5/31/2020

ଟ୍ରାଫିକ ଚାଲାଣ

ପ୍ରଶାନ୍ତ କୁମାର ନାଥ 

    ଗୌରବ ଦାସ ଜଣେ ଅଟୋ ଡ୍ରାଇଭର । ନିଜ ଗାଆଁରେ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରିଥା'ନ୍ତି । ନିଜର ସ୍ତ୍ରୀ ଛୁଆପିଲାଙ୍କୁ ନେଇ ତାଙ୍କର ସଂସାର ।  କିଛିଦିନ ହେଲା ସ୍ତ୍ରୀ ଅମ୍ବିକା ବହୁତ ଉଦାସ ଲାଗୁଥିଲେ । ଆଗରୁ କେବେବି ତାଙ୍କୁ ଏମିତି ଅବସ୍ଥାରେ ଦେଖିନଥିଲେ ଗୌରବ । ଯାହା ଯେତିକି ରୋଜଗାର ହୁଏ ସେତିକିରେ ସେମାନଙ୍କ ସଂସାର ହସ ଖୁସିରେ ଚଳିଯାଏ । ଓଲଟି ଅମ୍ବିକା ଗୌରବକୁ ବୁଝାନ୍ତି ମନ ଦୁଃଖ ନକରିବା ପାଇଁ । ଭଗବାନ ସେମାନଙ୍କୁ ଯେତିକି ଦେଇଛନ୍ତି ସେତିକିରେ ସେମାନେ ଖୁସିରେ ରହିବା ପାଇଁ । ଏକଥା ମଧ୍ୟ ବୁଝାନ୍ତି ଯେ ତାଙ୍କ ଠାରୁ ଆହୁରି ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ମୁଠା ଖାଦ୍ୟ ମଧ୍ୟ ପାଉ ନାହାନ୍ତି । କିନ୍ତୁ ହଠାତ ତାଙ୍କର ଏମିତି ପରିବର୍ତ୍ତନ ଗୌରବଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଉଥାଏ । ସେଦିନ ଏକଥା ପଚାରି ଥିଲେ , କିଛି ନାହିଁ ବୋଲି କହି ଅମ୍ବିକା ରୋଷେଇ ଘରକୁ ପଶି ଯାଇଥିଲେ । ପଛେ ପଛେ ଗୌରବ ଯାଇ ଦେଖିଲେ ଯେ ଲୁଚି ଲୁଚି ଆଖିରୁ ଲୁହ ଝରାଉଛନ୍ତି ଅମ୍ବିକା । କହିବାକୁ ଚାହିଁ ମଧ୍ୟ ସେ ନିଜ ସ୍ୱାମୀଙ୍କ ପାଖରେ ତାଙ୍କ ମନର କଥାକୁ ଉପସ୍ଥାପନ କରି ପାରୁନାହାନ୍ତି । କାହିଁକିନା ନିଜ ସ୍ୱାମୀଙ୍କ ରୋଜଗାର ଆଉ ଅବସ୍ଥା କଥା ତାଙ୍କ ଛଡା ଆଉ କିଏ ଅଧିକ ଜାଣିଛି ?


