ବୈଜୟନ୍ତୀ ସାହୁ
କଳା ମଣିଷ ଜୀବନର ଏକ ଅବିଚ୍ଛେଦ୍ଯ ଅଙ୍ଗ । ଯୁଗ ଯୁଗ ଧରି ମଣିଷ କଳା ମାଧ୍ୟମରେ ନିଜକୁ ପରିପ୍ରକାଶ କରି ଆତ୍ମସନ୍ତୋଷ ପାଏ । କଳାକାର ତା'ର କଳା ମାଧ୍ୟମରେ ପ୍ରତିଭା ଦେଖାଇବାକୁ ଚେଷ୍ଟା କରି ରୋଜଗାର କରିଥାଏ, ପ୍ରତିଷ୍ଠା ପାଇଥାଏ, ଏପରିକି ମୃତ୍ଯୁ ପରେ ବି ବଞ୍ଚି ରହିଥାଏ । କଳାକାରର ଅଭିନୟଏକ ଅନୁକରଣୀୟ ମନ୍ମୟ ଅଭିବ୍ୟକ୍ତ । କଳାକାରଟିର ଜୀବନ ଯେତେ ଦୁଃଖ, ଝଡ ଝଞ୍ଜାରେ ଥିଲେ ବି ସେ ତାକୁ ଲୁପ୍ତ ରଖି ତା'ର ନୂଆ ନୂଆ ଉପସ୍ଥାପନା ଢଙ୍ଗିରେ,ଭଙ୍ଗିରେ କଳାଚାତୁରୀ ମାଧ୍ୟମରେ ହସାଇ,ଭସାଇ ଲୋକ ମାନଙ୍କ ମନରୁ ଦୁଃଖ ଲାଘବ କରି ସରସତା ଭରି ଦେବାକୁ ଚେଷ୍ଟା କରେ । ତା'ର ଏହି ସମଷ୍ଟିର ଅଭିବ୍ୟକ୍ତିରେ,ବ୍ୟକ୍ତି ସୄଷ୍ଟିରେ ପ୍ରକାଶଲାଭ କରି କଳା ମାଧ୍ୟମେ ଜଗତ ଓ ଜୀବନ ଦ୍ଯୋତକ ହୋଇଥାଏ ।ଏହା ନୃତ୍ଯ,ସଙ୍ଗୀତ,ଅଭିନୟ, ପ୍ରକାଶ ଭଙ୍ଗୀ ଉପରେ ଗୁରୁତ୍ବ ଆରୋପ କରିଥାଏ । ଉପଯୁକ୍ତ ଶୈଳୀର ଆରୋପ ଦ୍ବାରା ରୂପଗତ ମୂଲ୍ଯ ଯୋଗୁଁ ଜନ ସାଧାରଣଙ୍କ ଆଖି ଲାଖିଯାଏ । ଏହା ହିଁ ଜଣେ କଳାକାରର ବିଶେଷତ୍ବ ।
ଦ୍ବିତୀୟତଃ‐ମଣିଷ ଶରୀର ବିକାଶ ଓ ପୁଷ୍ଟି ନିମିତ୍ତ ବହୁ ପଦାର୍ଥର ଆବଶ୍ଯକ ରହିଛି । ତନ୍ମଧ୍ୟରୁ ମନକୁ ପ୍ରଫୁଲ୍ଲ ରଖିବା ନିମିତ୍ତ ଅଭିନୟ,ଯାତ୍ରା,ନାଟକ,ପାଲା, ଦାସକାଠିଆ, ଧୁଡୁକି,ଦଣ୍ତନାଚ,ଥିଏଟରଆଦି ଦେଖି କର୍ମକ୍ଲାନ୍ତ ମଣିଷ ଜୀବନରେ ଟିକିଏ ଆନନ୍ଦ ଭରିଦେବା ହେଉଛି ଏହାର ଲକ୍ଷ୍ଯ । କ୍ଷଣିକ ପାଇଁ ମଣିଷକୁ ଅନ୍ଯ ଏକ ଜଗତକୁ ନେଇଯାଏ ; ଯେଉଁଠାରେ ଶୋକ,ଦୁଃଖ,ଜଞ୍ଜାଳ ନଥାଏ ।କଳାକାରର କୃତ୍ରିମ ଅଭିନୟ ତାକୁ ବିସ୍ମୃତ କରିଥାଏ ତା'ର ଜୀବନ ଯନ୍ତ୍ରଣାରୁ । କିନ୍ତୁ ଏହା ମୂଳରେ ପ୍ରକୃତ ଉଦ୍ଦେଶ୍ୟ ଥାଏ ବି ସମାଜକୁ କିଛି ଶିକ୍ଷା ପ୍ରଦାନ । ଆଧୁନିକତାକୁ ଅଙ୍ଗୀକାର କରି ଯାତ୍ରା ତା'ର ପରୀପାଟିରେ ପରିବର୍ତ୍ତନ କରିଚାଲିଛି । କିନ୍ତୁ ତାହା ଅନେକ ଅଂଶରେ ଯାତ୍ରା ଜଗତ ପାଇଁ ମଙ୍ଗଳ କି ଶୁଭାଙ୍କର ନୁହେଁ ।
