7/05/2019

ଜୀବନ

ପ୍ରିୟଙ୍କା ସାହୁ
ଚାରିକଡର ବଳୟ ଭିତରେ
ଠିକ୍ ବୁଢୀଆଣି ସୂତା ପରି
ଆତ୍ମୀୟ ଲୋକଙ୍କ ଛଳନାରେ
ଛନ୍ଦି ହୋଇ ମଝିରେ
ଲଟକି ଯାଇଛି ଜୀବନ ।

କୋମଳ ଅଙ୍ଗରେ କଣ୍ଟା ଫୁଟିଲା ପରି
ନିଜ ଲୋକଙ୍କ ଶବ୍ଦ ପ୍ରହାରରେ
ଭଙ୍ଗା କାଚ ପରି
ବିଛେଇ ହୋଇ ପଡିଛି ଜୀବନ ।

ହୃଦୟ ଭିତର ରୁଦ୍ଧ କୋଠରୀର
ଦୁଆରେ ସଶସ୍ତ୍ର ପ୍ରହରୀ ପରି
ସନ୍ଦେହ ସାଜିଛି ଦୁଆରୀ,
ଗୌତମ ଋଷିଙ୍କ ଅଭିଶପ୍ତ
ଅହଲ୍ୟା ପରି,
ମନର ମଣିଷ ରାମଙ୍କ ପ୍ରତୀକ୍ଷାରେ
ପାଷାଣୀ ସାଜି ପଡି ରହିଛି ଜୀବନ ।

କେଜାଣି କେବେ ଆସିବେ ରାମ
ତାଙ୍କ ଚରଣ ରେଣୁର ସ୍ପର୍ଶରେ
ମୋ ଜୀବନ ପାଷାଣୀ ଅହଲ୍ୟାର
ମୁକ୍ତି ମିଳିବ ।
ହଜି ଯାଇଥିବା ଅତୀତର ରଙ୍ଗ
ପୁଣି ରଙ୍ଗେଇ ହେଇଯିବ ।
ଉଦାସୀ ବର୍ତ୍ତମାନ ଫୁଲର ପସରାକୁ
ସାଉଁଟି ଆଣିବ।
ତୁମେ ଆସିବା ଯାଏଁ
ଅପେକ୍ଷା କରିଥିବ ଜୀବନ ।

ସାହାନିୟାଜ ପୁର
     -କଟକ-
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।