7/05/2019

ଶାଖା ଚଙ୍କ୍ରମଣ

ଉଷାରାଣୀ ପଣ୍ଡା


     ଅବସର ପ୍ରାପ୍ତ ଶଶିକାନ୍ତ ବାବୁ  ନିତିଦିନିଆ ଅଭ୍ୟାସ ଭଳି ଭୋର୍ ପାଞ୍ଚଟାରୁ ଉଠି ଦାଣ୍ଡ ଅଗଣା ଆଡେ ଉଣ୍ଡିମାରି ଖବର କାଗଜ ବାଲାକୁ ଉଣ୍ଡୁଥାନ୍ତି । କେଜାଣି କାହିଁକି ତା'ର ବିଳମ୍ବରେ ମନେ ମନେ ବିରକ୍ତିର ଭାବ । ଯେମିତି ଖବରକାଗଜ ଗେଟ୍ ଆଡେ ପକାଇଦେଇ ପିଲାଟି ଚାଲିଯାଏ ବାବୁ ମୁରୁକି ମୁରୁକି ହସି ପେପର୍‌ଟା ଗୋଟାଇ  ଆମୂଳଚୂଳ ପୃଷ୍ଠା ଗୁଡିକୁ ଥରେ ଓଲଟାଇ ଆଶ୍ବସ୍ତ ଅନୁଭବ କରନ୍ତି । ଏବେ ତ ଢେର୍ ସମୟ ମିଳୁଛି ପଢିବା ପାଇଁ  ଚା' ଟିକେ ପିଇ ସାରେ ଭାବି ମୁନା ବୋଉକୁ ଡାକ ପକାଇଲେ  "ଚାହା ହେଲାଣି ?" ମୁନା ବୋଉ କିଞ୍ଚିତ ବିରକ୍ତ ପ୍ରକାଶ କରି "ହଁ ହଁ ହେଲାଣି  ରୁହ  ଆଣୁଛି ।ଏ ମଣିଷ ଚାକିିରି ଛାଡିଲେ ବି ନିୟମ ଛାଡିଲେଣି ।" ଚାହାକପ୍‌ଟି ବଢାଇ ଦେଇ କିଛି ନ କହି ନିଜ କାମରେ ଲାଗିଗଲେ ।
         
          ଶଶିକାନ୍ତ ବାବୁ ଟିକେ ତେରଛା ଦୃଷ୍ଟିରେ ସ୍ତ୍ର୍ରୀ ଆଡକୁ ଚାହିଁ ଭାବିଲେ ସତରେ ମୁଁ ଜୀବନ ବେଉସାରୁ ନିବୃତ୍ତି  ପାଇ ଆରାମ ପାଇଁ ସମୟ ପାଇଲି ।ୟାକୁ ବୋଧେ  ଆଉ  ନିବୃତ୍ତିର ସୁଯୋଗ ନାହିଁ । ଦୀର୍ଘ ଚାଳିଶି ବର୍ଷ ହେଲା ଆମ ପାଇଁ କେତେ କଷ୍ଟ ନ ପଡିଛି ସତେ ?  ଅତୀତରେ ହଜି ଗଲେ । ଚା' ଯେ ଥଣ୍ଡା ହୋଇ ଯାଇଛି ଖିଆଲ ବି ନାହିଁ । ଠିକ୍ ସେତିକି ବେଳେ ସହକର୍ମୀ ରମାନାଥ ବାବୁ ଆସି କହିଲେ - "କ'ଣ ମହାଶୟ ଆଜି ବି ଭାବୁକ ସାଜିଛ ବୋଧେ ?" ଇତସ୍ତତଃ ହୋଇ ଶଶିକାନ୍ତ ଦେଖିଲେ ରମାନାଥଙ୍କୁ 'ଓଃ, ଆପଣ  ? ଆସନ୍ତୁ' କହି ପାଖ ଚେୟାରରେ ବସିବା ପାଇଁ କହି ପୁଣି ଡାକ ପକାଇଲେ ମୁନା ବୋଉକୁ "ହଇ ହୋ ଦେଖ କିଏ ଆସିଲେଣି ।" ମୁନା ବୋଉ ଯାଇ ଦେଖିଲେ ରମା ଭାଇ ଆସିଛନ୍ତି।

