ରଜିତ ଦାସ

ଲନ ସାମ୍ନାରେ ଆର୍ମ୍ ଚେୟାରଟେ ପକେଇ ନିମଗ୍ନ ଚିତ୍ତରେ ବସିଥିଲା ଚିତ୍ରା, ଅସମାପ୍ତ ଭାବନାରେ ବୁଡି ଯାଇଥିଲା, ଭାବି ଚାଲିଥିଲା ବିଗତ ଦିନର କଥା ସବୁ । ବାହାଘରର କିଛିଦିନ ପୂର୍ବରୁ ଏଇ ଫ୍ଲାଟଟେ ନେଇଛନ୍ତି ଅବିନାଶ । ଘର ସାମ୍ନାରେ ସୁନ୍ଦର ଲନଟେ । ଅଲବମା ସହରର ଅନତି ଦୂରରେ ଅବସ୍ଥିତ ଟେଲଡାଗ ନ୍ୟାସନାଲ ପାର୍କ । ପାର୍କର ଠିକ୍ ସାମ୍ନାରେ ବିତ୍ତଶାଳୀ ମାନଙ୍କର ଅନେକ ଗୁଡିଏ ବଙ୍ଗଳା । ତା' ମଧ୍ୟରୁ ଗୋଟିଏ ଚିତ୍ରାର ।
କାଚ ଲଗା ବାଲକୋନି ରେ ବରଫ ର ସରୁ ଚାଦରଟେ ଆଚ୍ଛାଦିତ କରି ରଖିଛି । ଲନ ସାମ୍ନା ବ୍ୟାରିକେଡରେ ଆସ୍ଥାନ ଯମେଇ ଥିବା ଗୁଲଫେରିଆ ଫୁଲର ବାସ୍ନା ବି ବିଚଳିତ କରିପାରୁନି ଚିତ୍ରାକୁ । ବାହାଘର ପlଖାପାଖି ଦୁଇ ବର୍ଷ ହୋଇ ଗଲାଣି । ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ ଚିତ୍ର। । ବାପା ଉମାଶଙ୍କର ମିଶ୍ର ଗାଁ ସ୍କୁଲର ସଂସ୍କୃତ ଶିକ୍ଷକ। ଚିତ୍ରା ତାଙ୍କର ଏକ ମାତ୍ର ଝିଅ । ଇଂରାଜୀରେ ସ୍ନାତକ । ଅଚାନକ ଏକ ପ୍ରସ୍ତାବରେ ଯେଉଁଦିନ ଚିତ୍ରାର ବାହାଘର ଠିକ ହୋଇଗଲା ,ସେଦିନ ଖୁସିରେ କାହା ଗୋଡ଼ ତଳେ ଲାଗୁ ନଥାଏ । ଜ୍ଵାଇଁ ଆମେରିକାରେ ସଫ୍ଟୱେର ଇଞ୍ଜିନିୟର , ଗୋଟିଏ ପୁଅ,ବାପା ମାଆ କେହି ନାହାନ୍ତି । ଚିତ୍ରା ବି କମ ଖୁସି ନ ଥିଲା ସେଦିନ। ସାଙ୍ଗ ମାନଙ୍କୁ ଫୋନ କରି ଜଣେଇ ଦେଇଥିଲା ତୁରନ୍ତ । ଗୋଟିଏ ସପ୍ତାହରେ ବାହାଘର ସାରିବା ପାଇଁ ପୁଅ ପଟୁ ଖବର ଆସିଥିଲା । ଯେନତେନ ପ୍ରକାରରେ ବାହାଘର ସାରିଦେଲେ ଉମା ଶଙ୍କର ବାବୁ । ବାହାଘରର ପନ୍ଦର ଦିନ ଭିତରେ ଭିସା ବି ରେଡି ହୋଇ ଯାଇଥିଲା । ଖୁସିରେ ଖୁସିରେ ବିଦା କରିଥିଲେ ଝିଅ ଜ୍ୱାଇଁଙ୍କୁ ଉମା ଶଙ୍କର । ଗଲା ବେଳେ ଚିତ୍ରା ଭଲ ପାଉଥିବା ବାଡିର ଆମ୍ବ ଆଚାରକୁ ସଯତ୍ନରେ ମାଆ ଭରି ଦେଇଥିଲେ ଟ୍ରଲି ବ୍ୟାଗରେ ।
ଭୁବନେଶ୍ୱରରୁ ଦିଲ୍ଲୀ ,ଦିଲ୍ଲୀରୁ ଆଣ୍ଟଲାଣ୍ଟା ଏୟାରପୋର୍ଟରେ ସକାଳୁ ସକାଳୁ ଫ୍ଲାଇଟ ଲ୍ଯାଣ୍ଡ୍ କରିଥିଲା । ତା'ପରେ ଦୀର୍ଘ ଆଠ ଘଣ୍ଟାର ରାସ୍ତା ଅଲବମା ଓ ଟେଲଡାଗକୁ । ଖୁଵ୍ ଟାଏଡ଼ ହୋଇ ଯାଇଥିଲା ଚିତ୍ର । ଏତେ ଲମ୍ବା ଯାତ୍ରା କେବେ ଅତିକ୍ରମ କରିନଥିଲା । ଶିଘ୍ର ଶୋଇ ପଡ଼ିଲା କିଛି ଡ୍ରାଏ ଫୁଡ୍ସ ନେଇ । ସକାଳଟି କିନ୍ତୁ ତା' ପାଇଁ ଥିଲା ଖୁଵ ଚମତ୍କାର । କାଚ ଲଗା ଘର ଭିତରୁ ଟେଲଡାଗ ଜାତୀୟ ଉଦ୍ୟାନର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋରମ ; ଅଭିଭୂତ ହୋଇ ଯାଇଥିଲା ସେ । ଲମ୍ବା ଲମ୍ବା ପାଇନ ଗଛରେ ବରଫ ପାତର ଦୃଶ୍ୟ ଥିଲା ଅତ୍ୟନ୍ତ ଚମତ୍କାର ।