5/31/2020

ଭିନ୍ନ ଏକ ଅହିଂସା

ରାଜେଶ କୁମାର ବାରିକ 

     କିଟିମିଟି ଅନ୍ଧାରର ଛାତି ଚିରି ପାଚେରି ଉପରୁ ତଳକୁ ଡେଇଁ ପଡିଲା ସ୍ବପ୍ନା । ହାତରେ ଥାଏ କଲେଜ୍ ବ୍ୟାଗ୍ ଆଉ ସେଥିରେ କିଛି କପଡା । ମୋବାଇଲ୍‌ରେ କାହାକୁ ଫୋନ୍ କରିବାରେ ବ୍ୟସ୍ତ । ମନରେ ନିରାଶାର ଭାବ ନେଇ ଆଗକୁ ଆଗ ଦୈଡିବାରେ ଲାଗିଲା । ଆଉ ପାରିଲା ନାହିଁ। ନିରାଶାର ମନରେ ବସିପଡିଲା ଗୋଟେ ଦୋକାନ ବାରନ୍ଦା ଉପରେ । ଦେହ ସାରା ଗମ୍ ଗମ୍ ଝାଳ ବହି ଯାଉଥାଏ । କାନ୍ଧରୁ ବ୍ୟାଗ୍‌ଟାକୁ କାଢି ହାତରେ ଧରିଲା , ପୁଣି ମୋବାଇଲ୍‌ରେ ବ୍ୟସ୍ତ ହୋଇଗଲା । କିଟିମିଟିଆ ଅନ୍ଧାରରେ ଯେତେବେଳେ ଘଡଘଡିଟେ ମାରିଦେଲା ନା ଦେଖି ଚମକି ପଡିଲା ସ୍ବପ୍ନା କାହିଁକି ନା ପାଖରେ ବସିଥାଏ ଶକ୍ତି । କିଛି କହିବାକୁ ସାହାସ ହେଲାନି । ହାତରେ ଦୁଇଟା ଟ୍ରେନ୍ ଟିକେଟ୍ ପାଖରେ ଦୁଇଟା ବ୍ୟାଗ୍ । ଏଇ କ'ଣ ନୂତନ ଜୀବନର ଖୁସି ! ନା ଆଶା ନା ଆକଂକ୍ଷା। ଚୁପ୍ ଚାପ୍ ନୀରବରେ ଦୁଇଟା ବ୍ୟାଗ୍ ହାତରେ ଧରି ଉଠିପଡିଲା ଶକ୍ତି ।


     ଗୋଟେ ରୁ ଦେଢ କିଲମିଟର ଚାଲିବାକୁ ପଡିବ । ତା'ପରେ ଷ୍ଟେସନ୍ । ୦୪;୪୫ ରେ ଟ୍ରେନ୍ ଅଛି ଯଲ୍‌ଦି ଆସ । ଷ୍ଟେସନରେ କିଛି ସମୟ ବସିଲେ ଭଲ । ବାପା,ମାଁ ଶୋଇଥିଲେ ; ଦୁରରୁ ଟିକେ ଦେଖିଥିଲି । ପାଖକୁ ବି ଯାଇ ପାରିଲିନି । ତୁମ ପ୍ରତି ଭଲପାଇବା ନିଶା ସିନା ଏଠିକି ନେଇ ଆସିଲା , କିନ୍ତୁ ଆସିବାକୁ ଇଚ୍ଛା ନଥିଲା ।

- ହାତରେ ଆଉ ୪୫ ମିନିଟ୍ ସମୟ । କ'ଣ ସବୁ ଇଆଡୁ ସିଆଡୁ ଗପୁଛ ! ବାପାଙ୍କର ଏ.ଟି.ଏମ , ମାଁଙ୍କର ଗହଣା ସବୁ ନେଇକି ଆସିଛି ; ଆଉ ତୁମେ !
 
