ଯଶୋବନ୍ତ ସେଠୀ
ପାଇବାର ଯୋଗ୍ୟତା ମୋ'ଠି ଥାଉ କି ନଥାଉ
ଗିଫ୍ଟପ୍ଯାକରେ ଭରି ତମେ
ମୁହୂର୍ତ୍ତଟେ ଉପହାର ଦେଲ ,
କିନ୍ତୁ ସବୁ ଆଶା - ଉଦ୍ଦୀପନା
ପ୍ରାପ୍ତି ପରର ଉତ୍ସାହକୁ ଫେଡିନେଇ
ତୁଚ୍ଛାଟାରେ କଲବଲ କଲ ।
ବେଳେବେଳେ ଇଚ୍ଛା ମୋ ହୋଇଛି
ଫୁରସତ୍ ଦେଖି ଫେରାଇ ଆସନ୍ତି
ତମର ସେ ଅମୂଲ୍ୟ କ୍ଷଣକୁ ,
ଏକଲା ନଦୀ ହୋଇ ବହିଯାନ୍ତି ପୁଣି
ଅତୀତର ସାଗର କୂଳରେ ଛାଡି ଆସିଥିବା
ଆମରି ଲୁହ ବନ୍ୟାରେ ଲବଣାକ୍ତ ସାଜି
ପ୍ରତୀକ୍ଷମାଣ ନେତ୍ରରେ ପଡିରହିଥିବା
ପରିତ୍ୟକ୍ତ ମୁହାଣକୁ ।
ଏବେ ମୁଁ ପାଉଛି
ହୀରା,ମୋତି,ମାଣିକ୍ୟରେ ପୁଟଦିଆ
ମନଲାଖି ହଜାରେ ମୁହୂର୍ତ୍ତ,
ମନ ଜମା ବୁଝୁନାହିଁ
ପ୍ରାପ୍ତି-ସ୍ୱୀକାର କରିବାକୁ ରାଜି ନାହିଁ
ଦ୍ୱନ୍ଦ - ଆଶଙ୍କାରେ ଝୁଲି ରହେ
ଲାଗେ ସତେ ସବୁରି ପଛରେ
ଯୋଡିହୋଇ ଅଛି କିଛି ସର୍ତ୍ତ ।
□ □ □
ଏ ସି ପି (ନିରାପତ୍ତା)
ପୋଲିସ କମିଶନରେଟ ଭୁବନେଶ୍ବର
ସମ୍ପର୍କ - ୯୪୩୭୩୪୩୪୫୭
ଜୟ ସାହିତ୍ଯ , ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।