5/31/2020

ସଂଜ୍ଞାର୍ଥରେ ଜୀବନ

ପ୍ରମୋଦ ଓଝା
       ଜୀବନ କାହା ପାଇଁ ଆନନ୍ଦର ପରିକଳ୍ପନାଟେ ତ ଆଉ କାହା ପାଇଁ ଭିଜା ଭିଜା ଶୀତ ସକାଳର କାକରର ବିନ୍ଦୁ । କାହା ପାଇଁ ଅସରନ୍ତି ଫଗୁଣର ରଙ୍ଗ ତ ଆଉ କାହା ପାଇଁ ସମୟର କଳାପଟାରେ ସେ କଳଙ୍କିତ କଳା ରଙ୍ଗ। ହୁଏତ ଜୀବନର ରଙ୍ଗ ଫୁଟିଉଠେ ସକାଳର ସେ ପହିଲି କିରଣ ହେଉ , କି ମଧ୍ଯାହ୍ନର ଅସହ୍ଯ ତାତି, କି ରାତିର ସେ କୋମଳ ପରଶରେ ପରଶି ଦିଏ ଜୀବନର ରଙ୍ଗକୁ । କିନ୍ତୁ ସବୁକିଛି ମୂଲ୍ଯହୀନ, ଅର୍ଥହୀନ, ତର୍କହୀନ ମୋ' ପାଇଁ ବର୍ତ୍ତମାନର ଏହି ସମୟରେ । ସମୟର ପ୍ରତ୍ଯକ କ୍ଷଣରେ ମୁଁ ଜୀବନ କୁ ଖୋଜିବାକୁ ଚେ଼ଷ୍ଟା କରିଲେ ବି ପାଇ ନାହିଁ ସମାଜର ଏହି ଜଙ୍ଗଲ ଭିତରେ ।  ବିବ୍ରତ ମନୋଭାବକୁ ନେଇ କେତେ ଥର ତନ୍ନ ତନ୍ନ କରି ଜୀବନ କୁ ଖୋଜିଛି  , ଫୁଲରୁ ସେ ଭାସି ଆସୁଥିବା ସୁନ୍ଦର ବାସ୍ନାରେ, ତା'ର କୋମଳ ମନୋଲୋଭା ପାଖୁଡାରେ, ତା'ର ଶକ୍ତିଶାଳୀ ଡାଳରେ । ପୁଣିଥରେ ଜୀବନକୁ ଖୋଜିଛି, ଅଙ୍କା ବଙ୍କା ମାଟି ରାସ୍ତାର କଡରେ ଅସହ୍ଯ ପଦାଘାତ ସହି ଅଧାମରା ହୋଇ ବଞ୍ଚିଥିବା ନିଷ୍ପାପ ଘାସରେ । ପୁଣିଥରେ ଜୀବନକୁ ଖୋଜିବାକୁ ଚେ଼ଷ୍ଟା କରିଛି ଅମାବାସ୍ଯାର କଳା ଅନ୍ଧାରରେ  । ଜୀବନକୁ ଖୋଜିଛି ମଶାଣିର ସେ ଚିତାଭସ୍ମରେ ଆଉ ଖୋଜିଛି ସେହି ଭସ୍ମ ମାଲିକର ମନରେ ଭରି ରହିଥିବା ଅହଙ୍କାରର ବିଶାଳ ସଦ୍ମରେ । ତଥାପି ପାଇ ନାହିଁ ଜୀବନକୁ , ପାଇ ନାହିଁ ଜୀବନର ପରିଭାଷା, ପାଇ ନାହିଁ ଶୁଣିଥିବା ଜୀବନର ମଧୁରତାକୁ , ପାଇ ନାହିଁ ଜୀବନରେ ଲୁଚି ରହିଥିବା ଭବିଷ୍ଯତର ଆଶାକୁ । ମନ କୁହେ ଜୀବନ ଖାଲି କଳ୍ପନାରେ ସୁନ୍ଦର ହୋଇପାରେ । ହୋଇପାରେ କବି, ଲେଖକ, ଗାଳ୍ପିକ, ଔପନ୍ୟାସିକ ମାନଙ୍କର ଭାବନାରେ ଏବଂ କେତେ ପ୍ରକାରର ଚାତୁରୀ ଭାଷାରେ । ବାସ୍ତବରେ ମଣିଷ ଜୀବନକୁ ଡରେ । ଡରି ଯାଏ ସମୟର କଡ ଲେଉଟାକୁ । ତଥାପି ଏ ମଣିଷ ସମୟ ସରିବା ଯାଏ ଖୋଜୁଥାଏ ଜୀବନକୁ । ଶୁଣିଥିବା ଜୀବନର ସେ ସୁନ୍ଦର କ୍ଷଣ ମାନଙ୍କୁ ସ୍ୱପ୍ନ ମାଧ୍ଯମରେ ଟିକିଏ ବୁଝିବାକୁ ଚେ଼ଷ୍ଟା କରେ ଏକାନ୍ତ ରେ।ସମୟ ସରିଯାଏ , ମଉଳିଯାଏ ଭାବନାରେ ଫୁଟି ଉଠିଥିବା ନିରିହ ନିରବତା  । ନା ଜୀବନ କୁ ଜାଣିହୁଏ , ନା ଜାଣି ହୁଏ ତା'ର ଦରଦୀ ଲକ୍ଷ୍ଯ  । ଖାଲି  ଅଣ୍ଡାଳି ଅଣ୍ଡାଳି ହୋଇ ବାଟ ଚାଲିବାକୁ ପଡେ । ମନ କୁହେ ବାସ୍ତବରେ ଖାଲି ଖୋଜିବା ଆଉ ଖୋଜିବା ଆଉ  ଖୋଜିବା.. କ'ଣ ଏହି ଖୋଜିବାର ମାନେଟା ଜୀବନ ?



