5/31/2020

ପ୍ରତିକ୍ଷାରେ ରାକ୍ଷୀ ବନ୍ଧନ

                                                                        ନିବେଦିତା ମହାପାତ୍ର 
  ରଜନୀର ଘନ ଅନ୍ଧକାରକୁ ଭେଦି ସକାଳର ସୁନେଲି ସୂର୍ଯ୍ୟୋଦୟ ଆସିଲେ ଅତୀତର ସବୁ ଘଟଣାକୁ ଭୁଲି ପୁଣି ଥରେ ନୂଆ କରି ବଞ୍ଚିବାର ଅଦମ୍ୟ ଇଚ୍ଛା ମନରେ ଜାଗ୍ରତ ହୋଇଥାଏ । ସେମିତି କିଛି ପୁରୁଣା କଥାକୁ ନିଜ ହୃଦୟରେ ଆଜି ବି ସାଇତି ରଖିଥିଲେ ମଧ୍ୟ ଭୁଲିବାର ଅନେକ ବାହାନା କରେ ନତାଶା । ଆଉ ପ୍ରତିଟି ସକାଳରେ କିଛି ନୂଆ କରିବାର ଆଶା ନେଇ ତା' କାର୍ଯ୍ୟ ଆରମ୍ଭ କରେ । ସବୁଦିନ ପରି ଆଜି ବି ନତାଶା ସକାଳୁ ଉଠି ନିତ୍ୟକର୍ମ ସାରିଲା । ହେଲେ ଆଶ୍ଚର୍ଯ୍ୟ କଥା କେବେ ଠାକୁରଙ୍କ ଘରକୁ ଯାଉ ନଥିବା ଝିଅ ଆଜି ଠାକୁର ଘରେ ପୂଜା ଥାଳି ସଜାଉଥିଲା । କିଛି ସମୟ ପରେ ସେ ଥାଳି ଧରି ଉପର ମହଲାରେ ବନ୍ଦ ଥିବା ଗୋଟେ ଘର ପାଖରେ ପହଞ୍ଚିଲା । କବାଟ ଖୋଲି ଭିତରକୁ ଯାଇ ଟେବୁଲ ଉପରେ ଥାଳିଟି ଥୋଇ ନତାଶା ଗୋଟିଏ ଫଟୋକୁ ଦେଖି ଜୋର୍‌ରେ କାନ୍ଦିବାକୁ ଲାଗିଲା । ହଠାତ୍ ନତାଶାର ଏ ପରିବର୍ତ୍ତନ ! କିଛି ସମୟ ପୂର୍ବରୁ ଶାନ୍ତ ମନରେ ଉପରକୁ ଆସୁଥିବା ନତାଶା ଆଖିରେ ଲୁହ । ପ୍ରକୃତରେ ସେ ଫଟୋ ଥିଲା ତା' ଭାଇ ଆୟୂଷର । ଆୟୂଷ ନତାଶା ଠାରୁ ପାଞ୍ଚ ବର୍ଷ ବଡ । ସେ ନତାଶାକୁ ବହୁତ ଭଲପାଏ । ଭାଇ ଭଉଣୀ ଦୁଇ ଜଣ ଭଲ ସାଙ୍ଗ ବି ଥିଲେ । ଦୁହେଁ କେବେ ଅଲଗା ହବା କେହି ବି ଦେଖି ନଥିବେ । ସତେ ଯେମିତି ଶରୀର ଦୁଇଟିକୁ ଆତ୍ମା ଗୋଟିଏ । ସବୁଦିନ ସକାଳୁ ଏକାଠି ସ୍କୁଲ ଯିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସେମାନେ ଏକାଠି । ବାପା ମା' ବି ସେମାନଙ୍କ ସ୍ନେହ ଶ୍ରଦ୍ଧା ଦେଖି ବହୁତ ଖୁସି ହୁଅନ୍ତି । କିନ୍ତୁ କୁହାଯାଏ ସୁଖର ଦିନ ବେଶି ସମୟ ରହେନି । ସେମାନଙ୍କ ହସଖୁସିକୁ ବି ଯେମିତି କାହାର ନଜର ଲାଗିଗଲା ।