     କିନ୍ତୁ ସେଦିନ ଗୌରବ ତାଙ୍କର ମୁଣ୍ଡ ଛୁଆଁଇ ନିୟମ କରାଇବା ଦ୍ୱାରା ସିଏ କହିବାକୁ ବାଧ୍ୟ ହୋଇଥିଲେ । ସେଦିନ ତାଙ୍କ ପୁଅ ଆଦିତ୍ୟ ଆସି ମା'କୁ ପଚାରି ଥିଲା - "ମା' ! ମୁଁ କ'ଣ ଭଲ ଜାମା ପ୍ୟାଣ୍ଟ ପିନ୍ଧି ଗାଡ଼ିରେ ସ୍କୁଲ୍‌କୁ ଯାଇ ପାରିବିନି ?" ସରୋଜର ମାଆ କହୁଥିଲେ - "ତୋ' ବାପା ତ ଗରିବ , ସିଏ କ'ଣ ପ୍ରାଇଭେଟ୍‌ ସ୍କୁଲ୍‌ରେ ପାଠ ପଢେଇ ପାରିବେ ? ତୁ ସେହି ଖଣ୍ଡିଆ ଜୋତା ଆଉ ଛିଣ୍ଡା ଜମା ପିନ୍ଧି ଗାଆଁ ସ୍କୁଲକୁ ଯିବୁ ।" ଗୌରବ ଏକଥା ଶୁଣିଲା ପରେ ନିଜ ଛାତିର କୋହକୁ ଆଉ ଚାପି ରଖି ପାରିଲେନି , ଛାତିର କୋହ ସବୁ ଲୁହ ହୋଇ ଝରି ପଡୁଥିଲା ; ତଥାପି ନିଜ ସ୍ତ୍ରୀକୁ କଥା ଦେଇଥିଲେ ଆମର ପୁଅ ନିଶ୍ଚିତ ସେହି ସ୍କୁଲରେ ପଢିବ । ଆଉ ସେହି ଗାଡ଼ିରେ ହିଁ ସ୍କୁଲକୁ ଯିବ । 

      ପରଦିନ ସ୍କୁଲକୁ ଯାଇ ପଚାରି ବୁଝିଥିଲେ ସେଠି ପଢିବା ପାଇଁ ୨୦ ହଜାର ଟଙ୍କା ଦରକାର । ଗୌରବ ବହୁତ ଜଣଙ୍କ ପାଖକୁ ଯାଇ ଉଧାର ମାଗିଥିଲେ ହେଲେ କେହି ବି ଉଧାର ଦେବାକୁ ରାଜି ହେଲେନି । ଶେଷରେ ସାହୁକାର ପାଖକୁ ଯାଇ ନିଜର ଘରଡ଼ିହ ବନ୍ଧକ ରଖି କିଛି ଟଙ୍କା ଦେବାକୁ ନେହୁରା ହେବାରୁ ସେ ରାଜି ହେଇଗଲେ ଆଉ ପରଦିନ ସମସ୍ତ କାଗଜପତ୍ର ଦେଇ ଟଙ୍କା ନେଇଯିବା ପାଇଁ କହିଲେ ସାହୁକାର । ସେହିଦିନ ସିଏ ଶୁଣିବାକୁ ପାଇଲେ ସଡକ ସୁରକ୍ଷା ନିୟମ ପରିବର୍ତ୍ତନ ହୋଇ ଯାଇଛି । କିନ୍ତୁ ଗାଆଁ ଗହଳିରେ କିଏ ସେହି ନିୟମକୁ ମାନୁଛି ନା କୋଉ ଟ୍ରାଫିକ ଅଛି ଯେ ? ଆଜିକାଲି ଲୋକମାନେ ବି ସେମିତି ଟ୍ରାଫିକ ନିୟମ ମାନିବାକୁ ନାରାଜ । ଘରେ ହେଲମେଟ ଥାଇ ମଧ୍ୟ ମୁଣ୍ଡରେ ଦେବେନି । ଗାଡିର କାଗଜପତ୍ର ମଧ୍ୟ ଠିକଠାକ କରି ରଖିବେନି । ଶହ ଶହ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଲୋକ ମାନେ ବୁଝି ପାରୁନାହାନ୍ତି । ଫଳରେ ନିଜେ ହଇରାଣ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏମାନେ ହଇରାଣ କରୁଛନ୍ତି । ତାକୁ ଆଖି ଆଗରେ ରଖି ସରକାର ନିୟମରେ ପରିବର୍ତ୍ତନ ଆଣିଛନ୍ତି । କିନ୍ତୁ ଏହି ନିୟମକୁ ମାନିଲା ପରି ସରକାରଙ୍କ ତରଫରୁ ସେମିତି କିଛି ଆଖିଦୃଶିଆ ବ୍ୟବସ୍ଥା କରାଯାଇନି । ବିଶେଷ କରି ଅନେକାଂଶରେ ଏହାର ପ୍ରଭାବ ପଡିଛି ଗାଁ ଗହଳିରେ । ଯେଉଁଠି ଏହାର ସଠିକ ବ୍ୟବସ୍ଥା କରାଯାଇନି ।