ତାକୁ ଲାଗିଲା ସେ ଜୀବନର ସବୁ କିଛି ପାଇଯାଇଛି । ଶିକ୍ଷିତ ସ୍ୱାମୀ,ମୋଟା ଅଙ୍କର ଦରମା, ଗାଡି, ବଙ୍ଗଳା , ପ୍ରାକୃତିକ ପରିବେଶ ଇତ୍ୟାଦି । ବେସ୍ କିଛିଦିନ ଚାଲି ଯାଇ ଥିଲା ନୂଆ ଘରକୁ ସଜାଡ଼ିବାରେ । ଜଣେ ବିଶିଷ୍ଟ ଇଣ୍ଟରିୟେର ଡିଜାଇନରର ତତ୍ତ୍ବାବଧାନରେ ଚିତ୍ରା ଘରର ସାଜସଜ୍ଜା କରା ଯାଇଥିଲା । ବିଶେଷ କରି ରୋଷେଇ ଘରଟିକୁ ବି । କାଚ ଲଗା ଥାକ ଭିତରେ ଅତି ଯତ୍ନରେ ରଖି ଦେଇଥିଲା ଆଚାର ଜାରଟିକୁ । ସ୍ୱାମୀଙ୍କ ସହ ପାର୍କ ବୁଲା, ସପିଙ୍ଗ, ଥିଏଟର ରେ କଟି ଯାଇଥିଲା ଅନେକ ଗୁଡିଏ ସମୟ । ପାଖାପାଖି ଗୋଟିଏ ବର୍ଷ ଅତିବାହିତ ହୋଇଯାଇ ଥିଲା ହସ ଖୁସିରେ । ସେତେବେଳକୁ ସ୍ୱାମୀ ଅବିନାଶର କାର୍ଯ୍ୟ ଭାର ବଢି ଯାଇଥିଲା । ଖାଲି weak endରେ ଯାହା ଟିକେ ବୁଲାବୁଲି ଓ ମନ ଖୋଲା କଥା ।
ଧୀରେ ଧୀରେ କିଛି ଅଭାବ ର ଅନୁଭବ କଲା ଚିତ୍ରା । ସାଙ୍ଗସାଥି,ଗାଁ, ନଈ, ବାପା ,ମା ସମସ୍ତେ ମନେ ପଡ଼ିଥିଲେ ତାର । ଟେଲିଫୋନରେ ମା' ସହ କେତେବେଳେ କେମିତି କଥା ହୁଏ ତଥାପି ମନ ପୂରେନି।ଇଛା ହୁଏ ମନ ଭରି ଦେଖିବାକୁ । ଧୀରେ ଧୀରେ ସେ ନିଃସଙ୍ଗତା ଅନୁଭବ କଲା । ବାଲକୋନିରୁ ଲନ ଯାଏ ମାଡିଥିବା ଗୁଲଫେରିଆ ଫୁଲ ଗୁଡାକ ତାକୁ ଆଉ ଭଲ ଲାଗୁନି । ସେ ଖୋଜୁଛି ଗାଁର ରଜନିଗନ୍ଧା,ସୁଗନ୍ଧରାଜ ଓ ରଂଗଣି ଫୁଲକୁ । ଜାତୀୟ ଉଦ୍ୟାନକୁ ଉଡି ଯାଉଥିବା ପଲପଲ ମକାଓ ମାନେ ସତେ ଯେମିତି ତାକୁ ଛିଗୁଲେଇ ହେଉଛନ୍ତି । ଏତେବଡ଼ ବଙ୍ଗଳାରେ ଏକୁଟିଆ ସେ । ନିଃସଙ୍ଗତାକୁ ଦୂର କରିବା ପାଇଁ କେବଳ ଟିଭି, କମ୍ପୁଟର ଓ ଦାମୀ ଦାମୀ ସୋଫା । କାଲିଠୁଁ ଅବିନାଶ ଯାଇଛନ୍ତି କାଲିଫର୍ଣ୍ଣିଆ ପନ୍ଦର ଦିନ ପାଇଁ ଟୁରରେ । ସେବେଠୁଁ ନିସ୍ତବ୍ଧ ସେ ।
ଆଜି କାହିଁ ଭାରି ମନେ ପଡୁଛି ଗାଁ କଥା । ଗାଁ ନଈ ଓ ତା' ମଥାନର ପୁନେଇଁ ଉଦିଆ ଜହ୍ନ,ଖାସ କରି ରଜ ଦୋଳି । ଆଖି ଦୁଇଟି ଜକେଇ ଆସିଛି ତା'ର । କ'ଣ ପାଇଁ ସେ ବାହା ହୋଇଥିଲା ଅବିନାଶକୁ କେବଳ ଡଲାର ଓ ନିଃସଙ୍ଗତା । ନା ...କିଛି ଗୋଟେ ନିଷ୍ପତ୍ତି ନେବ ସେ, ହଁ ଦୃଢ଼ ନିଷ୍ପତ୍ତି । ସେ ଫେରିବ ଗାଁ କୁ ; ତା' ମାଟିକୁ, ତା' ମା' ପାଖକୁ .....
ପାରାଦ୍ବୀପ
ଫୋ - ୮୨୪୯୩୦୯୪୬୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।