- ଆମକୁ କିଛ ଦିନ ଅପେକ୍ଷା କରିବାର ଥିଲା । ମାନୁଛି ଜୀବନ ସାରା ତୁମ ସହ ତୁମରି ହୋଇ ରହିବି , ହେଲେ ବାପା ମାଁ.........? ଛୋଟ ବେଳେ ଅଝଟ ହେଲେ ମାଁ ମାରେ ; ବାପା ନାଲି ଆଖି ଦେଖାନ୍ତି । ସେଇ ମାଁ ବି ତ ତା' ସେନେହ ପଣତରେ ପୋଛି ଦିଏ । ସେଇ ବାପା ବି ତ ସବୁ ଆବଶ୍ୟକ ପୂରଣ କରନ୍ତି । ଜୀବନ ବଡ ବିଚିତ୍ର ଶକ୍ତି , ଜୀବନ ବଡ ବିଚିତ୍ର ।
       
- ସବୁ ଦୋଷ କ'ଣ ମୋର ? ପୁଅପିଲା ମୁଁ ; ଦୟା , ଧର୍ମ , କ୍ଷମା ମୋ' ଦେହରେ ଭରିଛି । ତୁମକୁ ଆଶା ଦେଇ ଆଶା ମାରିବାକୁ ଅନିଚ୍ଛୁକ । ପରୀକ୍ଷାରେ ଫାଷ୍ଟ କ୍ଲାସ୍‌ରେ ପାସ୍ କଲି ବୋଲି ମାଁ ତା'ର ଗହଣା କାଢି ଦେଇଥିଲା ବାଇକ୍ ପାଇଁ ମୋର । ତୁମେ ଥରେ ଚିନ୍ତା କର ସେଇ ଗହଣାକୁ ନେଇ ଆସିଛି ତୁମରି ପାଇଁ ।

     (କଣ୍ଠ ବାଷ୍ପରୋଳ ହୋଇ ଯାଉଥାଏ  । ଶକ୍ତିକୁ ଜାବୁଡି ଧରିଲା ସ୍ବପ୍ନା )

- ମୋ' ବାପା ବହୁତ୍ ରାଗି , ମାଡ ମାରିବେ ପିଠି ପତେଇ ଦେବି । ଖାଇବାକୁ ନଦେବେ ଉପାସ ଶୋଇ ପଡିବି କିନ୍ତୁ ତୁମକୁ ପାଇବାକୁ ଏମିତି ଲୁଚିକି ଯାଇ ପାରିବିନି । ମୋତେ କ୍ଷମା କରିଦିଅ ଶକ୍ତି , ମୋତେ କ୍ଷମା କରିଦିଅ ।

     ରାତ୍ରିର ସେଇ କିଟିମିଟି ଘନ ଅନ୍ଧକାର ହଟି ସକାଳର ଆଲୋକରେ ରଂଗିନ୍ ହୋଇଗଲା । ହାତରେ ଥିବା ଦୁଇଟି ଟିକେଟ୍ ଟି ଟି ଇ ପାଖରେ ପହଞ୍ଚି ଥିଲେ । ପ୍ରତିଟି ସ୍ବପ୍ନ ଅବଶୋଷରେ କଟିଥା'ନ୍ତା । ଆଜି ଶକ୍ତି ଆଉ ସ୍ବପ୍ନା ସ୍ବାମୀ- ସ୍ତ୍ରୀ ; ବାପା ମାଁଙ୍କର ଆଶୀର୍ବାଦ ନେଇ ବହୁ ଖୁସିରେ ଅଛନ୍ତି । ନୀରବରେ ଆନ୍ଦୋଳନ କରିବା ଓ ଗୋଟିଏ ଗାଲରେ ମାଡ ଖାଇଲା ପରେ ଅନ୍ୟ ଗାଲ ଦେଖାଇ ଦେବାକୁ ଖାଲି ଅହିଂସା କୁହାଯାଏନି , ସମୟ ସହ ଅହିଂସାର ରୂପରେଖ ବଦଳିଛି । ଯେମିତି ଶକ୍ତି ଆଉ ସ୍ବପ୍ନାର ପ୍ରେମ କାହାଣୀ ।
ଦେବେନ୍ଦ୍ରପୁର,ଅଭଣା,ବାଲେଶ୍ବର 
୯୯୯୮୬୨୨୩୩୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।