ସଦାନନ୍ଦ ସାହୁ
ପ୍ରେମ ପ୍ରୀତି ରଙ୍ଗ ହୃଦୟର ସଙ୍ଗସଂପର୍କ ସମ୍ବନ୍ଧ ଛିଟା ,
ସ୍ନେହ ସଦିଚ୍ଛାର ଏ' ହୋଲି ପରବ
ଭାବ ବନ୍ଧନରେ ବନ୍ଧା ॥
ଦ୍ଵାପର ଯୁଗର ପରମ୍ପରା ବିତ୍ତ
ରାଧାକୃଷ୍ଣ ପ୍ରେମ ସ୍ମୃତି ,
ଗୋପ ଗୋପଙ୍ଗନା ଯୌବନା ସମ୍ପଦା
ସରାଗେ ହୋଲି ଖେଳନ୍ତି ॥
ସଂସ୍କୃତି ଆଧାର ମାଆ ଭାରତୀର
ରଙ୍ଗେ ରଙ୍ଗାୟିତ ହୋଲି ,
ସ୍ନେହଁ ସୌହାର୍ଦ୍ଦ୍ୟର ଅକ୍ଷୁର୍ଣ୍ଣ ସଂପର୍କ
ହୃଦୟକୁ ଦିଏ ଖୋଲି ॥
ସର୍ବେ ଏକାକାର ସଭିଏଁ ସମାନ
ନାହିଁ କିଛି ଭେଦଭାବ ,
ଛୁଆଁ ଅଛୁଆଁର ନାହିଁ ଚିହ୍ନ ବର୍ଣ୍ଣ
ବାର୍ତ୍ତାୟନି ହୋଲି ପର୍ବ ॥
ସଂସ୍କୃତି ସମ୍ପତ୍ତି ପରମ୍ପରା ପ୍ରୀତି
ବିଶ୍ୱରେ ନିଆରା ଛବି ,
ଭାରତୀୟ ଜନ ଆଦର୍ଶୀତ ଧନ
ପ୍ରଥା ପରମ୍ପରା ଭବି ॥
ସପ୍ତ ରଙ୍ଗ ପ୍ରେମ ଇନ୍ଦ୍ରଧନୁ ସମ
ଅବିର ସିନ୍ଦୂର ଖେଳ ,
ହଳଦୀ ମେହେନ୍ଦି ଦୁଲ୍ଲଣୀ ବୋଳନ୍ତି
ଝିଅ-ବୋହୂ ହୋ'ନ୍ତି ମେଳ ॥
ନାଲି ହୋଲି ରଙ୍ଗ ନାଲି ତ ରକତ
ଭିନ୍ନତାର ପ୍ରଶ୍ନ ନାହିଁ ,
ସବୁ ମଣିଷର ଗୋଟିଏ ରକତ
ଉଚ୍ଚସ୍ଵରେ ଦିଅ କହି ॥
ହସି ହସାଇବା କୋଳାକୋଳି ହେବା
ଶୁଭେଚ୍ଛା ଜଣେଇ ଭାଇ ,
ଗୁରୁଜନ ଦେଖି ସମର୍ପିବା ଭକ୍ତି
ପାଦପଦ୍ମେ ରଙ୍ଗ ଥୋଇ ॥
ଧୁରୁଷିଆ , ଆଠଗଡ଼ , କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।