    ମନେ ଅଛି ବାପା ସେଦିନର ସେ କଥା । ମୋର ଟିକିଏ ଟିକିଏ କଥାରେ ରାଗିବା ଆଉ ତୁମେ ସେ ରାଗର କାରଣକୁ ଖୋଜି ଘଉଡାଇବା  । ହାଃ.. ହାଃ.. ଭାରି ମଜା ହୁଏ ନା । ଜାଣିଛ ବାପା ବର୍ତ୍ତମାନରେ ଅନୁଭବ ହୁଏ ଅତୀତର ସୌନ୍ଦର୍ଯ୍ୟ , ହଜିବାକୁ ଇଛା ହୁଏ ଅତୀତର ସେ ମେଳାରେ , ଖେଳିବାକୁ ଇଛା ହୁଏ ନିରବତାର ବେଳାଭୂମିରେ, ଭିଜିବାକୁ ଇଛା ହୁଏ ତୁମର ସେ ନାନା ବାଇଆର ଗୀତରେ । ପରିବର୍ତ୍ତନଶୀଳ ସମୟ ହୁଏତ ବଦଳାଇ ଦେଇଛି  ସବୁକିଛି  । ବଦଳାଇ ଦେଇଛି କହିବାର ଶୈଳି, ବଦଳାଇ ଦେଇଛି ଚିନ୍ତା କରିବାର ଶକ୍ତିକୁ, ବଦଳାଇ ଦେଇଛି ପିଳାଦିନର ସେ କୌତୁକିଆ ପରିବେଶକୁ  । କିନ୍ତୁ ଜାଣିଛ ବାପା ଏ ସମୟଟା ବଦଳାଇ ପାରିନାହିଁ ମୋ' ମନରେ ଥିବା ତୁମ ପ୍ରତି ଭଲ ପାଇବାକୁ। ଆଜି ବି ଫିକା କରିପାରିନି  ଆଙ୍କିଥିବା ତୁମର ସେ ଛବିକୁ  । ମନେ ଅଛି ନା ତୁମେ ଥରେ କହିଥିଲ, ବଂଚିବାର ଶୈଳୀ ଆଉ ପାଇବାର ଆଶା ମୋ' ଗଣିତ ବହିର ଗୋଟିଏ କଠିନ ଗୋଲକ ଧନ୍ଦା ବୋଲି  । ପରିକ୍ଷାର ସମୟ ପରି ଏ ଶରୀରର ସମୟ ସବୁ ସରିଯାଏ ହେଲେ ସରେ ନାହିଁ ସେ ଗଣିତର ସମାଧାନ  ।  ଠିକ୍ ସେହିପରି ମୋ' ପାଇଁ ଆଜିର ଏହି ସମୟ । ତୁମେ କହୁଥିବା କଥାର ମୁଁ ପାଲଟି ଯାଇଛି ଗୋଟିଏ ଅଭିଶପ୍ତ ଚରିତ୍ର  ।