ଆଧୁନିକତାର ଦ୍ବାହି ଦେଇ ଯାତ୍ରା ପରମ୍ପରାକୁ ବିକଳାଙ୍ଗ କରିଦେବା ଉଚିତ ନୁହେଁ । ଗୀତନାଟ୍ଯ, ରାସ, ଦଣ୍ତନାଚ, ଘୋଡାନାଚ,ଗୀତାଭିନୟ , ଲୀଳାଭିନୟ ଆଦି ମାନଙ୍କର ପ୍ରାୟ ଅନ୍ତ ଘଟୁଛି ।ପ୍ରାଚୀନ ଲୋକକଳା‐ପାଲା, ଦାସକାଠିଆ, ଘୋଡାନାଚ, ଚଢେୟାନାଚ ଆଦିରେ ନଗ୍ନତା ନଥାଇ ଲୋକଙ୍କୁ ଆକୃଷ୍ଟ କରିପାରୁଛି । ଆଧୁନିକତାର ନାମେ ଯାତ୍ରାକୁ ଲୋକାଭିମୁଖି କରିବା ପାଇଁ ନଗ୍ନତା ପରିବେଷଣ କରାଯାଇ ଦର୍ଶକ ମାନଙ୍କ ପାଖରେ ଆଦର ଶତଗୁଣିତ କରିବାର ଚେଷ୍ଟା ଏକ ଅସଫଳ ପ୍ରୟାସ ମାତ୍ର । କାଳକ୍ରମେ ଏହାଏକ ବ୍ୟବସାୟରେ ପରିଣତ ହୋଇ ଅର୍ଥ ଉପାର୍ଜନରେ ପ୍ରତିଯୋଗିତା କରି ପ୍ରକୃତ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ କଳାକାର ମାନଙ୍କର ରୋମାଣ୍ଟିକ ଦୃଶ୍ୟ , ଯୌନ ଉଦ୍ଦୀପକ ପୋଷାକ ବ୍ୟବହାର ,ଅଶ୍ଲୀଳ ବେଶଭୂଷା ତଥା ଅର୍ଦ୍ଧଉଲଗ୍ନ ଶରୀର ପ୍ରଦର୍ଶନ କରି ରୁଚି ବିକାର ସୃଷ୍ଟି କରୁଛନ୍ତି ।
ଆଧୁନିକ ଯାତ୍ରା ପରିବେଷଣର ଏକ କଳୁଷିତ ଦିଗ ହେଉଛି ରେକର୍ଡ୍ ଡ୍ୟାନ୍ସର ଆଇଟମ ଡ୍ଯାନ୍ସରେ ଅଳ୍ପ ବସ୍ତ୍ର ପରିଧାନ କରି ଯୁବତୀମାନେ ଯେଉଁଭଳି ଅଙ୍ଗଭଙ୍ଗୀ ପ୍ରଦର୍ଶନ କରି ନୄତ୍ଯ ପରିବେଷଣ କରିଥାନ୍ତି,ପରିବାର ଧରି ବସିଥିବା ଦର୍ଶକ ମାନଙ୍କ ପାଖରେ ଦେଖିବା ଆଦୌ ସମ୍ଭବ ନୁହେଁ । ଏହାଦ୍ବାରା ଲୋକମାନେ ସେମାନଙ୍କୁ ଅନୁସରଣ କରି ଅନୁରୂପ ବ୍ଯବହାର ପ୍ରଦର୍ଶନ କରିଥାନ୍ତି । ବ୍ୟବସାୟକୁ ଦୃଷ୍ଟିରେ ରଖି ଯୁବପିଢିଙ୍କୁ ଆକର୍ଷିତ କରିବା ପାଇଁ ଅଶ୍ଳୀଳ ନୃତ୍ଯ ପ୍ରଦର୍ଶନ କରୁଛନ୍ତି । ସମାଜର ନୈତିକ ଅଧଃପତନ ହିଁ ଘଟୁଛି । ଆଗେ ଲୋକ ମାନଙ୍କୁ ନାଟକ ମାଧ୍ୟମରେ ମନୋରଞ୍ଜନ କରାଯାଇ ନୈତିକ ଆଦର୍ଶବୋଧରେ ସୀମିତ ରଖା ଯାଉଥିଲା । କ୍ରମେ ନାଟକରୁ ଯାତ୍ରା ସୃଷ୍ଟି ହୋଇ ବଡ ବଡ ଯାତ୍ରାଦଳ ଗଠନ କରାଯାଉଛି , ଯାହା କି ବ୍ୟବସାୟ ଭିତ୍ତିକ । ଅଧିକ ଅର୍ଥ ରୋଜଗାର ପାଇଁ ଲୋକ ମାନଙ୍କୁ ଆକୃଷ୍ଟ କରିବାକୁ ଯାତ୍ରାଦଳର ମାଲିକ ଓ କଳାକାରମାନେ ନଗ୍ନତାକୁ ଏକ ମାଧ୍ୟମ ରୂପେ ଧରି ନେଇଛନ୍ତି । ଜୀବନ ସହିତ ସଂଗ୍ରାମକରି ଯିଏ ସମ୍ପୂର୍ଣ୍ଣ ହାରିଯାଇ ହଳାହଳ ବିଷକୁ ଆକଣ୍ଠ ପାନ କରି ବାଣ୍ଟି ଚାଲିଛି,ମାର୍କାମରା ହୋଇ ଉଗ୍ରଉଦଣ୍ତୀ ଆଧୁନିକତା ବୋଲାଉଥିବା ନଗ୍ନନାୟିକାଟି ଅନ୍ଯ କାମଲାଳସାର ଚକ୍ଷୁର ଆବଶ୍ଯକତା ପୂରଣର ଉପାଦାନଟିଏ ପାଲଟି ସାରିଛି, ତା' ପାଖରେ ଭଲ-ମନ୍ଦର ପ୍ରଶ୍ନ ଉଠୁଛି କେଉଁଠି ? ଯିଏ ପ୍ରତିଟି ମୁହୂର୍ତ୍ତରେ ଜଳି ଚାଲିଛି ତାକୁ ନିଆଁ ଅଧିକ କ'ଣ ଡରାଇବ ?ପ୍ରଖର ସୁଅରେ ଗଡୁଥିବା ବାଲିଗରଡାା କେବେ କ'ଣ ପାହାଡର ସ୍ବପ୍ନ ଦେଖେ ?
ଅଭିନେତାମାନେ ଯେଉଁ ପ୍ରକାର ପୋଷାକ ପିନ୍ଧୁଛନ୍ତି, ପ୍ରତିବଦଳରେ ତା'ର ପ୍ରଭାବ ସମାଜରେ ପଡି ପ୍ରତିଫଳିତ ହେଉଛି । ଏହା ଆମର ସମାଜ ଓ ସଂସ୍କୃତିଠାରୁ ଦୂରେଇ ଯାଉଥିବାରୁ ଏଥିରେ ଆମ ମାଟିର ମହକ,ଗନ୍ଧ ରହୁନାହିଁ । ଆମ ପବିତ୍ର ପୁଣ୍ଯଭୂମି କଳୁଷିତ ହୋଇଯାଉଛି । ଯାହା କି ଆମ ଉତ୍ତରପିଢି ପାଇଁ ଏକ ବିପଦପୂର୍ଣ୍ଣ, ଉଛୃଖଂଳ,ଉଦଣ୍ତ କରି ଗଢି ତୋଳିବାରେ ସହାୟକ ହେବ । ଜନ ସାଧାରଣଙ୍କ ସାମ୍ନାରେ ଯାତ୍ରା ମଣ୍ତପରେ ସେମାନଙ୍କ ଯୌନ ଉଦ୍ଦୀପକ ଦୃଶ୍ଯ ଯୋଗୁଁ ଲୋକଙ୍କ ଠାରେ ଉଦଗ୍ର କାମଲାଳସା ବୃଦ୍ଧି ପାଉଛି । ଯେଉଁଥିପାଇଁ ଧର୍ଷଣ, ଅପହରଣ ପରି କୁକାର୍ଯ୍ଯମାନ ସଘଂଠିତ ହେଉଛି । ଦେଶର ଐତିହ୍ୟ ଓ ପରମ୍ପରା ବିଡମ୍ବିତ ହୋଇପଡି ସମାଜର ସ୍ଖଳନ ଦେଖା ଯାଉଛି । କେବଳ ବ୍ଯବସାୟ ଦୃଷ୍ଟିରୁ ଯାତ୍ରା ବା ଥିଏଟର ନିର୍ମିତ ହେଲେ ସମାଜର ସାମାଜିକ ଦାୟିତ୍ବବୋଧ ସୃଷ୍ଟି କରି ପାରିବ ନାହିଁ, ମାତ୍ର ପ୍ରଯୋଜକ,ନିର୍ଦ୍ଦେଶକ ଯଦି ମଞ୍ଚସ୍ଥ ବହିର କଥାବସ୍ତୁ ଓଡିଆ ମାଟିରୁ ସଂଗ୍ରହ କରୁଛନ୍ତି, ବେଶଭୂଷା, ଅଙ୍ଗଚାଳନା,ପାଶ୍ଚାତ୍ଯ ସଭ୍ୟତା ଆଡେ ଅଗ୍ରସର ହେଉଛନ୍ତି । ଯାହାକି ମୋ ପୁଣ୍ଯଭୂମି ଉତ୍କଳ ପକ୍ଷେ ତାହା ଅସହ୍ଯ ଯୁବପିଢିଙ୍କୁ ଉଛୃଖଂଳ କରିବା ଲକ୍ଷ୍ଯ ନହୋଇ ଦର୍ଶକ ସମାଜକୁ ସଂସ୍କୃତି ମନସ୍କ କରିବା ଉଚିତ । ବେଳହୁଁ ସାବଧାନ ନହେଲେ ବହୁ ବୟସ୍କ ଦର୍ଶକ ଯାତ୍ରା ଦେଖିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ ; ଯାତ୍ରା ପ୍ରଦର୍ଶନ ଯଦି ଯାତ୍ରା ଦଳଙ୍କର ମୁଖ୍ଯ ଆୟୂଧ ନହୁଏ,ଅଶ୍ଳୀଳ ନାଚକୁ ଗୁରୁତ୍ବ ଦିଅନ୍ତି ତେବେ ଯାତ୍ରାର ସଂସ୍କୃତି ପ୍ରାଣତା କମିଯିବ l ଯେହେତୁ ଯାତ୍ରାର ଲିଖନଧାରା ସାମାଜିକ କଥାକୁ ନେଇ ଲିଖିତ ।
ଓଡିଶା ପାଣି,ପବନରେ ଗଢିଉଠିଥିବା ସଂସ୍କୃତି ସମାଜକୁ ଆପଣାଏ । ଯେଉଁଠି ଜଗତର ନାଥ ଜଗନ୍ନାଥ ସ୍ବୟଂ ବିଦ୍ୟମାନ,ସାରା ବିଶ୍ବବ୍ରହ୍ମାଣ୍ତର ଆଦିମୂଳଙ୍କ ଲୀଳାଧାମ । ଯାତ୍ରା ଏପରି ଏକ ମନୋରଜଂନକାରୀ ଘରେ ଘରେ ଟି.ଭି ସାମ୍ନାରେ,ପରିବାରଙ୍କୁ ନେଇ ଏକତ୍ର ବସି ଦେଖିହୁଏ l ଆଉ ମଧ୍ୟ ଉତ୍କଳୀୟ ପରମ୍ପରାରେ ବସନ୍ତ ପଞ୍ଚମୀ ଠାରୁ ପଞ୍ଚୁଦୋଳ ଯାତ୍ରାରେ ପ୍ରତି ଗ୍ରାମେ ଗ୍ରାମେ ଦୋଳଗୋବିନ୍ଦଙ୍କ ମେଳଣ ପଡିଆରେ ଯାତ୍ରା ଦଳ ଯାତ୍ରା ପରିବେଷଣ କରନ୍ତି , ଯାହାକି ସାମନା-ସାମନି ବସି ଦର୍ଶକ ଉପଭୋଗ କରନ୍ତି ।