5/31/2020

ଭାରତ ମାତାର ସୁଯୋଗ୍ୟ ସନ୍ତାନ - ଆମ ଯବାନ ଭାଇ

ଛବିରାଣୀ ପତି 
                "ସାତ ଦରିଆ ତେର ନଈ
                    ଯାଉରେ ଏ ବାର୍ତ୍ତା ମୋର ବହି
                      ଗୋଟିଏ କିମ୍ବା ଦୁଇଟି ନୁହେଁ 
                       ସବୁ ଯବାନ ମୋର ଭାଇ ।
                      କଣ୍ଠ ଫଟାଇ ଉଠୁ ସ୍ଲୋଗାନ ;
                       ଜୟ ଯବାନ ଜୟ କିଷାନ ।"  
                                                   "ମାଆ ତୁଝେ ସଲାମ"         
    ଆଜି ୭୩ତମ ସ୍ବାଧୀନତା ଦିବସ ,ପୁଣି ଭାଇ - ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ....ରକ୍ଷା ବନ୍ଧନ । ପ୍ରକୃତି କୋଳରେ ରଙ୍ଗ ବେରଙ୍ଗର (ଫୁଲ) ଖୁସିର ସମ୍ଭାରରେ ଉତ୍ସବ ମୁଖର .... ମୋ' ଦେଶ , ମୋ' ଗାଁ , ମୋ' ମାଟି । ସମସ୍ତେ ସ୍ନେହ , ଶ୍ରଦ୍ଧା ,ସମର୍ପଣର ଯଜ୍ଞରେ ସମର୍ପିତୂ- ସମର୍ପିତା । ଶୌର୍ଯ୍ୟ, ବୀର୍ଯ୍ୟରେ ପ୍ରକମ୍ପିତ ସାରା ଦେଶ । ସ୍ୱାଧୀନତା ଓ ଅଖଣ୍ଡତାର ସୁରକ୍ଷା ଲାଗି ସୀମାନ୍ତରେ ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟରତ ମୋର ବୀର ଯବାନ ଭାଇମାନେ..... ଆଜି ଉତ୍‌ଫୁଲିତ । ଦେଶପ୍ରେମ , ତ୍ୟାଗ , ନିଷ୍ଠା , ବୀରତ୍ୱ ଓ ସଂକଳ୍ପରେ.....ସେମାନଙ୍କର (ଯବାନ ଭାଇମାନେ)ପଟାନ୍ତର ନାହିଁ !!! ଅକାଟ୍ୟ ବଚନବଦ୍ଧରେ....ବାଜି ଲାଗେଇ ଦିଅନ୍ତି ନିଜର ପ୍ରାଣ । "ପ୍ରକୃତ ଭାବେ ଦେଶ ମାତୃକାର ଶୂର ବୀର - ବର ପୁତ୍ର" । ଆମେ ସ୍ୱାଧୀନ ହୋଇଛୁ ସତ ; ମାତ୍ର, ଏ'  ସ୍ବାଧୀନତାକୁ ବଜାୟ ରଖିଛନ୍ତି ..... ଆମର ଏହି ବୀରବର ଭାଇ ମାନଙ୍କର ସମାୟାନୁବର୍ତ୍ତିତା ଆଉ ଅକ୍ଲାନ୍ତ ଶ୍ରମ , ଉପସ୍ଥିତ ବୁଦ୍ଧି ଓ ସଜାଗ ଦାୟିତ୍ୱବୋଧରୁ । ଯେକୌଣସି ଘଡି ସନ୍ଧି ମୁହୂର୍ତ୍ତରେ..... ତାଙ୍କ ଉପସ୍ଥିତିର ଗୁରୁତ୍ୱ ,,ଦିଏନି ଅନୁମତି .....ଘରକୁ ବାହୁଡ଼ି ଯାଇ ଆମ ସଂସ୍କୃତି ଆଉ ପରମ୍ପରାର ଏହି ପର୍ବ ମାନ ପାଳିବାକୁ !!!! ଭଉଣୀଟି ଭାଇର ଫେରିଲା ବାଟକୁ ଚାହିଁ ଚାହିଁ ଶେଷରେ ନିରାଶ ହୁଏ । ଭାଇଟିର କଲ୍ୟାଣ ମନାସି ..... ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସମର୍ପି ଦିଏ , ତା' ଭାଇର ସ୍ନେହ- ଶ୍ରଦ୍ଧା ଓ ସୁରକ୍ଷା ପାଇଁ....ସେହି ସ୍ନେହଁ ମମତାର ରାକ୍ଷୀଟିକୁ । ଭକ୍ତିପୁତ ଅଶ୍ରୁ ନିଗାଡ଼ି କହେ .....ଜଗାରେ , ତୋତେ ତୋ' ଭଉଣୀ ସୁଭଦ୍ରାର ରହିଲା ରାଣ .....ମୋ' ଭାଇ ଯୋଉଠି, ଯେମିତି  ଥାଉ , ଭଲରେ ଥାଉ । ତାକୁ କୋଟି ପରମାୟୁ ଦିଅ ପ୍ରଭୁ ।

       ଭାରତୀୟ ସଂସ୍କୃତିର ଏଇ ମହାନ  ପର୍ବ..... ଆଉ, ଭାରତ ମାତାର ସ୍ୱତନ୍ତ୍ରତା ବା ସ୍ବାଧୀନତା  ଦିବସର ମୂଲ୍ୟବାନ ମୁହୂର୍ତ୍ତର ଉପଲବ୍ଧିତାର ସୁବର୍ଣ୍ଣ ସୁଯୋଗ । ଶହୀଦ ଭାଇ ମାନଙ୍କର ବଳିଦାନର ପଟାନ୍ତର ନାହିଁ। ଚିର କୃତଜ୍ଞ ସେହି ଅମର ଯବାନ ଭାଇ ମାନଙ୍କ ପାଇଁ ....ଆମ ସାରା ଦେଶ । ସେମାନଙ୍କର ବୀରତ୍ୱର ଅମ୍ଳାନ ସ୍ମୃତିଚାରଣ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ପ୍ରୀତ୍ୟର୍ଥେ ..... ମରଣୋତ୍ତର ସାରସ୍ୱତ ସମ୍ମାନ - ସମ୍ବର୍ଦ୍ଧନାର ବି' ଆବଶ୍ୟକତା ଯଥେଷ୍ଟ । କାରଣ, ସେମାନଙ୍କର ଅନୁଗାମୀ ତଥା ଆମର ଭାରତ ମାତାର କୁନି କୁନି ଭାଇ ଓ ଭଉଣୀମାନେ ଅନୁପ୍ରେରିତ ହେବେ.....ଏହି ଅଖଣ୍ଡ ଭାରତୀୟତାର ସ୍ୱପ୍ନର ସାକାର ପ୍ରତ୍ୟର୍ଥେ.....ଆଗାମୀ ଭବିଷ୍ୟତ ଲାଗି । ରାଜନୈତିକ ପରିସ୍ଥିତି  , ଯବାନ ମାନଙ୍କ ଉପରେ ବାହ୍ୟ ଆକ୍ରୋଶରୁ..... ପ୍ରତ୍ୟାକ୍ରମଣ, ସମ୍ପ୍ରଦାୟିକ ଦଙ୍ଗା , ସୀମା ଉଲଂଘନୀ ଆତଙ୍କ , ସନ୍ତାସବାଦୀଙ୍କର ଅନୁପ୍ରବେଶ , ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଓ ନିଶାଦ୍ରବ୍ୟର କାରବାର , ପଶୁ ଚାଲାଣ ,ବୈଦେଶିକ ନୀତି ବିରୋଧୀ ଆଚରଣର ଉଲଙ୍ଘନ , ଝିଅ ବୋହୂ ମାନଙ୍କର ସୁରକ୍ଷା ତଥା ଦୈବୀ ଦୁର୍ବିପାକରେ ସାହାଯ୍ୟ ସହାନୁଭୂତିର ଅବଦାନ ..... ଅତୁଳନୀୟ ସତରେ ।             

     ଆତ୍ମବଳି ଶହୀଦ ଭାଇ ମାନଙ୍କର ପରିବାର .....ସଦା ତାପସ୍ୟାରତ । ବୀରପ୍ରସବିନୀ ମାତୃତ୍ୱ ...... କେଉଁଠି ପାଇ ଯାଏ ତା'ର ମମତାର ମୂଲ,, ତ' କେଉଁଠି ନୟନ ପିତୁଳା ,ଅନ୍ଧାର ଲଉଡିକୁ ହରାଇ .....