           ସମ୍ବୋଧନା ଜଣାଇ କୁଶଳ ପ୍ରଶ୍ନ ପଚାରିଲେ ।ଶଶିକାନ୍ତ  କହିଲେ -ଖାଲି ଭାଇ ସହ ଗପୁଛ କିଛି ତ ଦିଅ । ହଁ ହଁ  ମୁଁ କଥାରେ ମଜ୍ଜି ଯାଇଛି ,  ଚାହା ଆଣିବାକୁ ଗଲେ । ଚାହାପିଆ ପର୍ବ ସରିଲା। ତାପରେ  ଟଙ୍କା-ପଇସା କଥା ଆପଣଙ୍କ ଏରିୟର୍ ଆସିଗଲାଣି ? ମୋର ଯାହା ବାକି ଥିଲା ଏଇ ଦୁଇ ଦିନ ତଳେ ଆସି ଯାଇଛି । ସେ କଥା ପଚାରିବା ପାଇଁ ଆସିଥିଲି । ଶଶିକାନ୍ତ କହିଲେ "ହଁ ମୋର ବି ଯାହା ଆସିବାର ଥିଲା ଆସିଯାଇଛି । ସବୁତକ ବ୍ୟାଙ୍କରେ ଫିକ୍ସ କରିଦେଲି । ଆପଣ କଣ କଲେ?" ରମାବାବୁ କହିଲେ "ସେଇ ତ ଆମ ଜୀବନ ଆଧାର। ଦୀର୍ଘ ତିରିଶି ବର୍ଷର କଷ୍ଟାର୍ଜିତ ଧନକୁ ହାତଛଡା କରିବାକୁ ମନ ମାନିଲାନି। ଏଇ ପଇସା ନେଇ ପୁଅମାନେ କେତେ କ'ଣ ଯୋଜନା କଲେ ।" ଶଶିବାବୁ ପଚାରିଲେ "କାହିଁକି ? ସେମାନଙ୍କର କଣ ଅଭାବ ? ଭଲ ତ ରୋଜଗାର କରୁଛନ୍ତି।" ରମାବାବୁ କହିଲେ "ସବୁ ପଇସା ସେମାନଙ୍କ ଜିମା ଦେଇଦେଇ ଘରଟିକୁ ବିକ୍ରି କରି ସେଠାକୁ ଚାଲିଗଲେ ମାସେ ଲେଖାଏଁ ପାଳି କରି ଦୁଇଜଣ ରଖିବେ। ଥରେ ଯାଇଥିଲୁ ବଡ ପୁଅ ପାଖକୁ ବୋହୂର ବ୍ୟବହାରରେ ଆଉ ବଞ୍ଚି ଥିଲା ଯାକେ ପାଦ ନ ଦେବାକୁ ନିଷ୍ପତ୍ତି ନେଇଗଲୁ। କି ଭରସାରେ ସବୁ ସମର୍ପି ଗୋଲାମୀ ହେବାକୁ ଯିବୁ। ପୁଅମାନେ ଫୋନ୍‌ଫାନ୍‌ ନାହିଁ କି ଆସୁ ବି ନାହାନ୍ତି ।"
       