ବର୍ତ୍ତମାନ ସମୟରେ ଉଗ୍ରଆଧୁନିକର ରୂପ ଦେଇ ଯାତ୍ରାର ମୂଳ ଉଦ୍ଦେଶ୍ଯ ଦୂରେଇ ଯାଇ ଶସ୍ତା ଲୋକପ୍ରିୟ ପାଇଁ ଯଲିଉଡରେ ଯୌନ ଉଦ୍ଦୀପକ ଦୃଶ୍ୟ ଆଇଟମ ନୃତ୍ଯ ମାଧ୍ୟମରେ ଦେଖିବାକୁମିଳୁଛି । ପରିବାର ଧରି ଦେଖିବାକୁ ଲଜ୍ୟା ଲାଗୁଛି । ଫଳରେ ଯାତ୍ରା ଜଗତର ମୌଳିକମାନ ହ୍ରାସ ପାଉଛି । ଯାତ୍ରା ପରି ଏକ ପବିତ୍ର ନାମରେ ଅପବିତ୍ରର ଏକ କଳଙ୍କ ଛିଟା ଗ୍ରାସ କରୁଛି । କ୍ରମେ ପୂର୍ବପିଢି ପାଇଁ ଏହା ଅଶୁଭ ସୂଚକ । ଅନୁଷ୍ଠାନ ମାନ' ମୁଁ ଚେତେଇ ଦେବାକୁ ଚାହେଁ ଯେଉଁ ଦୃଶ୍ଯ ଗୁଡିକ ସମାଜ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଅଛି ବୋଲି ଅନୁଷ୍ଠାନର ମୁଖ୍ଯ ଅନୁଭବ କରିବେ,ତାହାକୁ କାଟିଦେବା ଉଚିତ, ଯାହାକି ଯାତ୍ରାର ମାନ ବଢାଇ ପାରିବ । କାରଣ ଯାତ୍ରା ହେଉଛି ଓଡିଆର ସ୍ବାଭିମାନ ।
ଓଡିଆଙ୍କ କାହାଣୀ,ସଂଳାପ ଭାଷା,ଚଳଣୀ ଆଦି ପୌରାଣିକ ଓ ସାମାଜିକ ଅବସ୍ଥାକୁ ନେଇ ଲେଖକଙ୍କ ଦ୍ବାରା ଲିଖିତ ଓ କଳ୍ପିତ ।କଳାକାର ନିଜର ଆଦର୍ଶ,ନିଜର ସଂସ୍କାର ଓ ମୂଲ୍ଯବୋଧକୁ ଉଗ୍ର ଆଧୁନିକ ନାଁରେ ଯଦି ହରାଏ ତେବେ ସମାଜର କ୍ଷତି ଯେତିକି ହେବ, ତା'ଠୁ ଅଧିକ କ୍ଷତି ହେବ ନିଜର, ନିଜପରିବାରର । କଥାରେ ଅଛି ‐ "ଥିଲେ ଥାଉ ପଛେ ଗୁଣ ହଜାର , ଚରିତ୍ର ନଥିଲେ ସବୁ ଅସାର ।" ଚରିତ୍ର ମଣିଷର ଶ୍ରେଷ୍ଠ ଭୂଷଣ । ଅଗଣିତ ଗୁଣ ମଧ୍ୟରେ ଚରିତ୍ର ଅନ୍ୟତମ ଓ ପ୍ରଧାନ ।ଚରିତ୍ରହୀନ ବ୍ଯକ୍ତିର ଜୀବନ ନିରର୍ଥକ । ଚରିତ୍ରକୁ ମନୀଷୀମାନେ ପ୍ରଧାନ ବଳ,ସମ୍ବଳ ଭାବେ ଅଭିହିତ କରିଛନ୍ତି । ଚରିତ୍ରବାନ ବିଶ୍ବବନ୍ଦିତ ଓ ପୂଜିତ । ଅସତ ଚରିତ୍ର ବ୍ୟକ୍ତି ସମାଜରେ ମର୍ଯ୍ଯଦା ଲାଭ କରିପାରେ ନାହିଁ । ତାକୁ ସମସ୍ତେ ଘୃଣା କରନ୍ତି । ରାମାୟଣରେ‐‐ରାମ ଓ ରାବଣ ଦୁଇଟି ଚରିତ୍ର । ଶାସ୍ତ୍ର କହେ‐‐"ରାମପରି ହୁଅ, ରାବଣ ପରି ହୁଅନାହିଁ ।"