     ଗୌରବ ପରଦିନ ଯାଇଥିଲେ ସାହୁକାର ଘରକୁ , ଘରର ସମସ୍ତ କାଗଜପତ୍ର ବନ୍ଧକ ରଖି କିଛି ପଇସା ଧରି ଫେରୁଥିଲେ । ଛକରେ କିଛି ପୋଲିସ ବାବୁ ସେମାନଙ୍କ ଗାଡି ଅଟକାଇ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ କଲେ । ପଲ୍ୟୁସନ ସାର୍ଟିଫିକେଟ ନଥିଲା, ଇନ୍ସୁରାନ୍ସ ମଧ୍ୟ ଗାଡି କିଣିଲା ବେଳେ ଯାହା ହୋଇଥିଲା ୪/୫ ବର୍ଷ ହେଲା ଆଉ ରିନ୍ୟୁ କରାଯାଇ ନାହିଁ । ଏମିତି ସବୁ ମିଶେଇ ପୋଲିସ ଅଠର ହଜାର ଟଙ୍କାର ଚାଲାଣ କାଟିଦେଲେ । ଗୌରବ ଯେତେ କାକୁତି ମିନତୀ ହେଲେ ମଧ୍ୟ ସେମାନେ କିଛି ବି ବୁଝିଲେନି । ଗୌରବ ଯେତେ ବୁଝେଇବାକୁ ଚେଷ୍ଟା କରିଥିଲେ ପଲ୍ୟୁସନ ସାର୍ଟିଫିକେଟ ପାଇଁ ତାଙ୍କୁ ଅତି କମରେ ତିରିଶ କିଲୋମିଟର ଯିବାକୁ ପଡ଼ିବ । ଜଣେ ଅଟୋ ଡ୍ରାଇଭର ନିଜ ଗାଡିର ତେଲ ପୋଡି ପଲ୍ୟୁସନ ସାର୍ଟିଫିକେଟ ପାଇଁ ଏତେଦୂର ଯିବା କେତେ ଯୁକ୍ତିଯୁକ୍ତ ତାହା କେହି ବି ବୁଝିବାକୁ ନାରାଜ । ସରକାର ସାଧାରଣ ଜନତାଙ୍କ ଭଲ ପାଇଁ ଏହି ନିୟମ ସବୁ ଲାଗୁ କରିଥାନ୍ତି । କିନ୍ତୁ ସେହି ନିୟମ ଯଦି ସେମାନଙ୍କ ପାଇଁ ବଇରୀ ସାଜେ ତାହେଲେ ଏଥିରେ ସେମାନେ କେତେ ଉପକୃତ ହୁଅନ୍ତି କେଜାଣି ।

    ଗୌରବ ସାହୁକାର ପାଖରୁ ଆଣିଥିବା ଟଙ୍କା ତକ ପୋଲିସ ବାବୁଙ୍କୁ ଧରେଇ ଘରକୁ ଫେରିଲେ । କିନ୍ତୁ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ ଗାଡି ଚଳାଇ ଘରକୁ ଫେରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା ।  ବାଟରେ ଭାରସାମ୍ୟ ହରେଇ ନିଜର ଅଟୋ ସହିତ ପୋଲ୍ଲ ତଳକୁ ଖସି ପଡ଼ିଥିଲେ ।
                    💢ବାଙ୍ଗାଲୋର💢
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।