଁବା କଣ ଭୁଲିଯାଇଛି।"

କହ୍ନେଇପୁର, କଟକ 
୭୫୩୦୦୬
ଫୋ- ୮୯୧୭୨୭୯୦୨୩
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।