ରବିନାରାୟଣ ମଙ୍ଗରାଜ
ସେଦିନଟା କ'ଣ ହୋଇଥିଲା ଜାଣିନିସତେ ଯେମିତି ସମୟଟା ଶୋଇ ଯାଇଥିଲା..
ଆଖିର ଇଲାକା ଭିତରେ ଥିବା
ପାହାଡର ସବୁଜ କେଶଗୁଡା ସ୍ଥିର
କୁମ୍ଭାଟୁଆଟା କେତେବେଳୁ ଶୋଇଗଲାଣି
ଝିଙ୍କାରୀଟା କ'ଣ ଅଚେତନ..?
ମାତ୍ର ସଚେତନ ସିରିସିରି ପବନର ଗୀତ..
ଚାତକଟା ଫେରି ତ ଗଲାଣି
ହେଲେ..ଚେମେଣିଟା...?
କାହିଁ କେହି ଆଉ ସୀମନ୍ତରେ
ଡେଣା ଫେଡୁ ନାହିଁ.......!!
ଥମି ଯାଇଛି କୁଳୁଗୀତ ନଦୀର କଣ୍ଠରୁ
ବାଲିଗରଡା ଗଣୁଛି ମଇଳା ପାଦଚିହ୍ନ ଗୁଡା
ଶୋଷିଲା ଶାମୁକା ଗୁଡା ବିକ୍ଷିପ୍ତ ବେଳାରେ
ଶିରିହରା ଶୁଖିଲା କାଶତଣ୍ତି
ଉଡିଆସି ପାଦତଳେ ଲାଗୁନାହିଁ "ତେଣ୍ଟେଇ"ର ପର
ଟାଣ ଖରାର ସାକ୍ଷୀ ଛପରଟା ପଡିଛି ମୁକୁଳା
ମଥାନରେ ଚିରା ମଇଳା କନାଟା
ଶବଟିଏ ପରି ପଡି ରହିଚି
ସତରେ ସବୁ କ'ଣ ଅଫେରା ବାଟରେ...?
ଆଉତ ନାଉରୀ ଥରେ ଡାକେନା ଦୂରରୁ...?....!!
ପଛରୁ ମେଲାଣି ମାଗେ ରଙ୍ଗିଲା ସୂରୁଜ..
ବିଛୁରି ପଡେ ପଠାରେ ନାଲିଆ ମୂରୁଜ
ସେପଟର ଦିକିଦିକି ଟିକି ଆଲୁଅଟେ
ମନ୍ଦମନ୍ଦ କଣ୍ଠେ ଡାକେ ବୁଲା ଶ୍ବାନ ଦୂରେ
ସତେ କେତେ କରୁଣତା ଭରିଛି କଣ୍ଠରେ
ମନ୍ଦିରଟା ମୁଣ୍ତେଇ ଧରିଛି ଅଲୋଡା ପତାକା
ଘଣ୍ଟ ବାଜେ ରହି ରହି ନାରଦ ଓଠ ପରି
ତାଳବଣରେ ଖାଲି ବାଇଆର ଯାତ୍ରା
ସବୁ ଖାଲି ଫେରିବାର ବାଟ ସଜବାଜ...!!
ବୈଦ୍ଯେଶ୍ବର, ବାଙ୍କୀ (କଟକ)
ମୋ- ୮୪୩୭୪୪୧୩୯୮`1
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।