ଦୁଃଖ - ଶୋକରେ ହୋଇଯାଏ ସ୍ତବ୍ଧ । ବୃଦ୍ଧ ବାପ ଟିର ଆଶ୍ରାବାଡ଼ିଟି .... ଦେଶମାତୃକାର ସୁରକ୍ଷା ସିଦ୍ଧି ଉଦ୍ଦେଶ୍ୟରେ ସବୁବେଳେ ସମର୍ପିତ । ସରିଯାଏ ସମୟ ; ପୁତ୍ର କାନ୍ଧେ କୋକେଇ ଆଉ ମୁଖାଗ୍ନି ଦେବାର ,ସବୁ ବାପା ମା'ଙ୍କ ପରି ଦେଖିଥିବା ସ୍ୱପ୍ନ .......! ଅର୍ଦ୍ଧାଙ୍ଗିନୀ ଦେଖେ .....ମାଟି ମାଆର କୋଳରେ ନିଜ ଅର୍ଦ୍ଧାଙ୍ଗ ଅକାଳରେ ଲୋଟି ପଡିବାର ଦୃଶ୍ୟ !!। ସିମନ୍ତରୁ ପୋଛି ହୋଇଯାଏ ସିନ୍ଦୂର......ଭାଙ୍ଗିଯାଏ ଶଙ୍ଖା । ମ୍ରିୟମାଣ ହୋଇ ମଧ୍ୟ ମନରେ ଅପୂର୍ବ ଗର୍ବ ଓ ଦମ୍ଭ ତାଙ୍କର। ସେ' ବୁଝି ପାରନ୍ତି ... ପତିର କାଳଜୟୀ ବଳିଦାନର ଗୁରୁତ୍ୱକୁ ଆଉ ମହତ୍ତ୍ବକୁ ।  ସ୍ନେହ ବତ୍ସଳ ପିଲାମାନେ ଅବଶ୍ୟ  ପିତୃତ୍ୱ ସ୍ନେହରୁ ବଞ୍ଚିତ ରହି.....ହୁଅନ୍ତି ହୀନସ୍ତା ଓ କାକୁସ୍ତ । ଶତନେତ୍ର ଅଶ୍ରୁସିକ୍ତ ; ଝରି ଯାଏ ଉଷ୍ମ ବିଷ୍ଣୁପଦୀ ନୀର । ସେହି କାରୁଣ୍ୟ ଦୃଶ୍ୟରେ ଫାଟିଯାଏ ଛାତି । ଅଶ୍ରୁଜଳରେ ବନ୍ୟା ପ୍ଲାବିତ ହୋଇଯାଏ ସାରା ଅଞ୍ଚଳ - ସାରା ଦେଶ ।

        ସମୟେ ସମୟେ ......ରାଜଦ୍ରୋହ , ଦେଶଦ୍ରୋହ ଗୁଜବ ଷଡ଼ଯନ୍ତ୍ରର ଶିକାର ବି ହୋଇଯା'ନ୍ତି ଆମର ସାମରିକ ବାହିନୀ ବୀର ଭାଇମାନେ । କିନ୍ତୁ , ସେ ବୁଝନ୍ତି ......" କାଚ ଆଉ କାଞ୍ଚନ"ର ମହତ୍ତ୍ୱ । ସୁରକ୍ଷା ବଳୟକୁ ଭେଦ କରି ଗୁପ୍ତ ଶତ୍ରୁଙ୍କର ଆକ୍ରମଣରୁ ରକ୍ଷା କରିପାରନ୍ତି ନିଜକୁ ଆଉ ଦେଶକୁ ମଧ୍ୟ । ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରିଥା'ନ୍ତି ସବୁ ଅନୁକୂଳ , ପ୍ରତିକୂଳ ପରିସ୍ଥିତିକୁ । ଯାହା ସଦା ପ୍ରଶଂସନୀୟ ଏବଂ ବାଞ୍ଛନୀୟ ମଧ୍ୟ । କାରଣ, ଆମ ସମାଜରେ କୁଶ୍ଚିତ , କଦାକାର ଚିନ୍ତାଧାରା ର ବ୍ୟକ୍ତି ବିଶେଷଙ୍କର  ସଂଖ୍ୟା ବି' କିଛି କମ୍‌  ନାହିଁ ....... ଯେଉଁମାନେ କି "ପଙ୍କଜ ଅପେକ୍ଷା ପଙ୍କ " ଉପରେ ଅଧିକା ଗୁରୁତ୍ୱ ଦେଇଥା'ନ୍ତି । ବାହ୍ୟ ତଥା ଅନ୍ତର୍ନିହିତ .... ନିଜସ୍ୱ ଦୃଷ୍ଟିଭଙ୍ଗିକୁ କଳ୍ପନାର ରଙ୍ଗରେ ରଙ୍ଗୀନ କରି, ଜନ ମାନସର ଦୃଷ୍ଟି ଆକର୍ଷଣ କରିବା ପାଇଁ । ସେଇ ଘଡିସନ୍ଧି ମୁହୂର୍ତ୍ତରେ ମନବଳ ଦୃଢ କରି ସେମାନେ ଦେଖେଇ ଥା'ନ୍ତି ନିଜର ଔଦ୍ଧତ୍ୟ । ଯାହା କାଳକ୍ରମେ ହୋଇଯାଏ ଲୋମହର୍ଷଣକାରୀ  ଯୁଗାନ୍ତ - ଅଧ୍ୟାୟ । ଯୋଉଥିପାଇଁ ମନ ଭିତରେ ଭିଡ ବାନ୍ଧନ୍ତି ଅଜସ୍ର ସ୍ନେହ , ଆଶିର୍ବାଦ ଓ ଶୁଭକାମନା । ସମାଜରେ ସୃଷ୍ଟି କରି ଯାଆନ୍ତି...... ଗୋଟେ ଗୋଟେ ଉଜ୍ଵଳମୟ କୀର୍ତ୍ତିସ୍ତମ୍ଭ । ଦେଇଯା'ନ୍ତି ଅନୁକରଣୀୟ ଆଦର୍ଶର ଭାବୋକ୍ତି । ନତ ମସ୍ତକରେ ସଲାମ କରନ୍ତି ....