    ଆଉ ଏକ ବଡ ଦୁଃଖ ତାଙ୍କର ସବୁ ଖୁସିକୁ ନଷ୍ଟ କରିଦେଲା । ନିଜ ପାଠପଢା ସରିବା ପରେ ଆୟୂଷ ପ୍ରଶାସନିକ ସେବାରେ ଯୋଗ ଦେବା ଲକ୍ଷ୍ୟ ନେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ । ଏ ସମୟରେ ହଠାତ୍ ତାଙ୍କ ମଉସା ତାକୁ ଜେଟ୍ ବିମାନର ପାଇଲଟ ହେବା ପାଇଁ ପ୍ରେରଣା ଦେଲେ । ଆୟୂଷ ବି ତାଙ୍କ କଥାରେ ରାଜି ହେଇ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ପ୍ରଥମ ପୋଷ୍ଟିଂ ଲକ୍ଷ୍ନୌରେ । ଘରୁ ଯିବା ବେଳେ ସମସ୍ତେ ଦୁଃଖ ମିଶା ଖୁସିରେ ତାକୁ ବିଦାୟ ଦେବା ବେଳେ ନତାଶା କିନ୍ତୁ ପୂରା ଦୁଃଖୀ ଥିଲା । କାରଣ ସେ ତା' ଅତି ଆଦରର ଭାଇକୁ ଛାଡିବାକୁ ପ୍ରସ୍ତୁତ ନଥିଲା । ବହୁ ବାଧ୍ୟବାଧକତାରେ ସେ ତାକୁ ଛାଡିଲା । ଆୟୂଷ ଯିବା ପରେ ପୁରା ଘରଟା ନିସ୍ତବ୍ଧ ହେଇଗଲା । ହସଖୁସି,ପାଟିତୁଣ୍ତ ଗହଳି ସବୁ ସରିଗଲା । ନତାଶା ଆଖିରୁ ଅନବରତ ଝରି ଯାଉଥିଲା ଲୋତକର ଧାରା । ସବୁବେଳେ ତା' ଭାଇର ରୁମ୍‌ରେ ବସି ରହି ସେ ଅତୀତ ଘଟଣାକୁ ମନେ ପକାଏ । କିଛିଦିନ ପରେ ସବୁ ସ୍ବାଭାବିକ ହେଇଗଲା । ଆୟୂଷ ସବୁଦିନ ଫୋନ୍‌ରେ ଘର ଲୋକଙ୍କ ସହ କଥା ହୁଏ ।କିଛି ବର୍ଷ ଏମିତି କଟିଲା । ସବୁ ବର୍ଷ ରାକ୍ଷୀରେ ସେ ଭାଇ ପାଖକୁ ରାକ୍ଷୀ ପଠାଏ । ହେଲେ ସେ ଦିନ ସାରା ସେ ଭାଇର ଫଟୋ ପାଖରେ ବସି ଲୁହ ଝରାଏ । 