              ରମାବାବୁ କହିଲେ "କି ଯୁଗ ହେଲା ସତରେ କ'ଣ ପିଲାଙ୍କ ପାଇଁ ନକଲେ ଆଜୀବନ ପରିଶ୍ରମ କରି  ପାଠଶାଠ ପଢାଇ ଉପାର୍ଜନକ୍ଷମ କଲେ । ଆମଠୁ ଅଧିକରେ ଅଛନ୍ତି ,ତଥାପି କାହିଁକି ଏ ଚିନ୍ତାଧାରା ? ତିରିଶ ବର୍ଷରେ ଦୁନିଆର ଏ କି ପରିବର୍ତ୍ତନ ଆମ ସମୟରେ ଏମିତି ଥିଲାକି ?
 କେତେ କଷ୍ଟରେ ସର୍ଙ୍ଘଷ କରି ଚାକିରିଟିଏ ପାଇଲେ । ମାଆ, ବାପା ଭାଇଭଉଣୀଙ୍କ ଦାୟିତ୍ବ ଘରର ହାନି ଲାଭ ସବୁ ବୁଝି ଶେଷ ସମୟରେ ବାପା ମାଆଙ୍କର ସେବା କରି ଥିଲେ । ଆଜିର ଦୁନିଆରେ  ନିଜେ ଭଲ ତ ସବୁ ଭଲ  ଅର୍ଥର ମୋହରେ ଯାହା ବି କରିବେ । କି କଦର୍ଯ୍ୟ ଏ ଦୁନିଆ !"
   
