7/05/2019

ତୁମେ ଅଛ ବୋଲି...........(ସ୍ବପ୍ନାବିଷ୍ଟ)

ସୌରବିହାରୀ ଦାସ
ମୁଁ ଜାଣେ
ମନେ ପଡୁଥିବି..........
ଠିକ୍ ସେତିକି ବେଳେ
ଯେତେବେଳେ ତୁମ ଏକାନ୍ତ ପୃଥିବୀଟିରେ
ଯୁଦ୍ଧ ପରର ମ୍ଳାନ ଚିତ୍ରପଟ ପରି
ମୁହୂର୍ତ୍ତ ସବୁ
କଇଁ କଇଁ କାନ୍ଦୁଥିବେ
ନିଛାଟିଆ ବେଳରେ
ଆଉ ତୁମ ଚାରିପାଖରେ
ମୁକ୍ତି ପାଈଁ ବିକଳ ହେଉଥିବା
ତୁମ ଅହଂକାରର
ଅଶରୀରି ମାନଙ୍କ ବାଦ୍ୟଗୀତି
ଛିନ୍ନଭିନ୍ନ କରୁଥିବ
ତୁମ କଳଙ୍କିତ ଅତୀତକୁ ......

ମୁଁ ଜାଣେ
ତୁମ ମ୍ରିୟମାଣ ବିଚଳିତ ମାନସ,...
ଅଯାଚିତ ମୁହୂର୍ତ୍ତରେ
ଚାହୁଁଥିବ ମୋ ଉପସ୍ଥିତି
----ବିସ୍ମୃତ ଅନନ୍ୟ
ପ୍ରିୟ ମଣିଷଟିର---
ଯାହା ପାଇଁ ସମସ୍ତ
ତ୍ୟାଗର ଅର୍ଥ ଥିଲା
କେବଳ .....ତୁମେ.....
ମୁଁ ନିରୁଦ୍ଧିଷ୍ଟ ନୁହଁ
ନିର୍ଯ୍ୟାତିତ ସମୟ ମାନଙ୍କ ଆଲିଙ୍ଗନରେ
ଅସ୍ତବ୍ୟସ୍ତ ଅସ୍ତିତ୍ଵଟିକୁ ନେଇ
କ୍ଷତାକ୍ତ ପରାହତ 'ହା' ଟିଏ
ଯେତେସବୁ ସୁଖ ଦୁଃଖ ଯନ୍ତ୍ରଣାକୁ
ଗଣ୍ଠିଲି କରି ଫିଙ୍ଗି ଦେଇ
ସମୁଦ୍ରକୁ ଚାଲି ଆସିଛି
ଏକ ଅଜଣା ଉପତ୍ୟକାର
ଠିକଣା ନଥିବା ଶେଷପ୍ରାନ୍ତକୁ

ମୁଁ ତୁମ ଠାରୁ
କଳ୍ପନାତିତ ଦୂରତା ଭିତରେ.........
ଯେଉଁଠି
ଶୂନ୍ୟତାର ଶୀତଳ
ସ୍ନିଗ୍ଧ,ଆସ୍ତରଣ ଭିତରେ
ମୁଁ ସମ୍ପୂର୍ଣ ସମର୍ପିତ
ଚାରିପାଖେ ଅଗଣତି ନିର୍ଝରିଣୀଙ୍କର
କୁହୁକ କୁଳୁ କୁଳୁ ନାଦ
ଗୋଧୂଳିର ରଙ୍ଗରେ ରଙ୍ଗାୟିତ ଆକାଶରେ
ମାଳ ମାଳ ହଲଦୀବସନ୍ତଙ୍କ ଆବାହନୀ .....
ରଙ୍ଗବେରଙ୍ଗୀ ଅଜଣା ଫୁଲ,
ଭୁଇଁରେ ଫୁଟିଥିବା ସୁନେଲି
ପଦୁଅଁ ଉପରେ
ମୁଗ୍ଧ ଭଅଁର ସବୁଙ୍କ ଛନ୍ଦରେ
ଝଙ୍କୃତ ସାରା ଉପତ୍ୟକା ....
ମୁଁ ତ ଏକ ନିଆରା ଅନୁଭୁତିରେ.........
ସତେ ଯେମିତି
ଅସଂଖ୍ୟ ଛୋଟ ଛୋଟ ଶିଶୁଙ୍କର
ଅଗଣିତ ଵୋକସବୁ
ମୋ ଚିବୁକରେ ଲେପି ଦେଉଛି
ସ୍ୱପ୍ନିଳ ଶିହରିତ ସ୍ପର୍ଶର ମୁଠା ମୁଠା ଅବିରସବୁ....।।

ଝରଣାର ଜଳରେ ମୋ ପ୍ରତିଛବି ବି
ମୋ ପାଇଁ ଅଚିହ୍ନା
ଚିହ୍ନି ପାରୁନି ନିଜକୁ ନିଜେ.......।।
ମୁଁ ନା ଆଉ କେହି
ନୀଳ ଆଲୋକରେ ଆଲୋକିତ ଅବୟବଟିଏ.........।।
ଅଲୌକିକତାର ସାମିଆନା ତଳେ....
ମୁଁ ଚାହୁଁଥିଲି ଏଇଠି
ତୁମର ଉପସ୍ଥିତିକୁ
ଯେଉଁଠି ଆମ ଭଲ ପାଇବାର
ସବୁ ସ୍ମୃତି
ଆମ ସମ୍ପର୍କର
ଖଣ୍ଡ ବିଖଣ୍ଡିତ ମୁହୂର୍ତ୍ତର
ଅସମ୍ପୂର୍ଣ୍ଣ ଶରୀର......
ସବୁକିଛି
ପାଇଥାନ୍ତେ ପୁନର୍ଜନ୍ମ ପୁଣିଥରେ
ତୁମେ ଯଦି ଚାହୁଁଚ ଚାଲିଆସ
ମୁହୂର୍ତ୍ତଟେ ଲାଗିବନି
ଏଇ ସ୍ୱର୍ଗକୁ.........
ଗୋଟିଏ ରାସ୍ତା କେବଳ
ଏ ଉପତ୍ୟକାକୁ
ସେଇଟା....
ମୋ ହୃଦୟର
ନିସ୍ତବ୍ଧ ଅନ୍ଧକାରାଚ୍ଛନ୍ନ
ଅଗଣା ଭିତର ଦେଇ
ଲମ୍ବିଛି ସାତ ସୁମୁଦ୍ର ତେର ନଈ
ଆହୁରି ଅନେକ ଦୂର .....।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।