ପ୍ରତ୍ଯେକ ଅନୁଷ୍ଠାନ ସୁଶୃଖଂଳିତ କାର୍ଯ୍ୟକଳାପକୁ ନେଇ ମହିମାନ୍ବିତ୍ବ ହୋଇଥାଏ । ହେ ଆମ ଦେଶର ମନୋରଜଂନକାରୀ ସଂସ୍ଥା ‐ଯଲିଉଡ, ଓଲିଉଡ, ବଲିଉଡ, ଟଲିଉଡ ! ତୁମେମାନେ ସମାଜର ଅଗଣିତ ଦର୍ଶକଙ୍କୁ ନୀତି-ଆଦର୍ଶ ମାଧ୍ୟମରେ ଅନୁପ୍ରାଣିତ କରିବା ସହିତ ସେମାନଙ୍କ ଦୈନନ୍ଦିନ ଜୀବନ ଓ ଚଳଣୀର ନୈତିକ ବାହକ ରୂପେ ପଥ ପ୍ରଦର୍ଶକ ହେବା ଉଚିତ । କଥାରେ ଅଛି‐‐"ଏ ମାଟି ଆମର ଶିଳା ଶାଳଗ୍ରାମ,ତା'ଧୂଳିକଣା ଯେ ପବିତ୍ର ଧାମ, କଳୁଷିତ ହେଲେ ଏ ମାଟି ଆମର, ସରଗୁ ଓହ୍ଲାନ୍ତି ସାକ୍ଷାତ ଇଶ୍ବର ।" ଆମ ସଂସ୍କୃତି ଓ ପରମ୍ପରା ସମାଜର ମୂଲ୍ଯବୋଧ ଓ ଆଦର୍ଶର ନକସା । ବ୍ଯକ୍ତି ପରିବର୍ତ୍ତେ ସମୁହ ଉନ୍ନତି ତା'ର ବିଶେଷତ୍ବ, ଅବଶ୍ଯ ବହୁ ଭଲ ନାଟକ କେତେ ପରିବେଷଣ ହୋଇଛି, ଏବେ ବି ତାହା ଦର୍ଶକ ମାନଙ୍କ ମନରେ ବଞ୍ଚି ରହିଛି । ତେଣୁ ସେହି ନାଟକର ପ୍ରଯୋଜକ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ବ୍ଯବସାୟ ନାମରେ ଯାତ୍ରା ସଂସ୍କୃତିର ସୁଦୃଢ ପରମ୍ପରା ଧାରାକୁ ନଷ୍ଟ କରିଦେବା ଆମର ଲକ୍ଷ୍ଯ ନହେଉ । ପରିବର୍ତ୍ତନର ଦ୍ବାହି ଦେଇ ଯାତ୍ରାର ସମ୍ନାନ ଅକ୍ଷୂର୍ଣ୍ଣ ରଖିବାକୁ ଚେଷ୍ଟା କରିବା ।
ଉତ୍କଳ ଭଳି ସଂସ୍କୃତି ଅନ୍ଯ ସଂସ୍କୃତି ଠାରୁ ଢେର ଉଚ୍ଚ । ଯାତ୍ରା ପୃଷ୍ଠପୋଷକମାନେ ସଚେତନ ନହେଲେ, ଦର୍ଶକ ମାନଙ୍କ ଶାରୀରିକ,ମାନସିକ କ୍ଷତି ନିଶ୍ଚୟ ଘଟିବ । ଯାହାର ଫଳସ୍ବରୂପ ଓଡିଶାର ପରମ୍ପରା ତା'ର ମୌଳିକ ଦିଗକୁ ହରାଇ ବସି ଏକ ବିକଳାଙ୍ଗ ଅପସଂସ୍କୃତିକୁ ଗତି କରିପାରେ । ଏଥିପାଇଁ ସମସ୍ତେ ସଚଚେତନ ହେବା ଆବଶ୍ଯକ ।
*********************
ନରସିଂହପୁର, ଶ୍ରୀରାମନଗର,
ପିପିଲି,ପୁରୀ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।