           ଶଶିବାବୁଙ୍କ ଦୁଆର ଆଗରେ ଅଟୋରେ ଯୁବକ ଜଣେ ଓହ୍ଲାଇ ଘର ଅଭିମୁଖେ ଆସୁଥିବା ଦେଖି ଶଶିବାବୁ  ଯୁବକଟିକୁ ସେମିତି ଚାହିଁ ରହିଛନ୍ତି। ଚିହ୍ନା ଚିହ୍ନା ଲାଗୁଛି ମନେ ମନେ ଭାବୁଛନ୍ତି। ଯୁବକଟି ସାମନାକୁ ଆସି "ଏ ଶଶିବାବାଙ୍କ ଘରଟି ?"ଶଶିବାବୁ 'ହଁ' କହି ମୁଣ୍ଡ ଟୁଙ୍ଗାରିଲେ। ଯୁବକଟି ପାଦ ଛୁଇଁ ବିନମ୍ର ଭାବେ ଠିଆ ହୋଇଛି । ବସିବା ପାଇଁ କହିଲେ । ଯୁବକଟି କହିଲା "ମଉସା ମୁଁ ଆପଣଙ୍କ ସହପାଠୀ ବିଭୁର ପୁଅ ।" ଏବେ ଜାଣି ପାରିଲେ ତ ?" "ହଁ ହଁ ଜାଣିଲି" କହିଲେ ଶଶିବାବୁ । ଗଲା ପାଞ୍ଚବର୍ଷର ଭୁଲି ଯାଇଥିବା କଥାକୁ ମନରେ ଭାବିଲେ ବିଭୁ ; ଆଉ ସେ ଏକା ଶ୍ରେଣୀରେ ପଢୁଥିଲେ ମାଟ୍ରିକ ପରୀକ୍ଷା ଯାଏଁ । ପରିସ୍ଥିତି ଓ ଅର୍ଥ ଅଭାବରୁ ପାଠରେ ଡୋରି ବାନ୍ଧି ଗୋଟେ କିରାଣୀ ଚାକିରିରେ ନିଯୁକ୍ତି ହେଲା । ବନ୍ଧୁତା କିନ୍ତୁ ଭାଙ୍ଗି ନ ଥାଏ ।  ଥରେ  ତାଙ୍କ ଝିଅର ବାହାଘର ପାଇଁ ପାଞ୍ଚ ଲକ୍ଷ ଧାର୍‌ ମାଗି ଥିଲେ ଶଶିବାବୁ ପି ଏଫ୍ ଉଠାଇ ଟଙ୍କା ଦେଇଥିଲେ । ସେ ଟଙ୍କା ପରିଶୋଧ କରି ନ ଥା'ନ୍ତି। ସମୟ ସୁବିଧା ଦେଖି ଦେବା ପାଇଁ ଥରେ ଦି ଥର କହିଥିବେ। ତା'ପରେ ହଠାତ୍ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇ ଯାଇଛି। ସେ ପରାମର୍ଶ  ବେଳେ ମଧ୍ୟ ତାଙ୍କ ସ୍ତ୍ରୀ  ପ୍ରସ୍ତାବନା ଉଠେଇ ନଥିଲେ  l ବୋଧେ ବିଭୁ ଧାର ନେବା କଥା ଘରେ ଜଣାଇ ନଥିବେ ଭାବି ତୁନି ରହିଲି ।  ଧାର୍‌ ନେବା ଲୋକ ତ ନାହାନ୍ତି ସାକ୍ଷୀ ବି ନାହିଁ ।ଏମିତି ଭାବୁ ଭାବୁ ଯୁବକଟି ସୁଟ୍‌କେସ୍‌ ଖୋଲି ଟଙ୍କାବିଡା ବାହାର କରି କହିଲା "ମଉସା ! ବାପା କହୁଥିଲେ ମୋ ଭଉଣୀ ବାହାଘର ବେଳେ ଆପଣଙ୍କ ଠାରୁ ପାଞ୍ଚ ଲକ୍ଷ ଧାର୍‌ ନେଇଥିଲେ ସେ ଶୁଝି ନାହାନ୍ତି ।  ଆଉ ମୋତେ ବାରମ୍ବାର କହିଛନ୍ତି ଆପଣଙ୍କ ଟଙ୍କା ଦେବାକୁ ମୁଁ ଶପଥ ବି କରି ସାରିଛି। କିନ୍ତୁ ଏଇ କିଛି ଦିନ ତଳେ ମୁଁ ସେକ୍ରେଟେରୀୟାଟ୍‌ରେ ଅକାଉଣ୍ଟାଣ୍ଟ୍‌ ଭାବେ ନିଯୁକ୍ତି ହେଲି । ଟ୍ରେନି°ସରିଲା, ପୋଷ୍ଟିଙ୍ଗ୍ ହାଇଦ୍ରାବାଦରେ । ଆଉ ଗଲାବେଳେ ଆପଣଙ୍କ ଟଙ୍କାଟା ଦେଇଦେଇ ଚାଲଯିବି ଭାବି ଆସିଲି କହି ବିଡାତକ ହାତକୁ ବଢାଇ ବିନମ୍ର ନମସ୍କାରଟିଏ କରି ଗାଡି ଡେରି ହୋଇଯିବ କହି ଯିବାକୁ ପ୍ରସ୍ତୁତ ହେଲା ।  ଉଭୟେ ଦୁଆର ଯାକେ ଯାଇ ବିଦାୟ ଦେଇ ଆସି ପୁଣି ବସି ପଡିଲେ । ଦୁଇଜଣ କିଛି କ୍ଷଣ ମୌନ ରହିବା ପରେ ଦେଖିଲ କେତେ ଆଶ୍ଚର୍ଯ୍ୟ ଲାଗୁଛି ବିଭୁଙ୍କ ପୁଅ ଆଉ ଆମ ପିଲାମାନଙ୍କ ମଧ୍ୟରେ। ମୁଁ ଭାବୁଛି ଆମ ପୋଷଣରେ କିଛି ଅସୁବିଧା ଅଛି । ଇଏ ବି ଏ ଯୁଗର ପିଲା । ଏଇ କିଛି ଘଣ୍ଟା ପୂର୍ବରୁ ଆମେ ଭାବୁଥିଲେ ଏ ଯୁଗର ପିଲା ମାନଙ୍କ ବିଷୟରେ । ଆଉ ଭାବୁଥିଲେ ଭଲ ପିଲାମାନେ ଏ ଯୁଗରେ ଆଉ ନାହାନ୍ତି ; ହଁ ନା ? ଆମ ପିଲାମାନେ କାହିଁକି ଆମଠାରୁ ଅଧିକ ଆଶା କରୁଛନ୍ତି ?  ତାହେଲେ ଆମେ ସଠିକ୍ ମାର୍ଗ ନିର୍ଦ୍ଦେଶ ଦେଇ ନଥିଲେ?
   