ସାରା ଦେଶ , ସାରା ବିଶ୍ୱ ।

           ଆମ ସାମାଜିକ ବ୍ୟବସ୍ଥାକୁ ନୂତନ ମାନବିକ ମୂଲ୍ୟବୋଧ ଭାବରାଜ୍ୟର ରୂପ ଦେବା ପାଇଁ ମୋର ନିମିତ୍ତ ମାତ୍ର,...... ଏ' ଆନ୍ତରିକ ଉଦ୍ୟମ । ମୋ' ଲେଖାରେ  ପ୍ରାଣମୟ ଅଭିଜ୍ଞତାର ସ୍ବାକ୍ଷର ଅଙ୍କିତ ନ' ହୋଇପାରେ !!! ମାତ୍ର , ବସ୍ତୁକୈନ୍ଦ୍ରିକ ଓ ସ୍ନେହାବିଳତାର ସମିଶ୍ରଣରେ ଏକ ନୂତନତ୍ୱ ବାସ୍ତବବାଦର ସୃଷ୍ଟି .....ନିଶ୍ଚିନ୍ତ ହେବ ବୋଲି ମୋର ବିଶ୍ୱାସ। କାହିଁକିନା, ଆମେ ଅନୁଭବ କରିପାରୁ.....ସେ ଭଉଣୀ ହୃଦୟର ବେଦନାକୁ ...... ଯିଏ ସୀମାନ୍ତର ସୁରକ୍ଷାରେ ସଦା ଜାଗ୍ରତ କିମ୍ବା ଦେଶ ମାତୃକାର ସୁରକ୍ଷାରେ ବୀରଗତି ପ୍ରାପ୍ତ । ତେଣୁ , ବିଶ୍ୱସ୍ତରୀୟ ଭଗ୍ନୀ-ଭାତୃତ୍ୱର ଏହି ପବିତ୍ର ବନ୍ଧନର ଦୃଷ୍ଟିଭାଙ୍ଗି ଚିତ୍ର .....ପ୍ରତିବିମ୍ବିତ ହେଉ ସାରା ଜନ ସମାଜରେ । ଏ' ମାନବିକ ମୂଲ୍ୟବୋଧର ପାରିବ୍ୟାପ୍ତତାରେ ....ମୋର ସର୍ବଜନାଦୃତ ଜ୍ଞାନୀ,ଗୁଣୀ ବୁଦ୍ଧିଜୀବୀ ଠାରୁ ସାଧାରଣ ଧୂଳି ଧୂସରିତ ଗାଁ ଗହଳି ପର୍ଯ୍ୟନ୍ତ ..... ଏହି ପବିତ୍ର ସମ୍ପର୍କ ଓ ଜାତୀୟତାବାଦୀ ଦେଶଭକ୍ତିର ନିର୍ଯ୍ୟାସକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ଅଲୌକିକ ଧାରାରେ ଚରୈଇବେତିର ମନ୍ତ୍ରରେ ମନ୍ତ୍ରିତ କରି ଜୀବନ୍ତ କରିବାର ଛୋଟ ପ୍ରୟାସଟିଏ ମାତ୍ର । ତାକୁ ସାଫଲ୍ୟମଣ୍ଡିତ  କରିବା ବୁଦ୍ଧିଜୀବୀ ମାନଙ୍କର ଦାୟିତ୍ୱ। ମଣିଷ ମନର ଓ ହୃଦୟର ଅପରିଦର୍ଶନୀୟ ପ୍ରବୃତ୍ତି, ସାମୟିକ ସମସ୍ୟା , ବିଚକ୍ଷଣ - କ୍ଷଣଚଞ୍ଚଳ ଆବେଗକୁ ପାଥେୟ ନ'କରି ଚିତ୍ତାକର୍ଷକ ଭାଇଚାରା ଭାତୃପ୍ରେମରେ ମଗ୍ନ ଦେଶାତ୍ମ ମୂଲ୍ୟବୋଧକୁ ଚରିତାର୍ଥ କରୁଥିବା ଆମ ବୀର ଯବାନ ଭାଇମାନଙ୍କ ପ୍ରତି ଭକ୍ତିପ୍ଳୁତ ପ୍ରଣିପାତ ।।
ମଧ୍ୟ ଶାସନ,ଜଗତସିଂହପୁର।।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।