    ମନେ ଅଛି ଆମେ ମିଶିକି ଯେଉଁ ଫୁଲ ବଗିଚ଼ାଟା କରିଥିଲେ ? ଆଜିବି ସେଥିରେ ସେମିତି ଫୁଲ ଫୁଟୁଛି, ସକାଳର କଅଁଳ ଖରାରେ ଯେତେବେଳେ ଫୁଲମାନେ ମନ ଖୋଲି ହସନ୍ତି ଠିକ୍ ସେତେବେଳେ କୁଆଡୁ ଏ ପାଗଳା ପ୍ରଜାପତି ମାନେ ଧାଇଁ ଆସନ୍ତି ତାଙ୍କୁ ହଇରାଣ କରିବାକୁ  । କେତେ ଯେ ଦଉଡ଼ି ଦଉଡ଼ି ଧରିବାକୁ ଚେଷ୍ଟା କରିଛି ତା'ର ଠିକଣା ନାହଁ  ।  ହେଲେ ପାରିନାହିଁ  । କେବେ ସତରେ ତ ଆଉ କେବେ ମିଛରେ  । ଖାଲି ତୁମ ଓଠରେ ଟିକିଏ ହସ ଦେଖିବା ପାଇଁ  ।  ମନେ ଅଛି ନା ଯେଉଁ ଦିନ କହିଥିଲ ବର୍ତ୍ତମାନର ମାନେ ସଂଘର୍ଷ । ଆଉ ସଂଘର୍ଷର ପରିଭାଷା ଗୋଟିଏ ନୁଆ ସକାଳ । ଫୁଲ ବଗିଚାକୁ ଲାଗିଥିବା ବାଡ଼ିର ସେ ସଜନା ଗଛକୁ ଦେଖାଇ କହିଥିଲ, ଦେଖ୍ ଏ ଗଛରେ ଲାଗିଥିବା ଏ ସଁବାଳୁଆ ପୋକ ମାନଙ୍କୁ । ସ୍ୱଳ୍ପ ଜୀବନ ଭିତରେ କହି ଯାଆନ୍ତି ଗୋଟିଏ ଅସାଧାରଣ କଥା  । ଅସୁନ୍ଦର ଶରୀର, ବିଷାକ୍ତ ଲୋମ ସମୟାନୁକ୍ରମେ ଜନ୍ମ ଦିଏ ଗୋଟିଏ ସୁନ୍ଦର  ଜୀବନକୁ । ଯାହାକୁ ଏ ଦୁନିଆର  ସମସ୍ତେ ଭଲ ପାଇବାକୁ ବାଧ୍ୟ ହୁଅନ୍ତି । ଆଉ ଯେଉଁ ମାନଙ୍କୁ ତୁ ପ୍ରତିଦିନ ଧରିବାକୁ ଦଉଡୁଛୁ  । ସବୁବେଳେ ପ୍ରତ୍ୟେକ୍ଷ ଭାବରେ ବୁଝାଇବାକୁ ଚେଷ୍ଟା କରନ୍ତି, ରୂପ ଗୁଣ କେବେହେଲେ ଅସାଧାରଣକୁ ଜନ୍ମ ଦିଏନା ।  ତାକୁ ଜନ୍ମ ଦିଏ ଗୋଟିଏ ସାଧାରଣ ଚରିତ୍ରର ମହତ୍ ଚିନ୍ତାଧାରା  ।  ଏହି ବିଷାକ୍ତ ଲୋମ ଯୁକ୍ତ କ୍ଷୁଦ୍ର କୀଟଟି ଏ ସମାଜକୁ ବୁଝାଇବାକୁ ଚେଷ୍ଟା କରେ କି ଗୋଟିଏ ମହତ୍ ଚିନ୍ତା କେବେହେଲେ ଅସଫଳ ନୁହେଁ ଏ ସଂସାରରେ  । ତୁମେ ଯାହା ହୁଅ ନା କାହିଁକି, ଯେମିତି ହୁଅ ନା କାହିଁକି ଖାଲି ମନରେ ଟିକିଏ  ଇଛା ଶକ୍ତି ରଖ  ଦେଖିବ  ଆଗାମୀ ପୀଢି ସରଳ ସୁନ୍ଦର ମହିମା ମଣ୍ଡିତ ହୋଇ ଉଠିବ ଠିକ୍ ମୋର ବିଷାକ୍ତ ଶରୀରରୁ ଜନ୍ମ ନେଇଥିବା ଏ ନିରିହ ପ୍ରଜାପତିଟି ପରି । ସେହି ଦିନ ତିଆରି ହେବ ସଂଘର୍ଷର ନୂତନ ସକାଳ  । ଯେଉଁଥିରେ ସକାଳଟା ବି ତୁମର ଆଉ ସକାଳର ସେ ସୂର୍ଯ୍ୟଟା ବି , ସମୟଟା ବି ତୁମର ଆଉ ସେ ସମୟରେ ଭରି ରହିଥିବା ଅସହାୟ ନୀରବତା ।

     ଏକାନ୍ତ ଗଢି ତୋଳେ ନିଷ୍ପାପ ନିରବତାକୁ ।  ସେହି ନିରବତା ଜନ୍ମ ଦିଏ ସୁନ୍ଦର କଳ୍ପନାକୁ। ସେହି କଳ୍ପନାରୁ ଉଦୟ ହୁଏ ସଂଘର୍ଷର ଚିର ନିରନ୍ତନ ସୂର୍ଯ୍ୟ ଯାହାର ତେଜରେ ସାରା ସଂସାର ଚଳଚଂଚଳ ହୋଇ ଉଠେ ।   ଗୀତ ଗାଇବାକୁ ଲାଗେ ବଗିଚ଼ା ର ଫୁଲ ଆଉ  ଦେଖିବାକୁ ମିଳେ କୋମଳ ପ୍ରଜାପତି ର କେତେ ଦୁଷ୍ଟାମୀ ଯୁକ୍ତ ଅଙ୍ଗଭଙ୍ଗୀ  ।
  🌿ଅଳତଳଙ୍ଗ🌿                                      
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।