           କିଛି କ୍ଷଣ ଚୁପ୍ ରହି ରମାବାବୁ କହିଲେ ଯେ ତିରିଶ ବର୍ଷର ଦୁନିଆ ଆଜିର ଦୁନିଆ ଭିତରେ ଅନେକ ତଫାତ୍ ଦେଖାଯାଉଛି । ତିରିଶ ବର୍ଷ ତଳେ ଦୁନିଆରେ ଅନେକ ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଥିଲେ। ଗରିବ ପରିବାରରେ ଜନ୍ମ ହୋଇଥିବା ହେତୁ ଭୋକର ମୂଲ୍ୟ ଜାଣୁ ଥିଲେ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା କଷ୍ଟସାଧ୍ୟ ହେଉଥିଲା ।  ପାଠରେ ଡୋରି ବାନ୍ଧି ଛୋଟମୋଟିଆ ଚାକିରି କରି ପରିବାର ମାଆ ବାପାଙ୍କ କଷ୍ଟ ବୁଝି ସାହାଯ୍ୟ କରିବା ମନୋଭାବ ଥିଲା । ବର୍ତ୍ତମାନ ଆମ ପିଲାଙ୍କ ସମୟ ଆସିଲା ବେଳକୁ ଆମ ଚିନ୍ତାଧାରା ବଦଳି ଗଲା । ଆମେ ଭାବିଲେ ଆମେ ଯେଉଁ କଷ୍ଟ ଅନୁଭବ କଲେ ଆମ ପିଲେ ତାହା ନ ଜାଣନ୍ତୁ ।  ଜୀବନରେ ଯାହା ସୁବିଧା ଅସୁବିଧା ହେଲା ଆମେ ସେମାନଙ୍କୁ ଭାଗୀଦାର ନକରି ନିଜେ କଷ୍ଟ ସହି ବିଳାସ ଜୀବନ ଦେଲେ । ଏୟା ଆମକୁ ଅଭିଶାପ ରୂପେ  ପରିଣତି ହେଲା । କିନ୍ତୁ ବିଭୁଛୋଟବେଳୁ ତାଙ୍କ  ଅଭାବ ଅନଟନ ବିଷୟରେ ପିଲାମାନଙ୍କୁ ଜଣାଇ ଥିବାରୁ ଆଜି ତା ପୁଅ ବାପାଙ୍କ ବାକ୍ୟକୁ ରକ୍ଷା କରି ଯୋଗ୍ୟପୁତ୍ର ହେଇପାରିଛି।
 
             ଶଶିକାନ୍ତ କୁ ଏକଥାଟା ମନକୁ ପାଇଲା  ବନ୍ଧୁ ତୁମ କଥା ଅକ୍ଷରେ ଅକ୍ଷରେ ସତ। ପରିବର୍ତ୍ତନ  ସହଜସିଦ୍ଧ  ଯୁଗ ବଦଳୁନି ଆମ ଚିନ୍ତାଧାରା ବଦଳୁଛି।  ପିତାମାତାମାନେ  ଅତି ଗେହ୍ଲା ରେ ବଢାଇ  ଦାୟିତ୍ବଶୂନ୍ୟ କରିଦିଅନ୍ତି । " ଅତି ସର୍ବତ୍ର ବର୍ଜହତ୍"  କଥାକୁ ଭୁଲିଯାନ୍ତି। ପିତାମାତାଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଠିକ୍ ଯତ୍ନ ନେବା ,ଶାଖା ଚଙ୍କ୍ରମଣ ଧର୍ମର" ସଠିକ ନିର୍ଦ୍ଦେଶ ଦେଇ ନଥାନ୍ତି। ଯୁଗକୁ କାହିଁକି ନିନ୍ଦିବା ଏହାର ପରିବର୍ତ୍ତନ ଅପରିର୍ହାଯ୍ୟ।  ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ ।   ଚାଲ ଡେରି ହେଲାଣି କହି ଆସନରୁ ଉଠିଲେ

             
     ସୋମପେଣ୍ଠ,,   ଆନ୍ଧ୍ରପ୍ରଦେଶ

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।