    ଏବର୍ଷ ରାକ୍ଷୀ କିନ୍ତୁ ତା' ପାଇଁ ନିଆରା ହେଇଥା'ନ୍ତା । ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଫେରିବ ବୋଲି କଥା ଦେଇଥିଲା ଆୟୂଷ । ବହୁତ ଖୁସି ଥିଲା ନତାଶା । ହେଲେ ଏ ଖୁସି ବେଶୀ ସମୟ ରହିଲାନି । ଆୟୂଷ ଘରକୁ ଆସିବାକୁ ବାହାରୁ ଥିବା ବେଳେ ଅଫିସ୍‌ରୁ ଫୋନ୍ ଆସିଲା ଦୁଇ ଦିନ ପାଇଁ ଗୋଟିଏ ସିକ୍ରେଟ୍ ମିସନ୍‌ରେ ଯିବା ପାଇଁ । ସେ ମନା କରି ପାରିଲାନି ।ଘରକୁ ଫୋନ୍ କରି ନତାଶାକୁ ଜଣାଇଲା । ଆଉ ରାକ୍ଷୀ ପୂର୍ବରୁ ପହଞ୍ଚିବ ବୋଲି ତାକୁ ବୁଝେଇ ବାହାରି ପଡିଲା । ଦୁଇ ଦିନ ଧରି ତା'ର କୌଣସି ଖବର ଘର ଲୋକ ପାଇଲେନି । ହେଲେ ଚତୁର୍ଥ ଦିନର ଫୋନ୍ ସତେ ଯେମିତି ତାଙ୍କ ଘର ଉପରେ ବଜ୍ରପାତ ପଡିଲା ପରି ଲାଗିଲା । ସିକ୍ରେଟ୍ ମିସନ୍‌ରେ ଯାଇଥିବା ଆୟୂଷ ପଟ୍ଟନାୟକ ନିଖୋଜ ସେନା ଅଫିସ୍‌ରୁ ଫୋନ୍ କରି ଜଣାଇ ଦିଆଗଲା । ସମଗ୍ର ପୃଥିବୀ ଆଜି ଯେମିତି ସ୍ଥିର ହେଇ ଯାଇଛି । ନତାଶା ପୂରା ନିର୍ବାକ ନିସ୍ତବ୍ଧ । ଘର ଲୋକମାନେ କ'ଣ କରିବେ କିଛି ଭାବି ପାରୁ ନଥା'ନ୍ତି । ହେଲେ ନତାଶା ନା କାନ୍ଦି ପାରୁଛି ନା କାହାକୁ ସାନ୍ତ୍ବନା ଦେଇ ପାରୁଛି । ଭାଇ ଫଟୋକୁ ଅପଲକ ନୟନରେ ଚାହିଁ ରହିଛି । ବିଶ୍ବାସ ଅବିଶ୍ବାସର ଦୋ' ଛକିରେ ସେ ଖାଲି ଖୋଜି ଚାଲିଛି ନିଜ ଭାଇକୁ । ଆଉ ଅପେକ୍ଷା କରିଛି ଆୟୂଷର ଫେରିବା ବାଟକୁ ।

    ଆଜି ବି ପ୍ରତିଟି ରାକ୍ଷୀରେ ସେ ଭାଇ ଠିକଣାରେ ରାକ୍ଷୀ ପଠେଇ ଚାଲିଛି । ଏ ଭରସା ଆଉ ବିଶ୍ବାସରେ କି ତା' ଭାଇ କେବେ ନା କେବେ ନିଶ୍ଚୟ ଫେରିବ । ତା' ଭାଇ ଦେଶ ପାଇଁ କାମ କରି ନିଖୋଜ , ସେଥିପାଇଁ ସେ ଗର୍ବିତ । ହେଲେ ସବୁ ଭଉଣୀଙ୍କୁ ଭାଇ ହାତରେ ରାକ୍ଷୀ ବାନ୍ଧିବାର ଦେଖିଲେ ସେ ନିଜ କୋହକୁ ରଖି ପାରେନି । ହୃଦୟର ଏ ଅପୂରଣୀୟ କ୍ଷତି ନା କାହା ଆଗରେ ପ୍ରକାଶ କରି ହୁଏ ନା ତା'ର ଭରଣା କରି ହୁଏ ।ନତାଶା ପାଇଁ ସବୁ ରାକ୍ଷୀ ପୂର୍ଣ୍ଣିମା ଅମାବାସ୍ଯାର ଅନ୍ଧକାରରେ ଘେରା ।ଭାଇର ଅଫେରା ବାଟକୁ ଚାହିଁ ରହିବା ଛଡା ତା' ପାଖରେ ଅନ୍ୟ ଉପାୟ ବି ନାହିଁ । ସବୁ ବର୍ଷ କେବଳ ପ୍ରତିକ୍ଷା କରି ହିଁ ଚାଲିଯାଏ ରାକ୍ଷୀ ପୂର୍ଣ୍ଣିମା ।
ମୁକୁନ୍ଦ ମିଶ୍ର ନଗର (ପୁରୀ )
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।